ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କଲେ ହେମାମାଲିନୀ

ମଞ୍ଚସ୍ଥ ହେଲା ଓଡ଼ିଶୀ ନୃତ୍ୟାଭିନୟ ‘କିରଓ୍ଵାନୀ ମଧୁରିମା‘ ଓ ‘ମାଟିି’

ଭୁବନେଶ୍ୱର: ସୃଜନ ଦ୍ୱାରା ଆୟୋଜିତ ୨୪ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିିମ ସଂଧ୍ୟା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା  । ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ।

ଏହି ବର୍ଷ ନାଟ୍ୟ ଜଗତର ସୁନାମଧ୍ୟନ୍ୟ ବ୍ୟକ୍ତି ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮ ଏବଂ ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖର୍ଜୀ ଏବଂ କଥକ ନୃତ୍ୟରେ ସ୍ୱାତୀ ସିହ୍ନା ଓ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୮ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା  ଉଦଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମ ଜୀବନିକୁ ନେଇ ପୁସ୍ତକ ‘ଡ଼୍ୟାନସିଂ ଇନଟୁ ଇଟରନିଟି’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମେଚନ କରାଯାଇଥିଲା।

ଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓଡ଼ିଶୀକୁ ନୂତନ ଭାବରେ ସଂସ୍ଥାପିତ ପୁରାତନ ବା ଶାସ୍ତ୍ରୀୟ ନୃତ୍ୟ  କିରଓ୍ଵାନୀ ମଧୁରିମା, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର।

ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ ମାଟି ଯାହା ପ୍ରସିଦ୍ଧ  କବି ରାଧା ମୋହନ ଗଡ଼ନାୟକଙ୍କ କବିତାରୁ ଉଦ୍ଧୃତ।   ଗୁରୁ ରତିକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମଟିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଲକ୍ଷ୍ମୀକାନ୍ତ ପାଳିତ ସଙ୍ଗୀତ ସଂଯୋଜନା ସହିତ ଜୟଦେବ ଦାସଙ୍କ ଦ୍ୱାରା ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଗୀତ ରଚନା କରାଯାଇଥିଲା। ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତନ୍ତ ଚିତ୍ତାକର୍ଷକ  ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ସିନେ ତାରକା ଶ୍ରୀମତୀ ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର।  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର।

ସମ୍ବନ୍ଧିତ ଖବର