ମୁମ୍ବାଇ:ବିଗତ କିଛି ବର୍ଷ ମଧ୍ୟରେ ବଲିଉଡରେ କେତେକ ଶିଶୁ କଳାକାର ନିଜର ପ୍ରଥମ ଆବିର୍ଭାବରେ ହିଁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ । ଖାଲି ସେତିକି ନୁହେଁ ଏମାନଙ୍କ ଭିତରୁ କେତେକ ବଲିଉଡରେ ପରବର୍ତ୍ତୀ ସମୟରେ ଅଭିନେତା, ଅଭିନେତ୍ରୀ ଭାବେ ପ୍ରତିଷ୍ଠା ଅର୍ଜନ ମଧ୍ୟ କରିଛନ୍ତି । ପୁରୁଣା ଦିନର ବିଶିଷ୍ଟ ଅଭିନେତା ଶଶି କପୁର, ଋଷି କପୁର, ନୀତୁ ସିଂହ ପ୍ରମୁଖ ଶିଶୁ କଳାକାର ଭାବେ ହିଁ ବଲିଉଡରେ ପ୍ରବେଶ କରିଥିଲେ, ଯେଉଁମାନେ ବଡ଼ ହେବାପରେ ନାମୀ ଷ୍ଟାର୍ ହୋଇଥିଲେ । ଏହା ଅବଶ୍ୟ ଭିନ୍ନ କଥା ଯେ ସେମାନଙ୍କ ଭିତରୁ କେତେକ ପରବର୍ତ୍ତୀ ସମୟରେ ବିଶେଷ ସଫଳ ହୋଇ ନଥିଲେ। ତେବେ ସଂପ୍ରତି ଯେଉଁ ଯୁବ କଳାକାର ଶୈଶବରୁ ସିନେ ଶିଳ୍ପ ସହିତ ଜଡ଼ିତ ହୋଇ ଚର୍ଚ୍ଚାରେ ଅଛନ୍ତି, ସେମାନଙ୍କ ଉପରେ ଦୃଷ୍ଟି ପକାଇବା…
ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍ଙ୍କ ବ୍ଲକବଷ୍ଟର ମୁଭି ‘ ତାରେ ଜମିନ୍ ପର’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଶିଶୁ କଳାକାର ଦର୍ଶିଲ୍ ସଫାରି । ସେ ପ୍ରଥମ ସିନେମାରେ ହିଁ ଏଭଳି ମନୋମୁଗ୍ଧକର ଅଭିନୟ କରିଥିଲେ ଯେ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା । ଏବେ ସେ ନାୟକଭାବେ ଏକ ହିନ୍ଦୀ ସିନେମାରେ ଅଭିନୟ କରୁଛନ୍ତି ।

ପ୍ରଖ୍ୟାତ ନିର୍ଦ୍ଦେଶକ କରଣ ଜୋହରଙ୍କ ବ୍ଲକବଷ୍ଟର ମୁଭି ‘କୁଛ୍ କୁଛ୍ ହୋତା ହେ’ ରେ ଜଣେ ଶିଶୁ କଳାକାର ( ଅଞ୍ଜଳି) ଭୂମିକାଟି ଥିଲା କାହାଣୀର କେନ୍ଦ୍ରବିନ୍ଦୁ । ଏଥିରେ ସେହି ଚରିତ୍ରଟି ନିଭାଇଥିବା ଶିଶୁ କଳାକାର ଜଣକ ହେଲେ ସନା ସଇଦ୍ । ପରେ ସେ ରାଜ କଓ୍ଵଁରଙ୍କ ନିର୍ଦ୍ଦେଶିତ ‘ ବାଦଲ’ ଓ ‘ହର ଦିଲ୍ ଯୋ’ ପ୍ୟାର୍ କରେଗା ଆଦି ଛବିରେ ବି ଅଭିନୟ କରିଥିଲେ । ସନା ସଇଦ୍ଙ୍କୁ ବଲିଉଡରେ ବ୍ରେକ୍ ଦେଇଥିଲେ କରଣ ଜୋହର ତାଙ୍କ ଫିଲ୍ମ ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ ରେ । ବଲିଉଡରେ ଆଉ ଜଣେ ଚର୍ଚ୍ଚିତ ଶିଶୁ କଳାକାର ହେଲେ ଶ୍ୱେତା ପ୍ରସାଦ । ୨୦୦୨ର ବହୁଚର୍ଚ୍ଚିତ ସିନେମା ‘ମକ୍ଡ଼ି’ରେ ଉଚ୍ଚକୋଟିର ଅଭିନୟ କରି ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ ସେ ।

ଅନ୍ୟତମ ବ୍ଲକବଷ୍ଟର ମୁଭି‘ ଦଙ୍ଗଲ’ ରେ ଅଭିନୟ କରିଥିବା ସୁହାନି ଭଟ୍ଟନାଗର ଓ ଜାଇରା ଓ୍ଵାସିମ୍ ବି କମ୍ ଚର୍ଚ୍ଚିତା ହୋଇ ନାହାନ୍ତି । ସଲମାନ୍ ଖାନ୍ ଷ୍ଟାର୍ର ‘ବଜରଙ୍ଗୀ ଭାଇଜାନ୍’ ରେ ଯେଉଁ ଶିଶୁ କଳାକାର କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିଲେ, ସେ ହେଲେ ହର୍ଷାଲୀ ମାଲହୋତ୍ରା । ସେ ବି ଖୁବ୍ ଶୀଘ୍ର ନାୟିକାରୂପେ ବଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି।