ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ-ସଂପାଦକ ଚକ୍ରଧର ସାହୁ ଚାହିଁଥିଲେ ବଲିଉଡରେ ବେଶ୍‌ ନାଆଁ କରି ପାରିଥାନ୍ତେି। ସେଠାରେ ରହି ଭଲ ରୋଜଗାର କରି ପାରିଥାନ୍ତେ ସେ , ମାତ୍ର ମୁମ୍ବାଇରେ କିଛି ବର୍ଷ ରହିବା ପରେ ନିଜର ମାତୃଭାଷା ‘ଓଡ଼ିଆ’ରେ ଭଲ ସିନେମା ନିର୍ମାଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଫେରିଥିଲେ।
ଏଠି ସେ ପ୍ରଥମେ ପ୍ରଖ୍ୟାତ ସାହିତ୍ୟିକ ଗୋଦାବରୀଶ ମିଶ୍ରଙ୍କ ବହୁ ଚର୍ଚ୍ଚିତ ଗଳ୍ପ ‘ନୀଳ ମାଷ୍ଟ୍ରାଣୀ’ର କାହାଣୀ ଆଧାରରେ ନିର୍ମାଣ କରିଥିଲେ ଏକ କଳାତ୍ମକ ସିନେମା। ଏହି ସିନେମାର ନାଆଁ ବି ରଖିଥିଲେ ‘ନୀଳ ମାଷ୍ଟ୍ରାଣୀ’। ଏଥିରେ ସେ ଅଭିନେତା ମୀନକେତନ ଓ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କୁ ବିଗ୍‌ ବ୍ରେକ୍‌ ଦେଇଥିଲେ। ତା’ପରେ ଓଟିଭିରେ ଚିଫ୍‌ ଏଡିଟର୍‌ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଅନୁଭବ କଲେ ଯେ ସମ୍ବାଦ ସଂପାଦନା ପାଇଁ ତାଙ୍କର ଜନ୍ମ ନୁହେଁ, ବରଂ ଫିଲ୍ମ ନିର୍ମାଣ ପାଇଁ। ଏଣୁ ସେ ୨୦୦୭ରେ ଏକ ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣ କରିଲେ, ଯାହାର ଟାଇଟଲ ହେଲା ‘ତୁମକୁ ପାରୁନି ତ ଭୁଲି’।

                                                                 ‘ମୀମାଂସା’ରେ ମୀନକେତନ ଓ ଲିପି
ଚକ୍ରଧର ସାହୁଙ୍କ କାହାଣୀ ଚୟନ,ଚିତ୍ରନାଟ୍ୟ ଓ ସଙ୍ଗୀତ ଉପରେ ଯଥେଷ୍ଟ ଦକ୍ଷତା ଥିଲା। ସେ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ପାଇଁ ଛଅମାସରୁ ଅଧିକ ସମୟ ନେଉଥିଲେ। ‘ତୁମକୁ ପାରୁନି ତ ଭୁଲି’ ହେଉ କି ‘କେବେ ତୁମେ ନାହଁ,କେବେ ମୁଁ ନାହିଁ’ ଅବା ‘ମୀମାଂସା’ ହେଉ ପ୍ରତିଟି ସିନେମା ଥିଲା ସଙ୍ଗୀତମୟ। ସେ ଫିଳ୍ମ ମେକିଂରେ କେବେ ବି କଂପ୍ରୋମାଇଜ୍‌ କରୁନଥିଲେ। ତାଙ୍କ ନିର୍ଦ୍ଦେଶିତ ଶେଷ ସିନେମା ‘ମୀମାଂସା’ରେ କଣ୍ଠଦାନ କରି ମହାଲକ୍ଷ୍ମୀ ଆୟାର୍‌ ଶ୍ରେଷ୍ଠ ଗାୟିକା ଓ ଲିପି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ନିଜେ ଚକ୍ରଧର ସାହୁ ମଧ୍ୟ ଶ୍ରେଷ୍ଠ ସଂପାଦକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ଓ ତାଙ୍କୁ ପରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଜୁରିରେ ମଧ୍ୟ ସ୍ଥାନ ମିଳିଥିଲା।

ସମ୍ବନ୍ଧିତ ଖବର