ଶ୍ରୀଦେବୀଙ୍କ ମରଶରୀର ହସ୍ତାନ୍ତର ଲାଗି ଅନୁମତି ମିଳିଲା, ସ୍ୱାମୀ ବୋନି କପୁରଙ୍କୁ ଦୁବାଇ ନ ଛାଡ଼ିବାଲାଗି ପୁଲିସର କଡ଼ା ତାଗିଦ୍‌

ମୁମ୍ବାଇ: ଶ୍ରୀଦେବୀଙ୍କ ମରଶରୀର ହସ୍ତାନ୍ତର ନେଇ ଅନୁମତି ପତ୍ର ତାଙ୍କ ପରିବାର ଓ ଭାରତୀୟ କନସୁଲେଟକୁ ଦୁବାଇ ପୁଲିସ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଏହା ଫଳରେ ଶ୍ରୀଦେବୀଙ୍କ ମରଶରୀର ଭାରତ ଆସିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଶ୍ରୀଦେବୀଙ୍କ ମୃତଦେହ ସଂରକ୍ଷଣ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ୩ରୁ ୪ଘଣ୍ଟା ଲାଗିବ ବୋଲି ଜଣା ପଡ଼ିଛି। ତେବେ ଶ୍ରୀଦେବୀଙ୍କ ସ୍ୱାମୀ ପ୍ରଯୋଜକ ବୋନି କପୁରଙ୍କୁ ଦୁବାଇରେ ରହିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବାରୁ ଦୁବାଇ ପବ୍ଲିକ ପ୍ରୋସିକ୍ୟୁଟର ବୋନି କପୁରଙ୍କୁ ଦୁବାଇ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସସପେନସ୍‌ ଜାରି ଥିବା ବେଳେ ଦୁବାଇ ପୁଲିସ୍‌ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁରଙ୍କୁ ଦୁବାଇ ନ ଛାଡିବାପାଇଁ ନିର୍ଦ୍ଦେଶ ଦେଇଥିବା କଥା ପୁଣି ହଟଚମଟ ସୃଷ୍ଟି କରିଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟନ୍ତ ସରକାରୀ ଓକିଲ ତାଙ୍କୁ ଅନୁମତି ଦେବେ ନାହିଁ ସେ ପର୍ଯ୍ୟନ୍ତ ବୋନି ଦୁବାଇରୁ ବାହାରି ପାରିବେ ନାହିଁ। ଏକଥା ପ୍ରଘଟ ହେବାପରେ ବୋନିଙ୍କ ପୁଅ ଅର୍ଜୁନ କପୁର ବାଧ୍ୟ ହୋଇ ଦୁବାଇ ଯାଇଥିବା ଜଣାଯାଇଛି।

photo-youtube

ଏଠାରେ ସୂଚନାଯୋଗ୍ୟ ଯେ ଜନୈକ ସରକାରୀ ଓକିଲ କହିଛନ୍ତି ଯେ ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା। ଏହାର ପର୍ଦ୍ଦାଫାସ କରିବାକୁ ଦୁବାଇ ପୁଲିସ୍‌ ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି ଯେ ଏଭଳି ଅସ୍ୱାଭାବିକ ମୃତ୍ୟୁ ଘଟିଲେ ଦୁବାଇରେ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବାଲାଗି ଅତି କମରେ ତିନି ଦିନ ଲାଗିଥାଏ। ଖାସ୍‌ କରି ଶ୍ରୀଦେବୀ ଜଣେ ବଡ଼ ସେଲିବ୍ରିଟି ହୋଇଥିବା ହେତୁ ଏହାକୁ ଅଧିକ ଗମ୍ଭୀରତାର ସହ ନେଇଛି ପୁଲିସ୍‌। ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର କି ନା ତାହା ଜାଣିବାକୁ ପ୍ରୟାସ ଚାଲିଛି। ଶ୍ରୀଦେବୀ କେବେ ବି ମଦ ପିଅନ୍ତି ନାହିଁ ବୋଲି କୁହାଯିବା ପରେ ତାଙ୍କର ରକ୍ତରୁ ଆଲକୋହଲ୍‌ ମିଳିଥିବା ଘଟଣାକୁ ଅଧିକ ସନ୍ଦେହଜନକ କରୁଥିବା ମନେ ହୁଏ।

ସମ୍ବନ୍ଧିତ ଖବର