ନୂଆଦିଲ୍ଲୀ: ଏବେ ବଲିଉଡ୍ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ନୂଆ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଚାଲିଛି। ସେଥିରେ ଇତିହାସକୁ ଭୁଲ୍ ଭାବେ ବର୍ଣ୍ଣନା କରା ଯାଉଛି ବୋଲି କିଛି ଲୋକ ଅଭିଯୋଗ କରୁଛନ୍ତି। ତେବେ ଆମ ଦେଶରେ କୌଣସି ଐତିହାସକ ଫିଲ୍ମ ବିବାଦରେ ପଡ଼ିବା କିଛି ନୂଆ କଥା ନୁହେଁ। ବିବିଧତାର ଏ ଭାରତରେ ଗୋଟିଏ ଫିଲ୍ମ ସବୁ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ବୋଧେ ଅସମ୍ଭବ ମଧ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଚର୍ଚ୍ଚିତ ହାଇ-ବଜେଟ୍ ଫିଲ୍ମ ‘ପଦ୍ମାବତୀ’ ଏବେ ଘୋର ସମସ୍ୟା ଭିତରେ। ସମସ୍ୟା ଯୋଗୁ ଫିଲ୍ମଟିର ସୁଟିଂ ଏଯାଏ ଶେଷ ହୋଇ ପାରିନାହିଁ। ତେଣୁ ଏହାକୁ ଠିକଣା ସମୟରେ ରିଲିଜ୍ କରି ହେବ କି ନା, ତା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି, ଯଦିଓ ସବୁକିଛି ମୂଳ ଯୋଜନା ଅନୁସାରେ ହେବ ବୋଲି ପ୍ରଯୋଜକ କହୁଛନ୍ତି।
‘ପଦ୍ମାବତୀ’ରେ ଅଛି ରାଜପୁତ୍ ରାଣୀ ପଦ୍ମାବତୀ ବା ପଦ୍ମିନୀଙ୍କ କାହାଣୀ। ସେ ଥିଲେ ମେଓ୍ଵାର୍ର ରାଣା ରତ୍ନସିଂହଙ୍କ ରାଣୀ। ଲୋକକଥାରେ ରତ୍ନସିଂହ, ରତନ ସିଂହ ଭାବେ ମଧ୍ୟ ପରିଚିତ। ୧୩୦୩ ମସିହାରେ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ୍ ଖିଲ୍ଜୀ ମେଓ୍ଵାର୍ର ରାଜଧାନୀରେ ଥିବା ଚିତ୍ତୋର ଦୁର୍ଗ ଉପରେ ଆକ୍ରମଣ କରିଥିଲେ। ରାଣାଙ୍କ ସେନା ଅତି ସାହସର ସହିତ ଆକ୍ରମଣକୁ ସାମ୍ନା କରିଥିଲେ। ଖିଲ୍ଜୀଙ୍କ ସେନା ଦୀର୍ଘଦିନ ଧରି ଦୁର୍ଗକୁ ଅବରୋଧ କରିରଖିବା ପରେ ଭିତରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ। ସେମାନେ ରାଣାଙ୍କ ସମେତ ପ୍ରାୟ ୩୦,୦୦୦ ରାଜପୁତ୍ ବୀରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ଇତିହାସ କହେ।
ଏହି ଘଟଣାର ଆଧାରରେ ମାଲିକ୍ ମହମ୍ମଦ ଜୟସି ‘ପଦ୍ମାବତ୍’ ନାମକ ଏକ କାବ୍ୟ ଲେଖିଛନ୍ତି। ସେଥିରେ ସେ ମୂଳ ଘଟଣାକୁ ଅଲଗା ବାଗରେ ବର୍ଣ୍ଣନା କରିଛନ୍ତି : ଦିଲ୍ଲୀର ସୁଲତାନ ଖିଲ୍ଜୀ, ରତନ ସିଂହଙ୍କ ରାଣୀ ପଦ୍ମାବତୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ପାଇବାଲାଗି ମେଓ୍ଵାର୍ ଆକ୍ରମଣ କରିଥିଲେ। ତେବେ ସେ ରତନ ସିଂହଙ୍କୁ ପରାସ୍ତ କରି ନିହତ ସିନା କରିଥିଲେ, କିନ୍ତୁ ପଦ୍ମାବତୀଙ୍କୁ ପାଇ ନ ଥିଲେ। ପଦ୍ମାବତୀ ଶତ୍ରୁ ହାତରେ ପଡ଼ିବା ପୂର୍ବରୁ ଦୁର୍ଗର ଅନ୍ୟ ରାଜପୁତ୍ ରମଣୀମାନଙ୍କ ସହିତ ନିଆଁରେ ପ୍ରବେଶ କରି ଆତ୍ମଦାହ କରିଥିଲେ। ଏ ହେଉଛି ଲୋକକଥା, ଇତିହାସ ନୁହେଁ। କିନ୍ତୁ ଏହାର ଆଧାରରେ ବଂଶାଲୀ ତିଆରି କରୁଛନ୍ତି ‘ପଦ୍ମାବତୀ’।
ଏ ଫିଲ୍ମରେ ‘ପଦ୍ମାବତୀ’ଙ୍କ ଭୂମିକାରେ ଦୀପିକା ପାଦ୍ୟୁକୋନ୍, ମହାରାଓ୍ଵଲ୍ ରତନ ସିଂହଙ୍କ ଭୂମିକାରେ ସାହିଦ୍ କପୁର୍ ଏବଂ ଆଲ୍ଲାଉଦ୍ଦିନ୍ ଖିଲ୍ଜୀଙ୍କ ଭୂମିକା ରଣବୀର ସିଂହ ଅଭିନୟ କରୁଛନ୍ତି। ଫିଲ୍ମରେ ଇତିହାସକୁ ଠିକ୍ ଭାବେ ଦର୍ଶା ଯାଉନାହିଁ ବୋଲି ତ ମୂଳରୁ ଅଭିଯୋଗ ଥିଲା, ପରେ ଆହୁରି କିଛି କାରଣ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ତା’ ଭିତରୁ ଗୋଟିଏ ଅଭିଯୋଗ ହେଲା, ଏଥିରେ ପଦ୍ମାବତୀ ଓ ଖିଲ୍ଜୀଙ୍କ ଭିତରେ ସମ୍ଭବତଃ କିଛିଟା ଅନୁରାଗ ଥିବାର ଦର୍ଶା ଯାଇଛି। ପୁଣି ଯେମିତି ବଲିଉଡ୍ ଫିଲ୍ମରେ ଘଟେ- ଖିଲ୍ଜୀଙ୍କ ଭାବନାରେ ପଦ୍ମାବତୀଙ୍କୁ ନେଇ ଏକ ରୋମାଣ୍ଟିକ୍ ଗୀତର ସିକ୍ୱେନ୍ସ୍ ଅଛି ବୋଲି ପ୍ରଚାର ହେବାପରେ ବହୁ ଲୋକ ଏହାକୁ ବିରୋଧ କରିଥିଲେ। ସତ ଜୀବନରେ ରଣବୀର ଓ ଦୀପିକାଙ୍କ ଭିତରେ ପ୍ରେମ ଥିବାରୁ, ସେମାନେ ପରଦା ଉପରେ ଅଭିନୟ କରୁଥିବା ଭୂମିକା ଦୁଇଟି ଭିତରେ ମଧ୍ୟ ସେହି ଭଳି କିଛି ଥିବ ବୋଲି ଲୋକେ ଅନୁମାନ କରିବା ମଧ୍ୟ କିଛି ବିଚିତ୍ର ନୁହେଁ ଅବଶ୍ୟ! ଫଳରେ ଏ ଫିଲ୍ମର ସୁଟିଂ ଥରକୁ ଥର ବନ୍ଦ୍ ହୋଇଛି। ରାଜସ୍ତାନର ଜୟଗଡ଼ରେ ଏହାର ସୁଟିଂ ଚାଲିଥିବା ସମୟରେ ସେଠାକାର କରଣୀ ସେନାର ସଭ୍ୟମାନେ ବଂଶାଲୀଙ୍କ ସେଟ୍ ଉପରେ ଆକ୍ରମଣ କରିଥିଲେ। ସେମାନେ କଳାକାର ଓ ଟେକ୍ନିଆନ୍ମାନଙ୍କୁ ଠେଲାପେଲା ମଧ୍ୟ କରିଥିଲେ। ତା’ ଭିତରେ ନିର୍ଦ୍ଦେଶକ ବଂଶାଲୀଙ୍କୁ କେହି ଜଣେ ଚାପୁଡ଼ା ମାରିଥିବାର ମଧ୍ୟ ଶୁଣାଯାଏ। ଫଳରେ ବଂଶାଲୀ ସେଠାରୁ ନିଜ ଦଳକୁ ନେଇ ମୁମ୍ବାଇ ଫେରି ଆସିଥିଲେ। କିନ୍ତୁ ପୁନା ନିକଟରେ ନୂଆ ସେଟ୍ ତିଆରିକରି ସୁଟିଂ ଆରମ୍ଭ କରିବାପରେ ସେଠାରେ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ।
ଶେଷରେ ସେ ଏକ ସାମ୍ବାଦିକ ସମ୍ମିଳନା ଡକାଇ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜପୁତ୍ ସମାଜର ଭାବନାରେ ଆଘାତ ଦେବାଭଳି କୌଣସି କଥା ତାଙ୍କ ଫିଲ୍ମରେ ନାହିଁ। ତା’ପରେ ଅବଶ୍ୟ ବିରୋଧ କମି ଯାଇଛି, କିନ୍ତୁ ସମସ୍ତଙ୍କୁ ତାହା ଚୁପ୍ କରାଇ ପାରିନାହିଁ। ହୁଏତ ଫିଲ୍ମଟି ରିଲିଜ୍ ହେବା ବେଳକୁ ପୁଣି ସମାନ ସମସ୍ୟା ଆସିବ।
ଇତିହାସକୁ ଭୁଲ୍ ରୂପେ ଦର୍ଶା ଯାଇଛି ବୋଲି ଅତୀତରେ ଅନେକ ବଲିଉଡ୍ ଫିଲ୍ମ ବିବାଦର ଘେରରେ ପଡ଼ିଛି। ତା’ର ତାଲିକା କ୍ଲାସିକ୍ ‘ମୁଗ୍ଲ-ଇ-ଆଜମ୍’ (୧୯୬୦)ରୁ ଆରମ୍ଭ କରା ଯାଇପାରେ। ଏ ଫିଲ୍ମରେ ଥିବା ଅନାରକଲୀ ଚରିତ୍ରଟି ମିଛ ଏବଂ ଇତିହାସରେ ଏହାର କୌଣସି ଉଲ୍ଲେଖ ନାହିଁ ବୋଲି ଅନେକ ଐତିହାସିକ ଅଭିଯୋଗ କରି ଏହାର ପ୍ରଦର୍ଶନ ବନ୍ଦ୍ କରିବାଲାଗି ଦାବି କରିଥିଲେ ସେତେବେଳେ।
ସେହି ମୋଗଲ କାହାଣୀକୁ ନେଇ ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଯୋଧା-ଆକବର’ ମଧ୍ୟ ବିବାଦରେ ପଡ଼ିଥିଲା। ଆକବର ଓ ଯୋଧାଙ୍କ ଚରିତ୍ରକୁ ଏଥିରେ ଠିକ୍ ଭାବେ ଦର୍ଶା ଯାଇନାହିଁ ବୋଲି ଲୋକେ କହିଥିଲେ। ତେଣୁ ଫିଲ୍ମରେ ଇତିହାସକୁ ବିକୃତ କରା ଯାଇଛି ବୋଲି ଅଭିଯୋଗ ଆସିଥିଲା। ଫିଲ୍ମର ପ୍ରଦର୍ଶନ ପ୍ରଥମେ ରାଜସ୍ତାନରେ ବନ୍ଦ କରା ଯାଇଥିଲା। ଫିଲ୍ମକୁ ବିରୋଧ କରିଥିବା ରାଜପୁତ୍ମାନେ ଅଭିଯୋଗ କରିଥିଲେ ଯେ ଆକବରଙ୍କ ପୁଅ ସଲିମ୍ଙ୍କୁ ଯୋଧା ବାହା ହୋଇଥିଲେ, କିନ୍ତୁ ସେ ଆକବରଙ୍କୁ ବାହା ହୋଇଥିବା ଫିଲ୍ମରେ କୁହା ଯାଇଛି। ପୁଣି ଫିଲ୍ମରେ ଅଛି ଯେ ଅମ୍ବର୍ର ରାଜା ଭାରମଲ୍ଲଙ୍କ ଝିଅ ହେଉଛନ୍ତି ଯୋଧା, ତାହା ମଧ୍ୟ ଇତିହାସ ଦୃଷ୍ଟିରୁ ଭୁଲ୍ ବୋଲି ରାଜପୁତ୍ ସଭା କହିଥିଲା। ଏହି କାରଣରୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାନା ଓ ଉତ୍ତରାଞ୍ଚଳରେ ଏହାର ପ୍ରଦର୍ଶନକୁ ବନ୍ଦ ହୋଇଥିଲା।
୨୦୦୫ ମସିହାରେ ‘ମଙ୍ଗଲ ପାଣ୍ଡେ: ଦି ରାଇଜିଂ’ ରିଲିଜ୍ ହେବା ପରେ ପରେ ମଙ୍ଗଲ ପାଣ୍ଡେଙ୍କ ବଂଶଧରମାନେ ହାଇକୋର୍ଟରେ ଏକ ମାମଲା ଦାୟର କରି ଅଭିଯୋଗ କରିଥିଲେ ଯେ ଏ ଫିଲ୍ମରେ ମଙ୍ଗଲ ପାଣ୍ଡେଙ୍କ ଚରିତ୍ରକୁ ବିକୃତ କରି ଦର୍ଶା ଯାଇଛି। ଫିଲ୍ମରେ ଜଣେ ନାଚବାଲୀ ସହିତ ମଙ୍ଗଲ ପାଣ୍ଡେଙ୍କର ପ୍ରେମ ସଂପର୍କର ଚିତ୍ର ଅଛି, ତାହା ଐତିହାସିକ ଦୃଷ୍ଟିରୁ ଭୁଲ୍ ବୋଲି ସେମାନେ କହିଥିଲେ। ଏ ଅଭିଯୋଗକାରୀଙ୍କୁ କିଛି ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଥିଲେ। ଭାରତୀୟ ଜନତା ପାର୍ଟି ଫିଲ୍ମଟିକୁ ନିଷେଧ କରିବାଲାଗି ଦାବି କରିଥିଲା। ତା’ ପଛକୁ ପଛ ସମାଜବାଦୀ ପାର୍ଟି ମଧ୍ୟ ସଂସଦରେ ସମାନ ଦାବି ଉଠାଇଥିଲା। ‘ମଙ୍ଗଲ ପାଣ୍ଡେ: ଦି ରାଇଜିଂ’କୁ ମଙ୍ଗଲ ପାଣ୍ଡେଙ୍କ ଜନ୍ମଭୂମି ବାଲିଆରେ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା।
୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘୨୩ ମାର୍ଚ୍ଚ ୧୯୩୧: ସହିଦ୍’ ଗୋଟେ ଭିନ୍ନ ଶୈଳୀର ବିରୋଧର ସମ୍ମୁଖୀନ ହୋଇଥିଲା। ଏହାକୁ ବିରୋଧ କରିଥିଲା ଭାରତୀୟ ଫିଲ୍ମ ସେନ୍ସର୍ ବୋର୍ଡ (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍)। ସହିଦ ଭଗତ ସିଂହଙ୍କୁ ଫାଶୀ ଦିଆ ଯିବା ପୂର୍ବର କିଛି ଦୃଶ୍ୟକୁ କାଟିବାଲାଗି ବୋର୍ଡ ପ୍ରଯୋଜକଙ୍କ ଉପରେ ଚାପ ପକାଇଥିଲା। ବୋର୍ଡର ଚେୟାର୍ମ୍ୟାନ ଗୋଟିଏ ବିଚିତ୍ର ଯୁକ୍ତି ବାଢ଼ିଥିଲେ, ‘‘ଭଗତ ସିଂହଙ୍କୁ ପ୍ରଶଂସା କରିବା ଲାଗି ଆମେ ଯେମିତି ଅନ୍ୟ ବଡ଼ ନେତାମାନଙ୍କର ନିନ୍ଦା କରିବାନି, ସେଥିପ୍ରତି ସତର୍କ ରହିବା ଉଚିତ।’’
ସେହି ଭଗତ ସିଂହଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଦି ଲିଜେଣ୍ଡ୍ ଅଫ୍ ଭଗତ୍ ସିଂହ’ (୨୦୦୨) ମଧ୍ୟ ସେହି ଇତିହାସ କାରଣରୁ ସମସ୍ୟାରେ ପଡ଼ିଥିଲା। ଭଗତ ସିଂହଙ୍କ ପରିବାରର ଲୋକେ ଅଭିଯୋଗ କରିଥିଲେ ଯେ ମାଲାଓ୍ଵାଲେଗାଓଁର ଜଣେ ଯୁବତୀ ସହିତ ଭଗତ ସିଂହଙ୍କର ନିର୍ବନ୍ଧ ହୋଇଥିଲା ବୋଲି ଫିଲ୍ମରେ କୁହା ଯାଇଛି, ଯାହା ସଂପୂର୍ଣ୍ଣ ମିଛ। ଫିଲ୍ମ ସେନ୍ସର୍ ବୋର୍ଡ ମଧ୍ୟ ଏ ଫିଲ୍ମରେ ଥିବା କିଛି ଅଂଶକୁ ବାଦ୍ ଦେଇଥିଲେ, ଯେଉଁଠି ଭଗତ ସିଂହଙ୍କ ସାଥୀମାନେ ମହାତ୍ମା ଗାନ୍ଧିଙ୍କୁ ‘‘ଆପଣ ମିଛ କହୁଛନ୍ତି’’ ଓ ‘‘ଇତିହାସ ଆପଣଙ୍କୁ କେବେ କ୍ଷମା କରିବନାହିଁ’’ ବୋଲି କହୁଥିବାର ଦୃଶ୍ୟ ଥିଲା।
ଭାରତୀୟ ଫିଲ୍ମ ନିର୍ମାତାମାନେ ଯେତେବେଳେ ଆମ ଇତିହାସକୁ ନେଇ ତିଆରି କରିଥିବା ପ୍ରାୟ ପ୍ରତିଟି ଫିଲ୍ମ ବିରୋଧର ସମ୍ମୁଖୀନ ହୋଇଛି, ଜଣେ ବିଦେଶୀ ତା’କୁ ନେଇ କେମିତି ବିନା ସମସ୍ୟାରେ ଫିଲ୍ମ ତିଆରି କରି ପାରିଥା’ନ୍ତେ! ହଁ, ଆମେ କହୁଛୁ, ଆଟେନ୍ବରୋଙ୍କ ଓସ୍କାର୍ ବିଜୟୀ ବିଶ୍ୱ ପ୍ରସିଦ୍ଧ ଫିଲ୍ମ ‘ଗାନ୍ଧି’ର କଥା। ଏ ଫିଲ୍ମଟି ତିଆରି ହେବ ବୋଲି ଘୋଷଣା କରାଯିବା ସମୟରୁ ହିଁ ବିବାଦ ଆରମ୍ଭ ହୋଇ ଯାଇଥିଲା। କେନ୍ଦ୍ର ସରକାର ଏହାକୁ ଆର୍ଥିକ ସାହାଯ୍ୟ ଦେବା ପ୍ରସଙ୍ଗକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ। ଫିଲ୍ମର ଖର୍ଚ୍ଚ ଓ ଦିଗକୁ ନେଇ ସଂସଦରେ ମଧ୍ୟ ଆଲୋଚନା ଓ ବିତର୍କ ହୋଇଥିଲା। ଫିଲ୍ମଟି ରିଲିଜ୍ ହେବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ଼ ସମର୍ଥକମାନେ ଅଭିଯୋଗ କରିଥିଲେ ଯେ ନେତାଜୀଙ୍କୁ ସେଥିରେ ନାମକୁ ମାତ୍ର ସ୍ଥାନ ଦିଆ ଯାଇଛି, ଯେମିତି ଭାରତର ସ୍ୱାଧୀନତାରେ ତାଙ୍କର କୌଣସି ଭୂମିକା ନାହିଁ! ଏପରିକି ଏ ଫିଲ୍ମଟିକୁ ନେଇ ଇଂରେଜମାନେ ମଧ୍ୟ ବିରକ୍ତ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଗାନ୍ଧିଙ୍କ ଉଦ୍ୟମ ଯୋଗୁ ଇଂରେଜମାନେ ଭାରତ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ ବୋଲି ‘ଗାନ୍ଧି’ରେ ଦର୍ଶା ଯାଇଛି, କିନ୍ତୁ ପ୍ରକୃତରେ ଇଂରେଜମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିଜ ଦେଶକୁ ସଜାଡ଼ିବାଲାଗି ହିଁ ଭାରତ ଛାଡ଼ିଥିଲେ! ମଜା କଥା ହେଉଛି, ପାକିସ୍ତାନୀମାନେ ମଧ୍ୟ ଏ ଫିଲ୍ମରେ ଜିନ୍ନାଙ୍କୁ ଯେମିତି ଓ ଯେତିକି ଦର୍ଶା ଯାଇଥିଲା, ତା’କୁ ନେଇ ଆଦୌ ସନ୍ତୁଷ୍ଟ ହୋଇ ପାରି ନ ଥିଲେ। ଫଳସ୍ୱରୂପ ସେମାନେ ଜିନ୍ନାଙ୍କୁ ନେଇ ସେମାନେ ମଧ୍ୟ ଏକ ଇଂରାଜି ଫିଲ୍ମ ତିଆରି କରିଥିଲେ, ଯେଉଁଥିରେ ଜିନ୍ନାଙ୍କୁ ଗାନ୍ଧିଜୀଙ୍କଠାରୁ ଅଧିକ ପ୍ରଭାବଶାଳୀ ନେତା ଭାବେ ବର୍ଣ୍ଣନା କରା ଯାଇଥିଲା। କିନ୍ତୁ ସେ ଫିଲ୍ମଟି ବିଶେଷ ଚର୍ଚ୍ଚାକୁ ଆସି ନ ଥିଲା; ଏବେ ତ ତା’କୁ କେହି ମନେ ମଧ୍ୟ ପକାଉ ନାହାନ୍ତି।
ଶ୍ୟାମ ବେନଗାଲ୍ଙ୍କ ଫିଲ୍ମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍- ଦି ଫର୍ଗଟନ୍ ହିରୋ’ (୨୦୦୪)ର ରିଲିଜ୍ ପୂର୍ବରୁ ହିଁ ତା’ ବିରୋଧରେ କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରା ଯାଇଥିଲା। ଏଥିରେ ପାଞ୍ଚଜଣ ଗବେଷକ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍- ଦି ଫର୍ଗଟନ୍ ହିରୋ’ରେ ଥିବା ‘ରୋମାଣ୍ଟିକ୍’ ଦୃଶ୍ୟଗୁଡ଼ିକର ବିରୋଧ କରିଥିଲେ। ଇତିହାସକୁ ଏହାଦ୍ୱାରା ବିକୃତ କରା ଯାଇଛି ଏବଂ ନେତାଜୀଙ୍କୁ ଅପମାନିତ କରା ଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୁଣି କିଛି ଲୋକ ଫିଲ୍ମର ଶୀର୍ଷକରେ ଥିବା ‘ଫର୍ଗଟନ୍ ହିରୋ’କୁ ମଧ୍ୟ ବିରୋଧ କରିଥିଲେ। ସେମାନେ କହିଥିଲେ, ନେତାଜୀଙ୍କୁ ଏ ଦେଶ ଆଜି ମଧ୍ୟ ମନେ ରଖିଛି, ତାଙ୍କୁ ‘ବିସ୍ମୃତ ନାୟକ’ କହିବା ତାଙ୍କ ପ୍ରତି ଏକ ବଡ଼ ଅପମାନ।
ଇତିହାସକୁ ନେଇ ତିଆରି ପ୍ରାୟ ସବୁ ଭାରତୀୟ ଫିଲ୍ମକୁ ନେଇ ଏମିତି ବିବାଦ ସୃଷ୍ଟି ହୋଇଛି। ବିଶେଷକରି ସ୍ୱାଧୀନତା ଆନ୍ଦୋଳନ ଓ ରାଜନୀତିର ନେତାମାନଙ୍କୁ ନେଇ ନିର୍ମିତ ଫିଲ୍ମ ସବୁ କୌଣସି ନା କୌଣସି ଗୋଷ୍ଠୀ ତରଫରୁ ବିରୋଧର ସମ୍ମୁଖୀନ ହୋଇଛି। ଏ ଲେଖାର ଶେଷ କରାଯାଉ ଆମ ଓଡ଼ିଶାର ଇତିହାସକୁ ନେଇ ତିଆରି କରା ଯାଇଥିବା ୨୦୦୧ ମସିହାର ଫିଲ୍ମ ‘ଅଶୋକ’ରେ।
ଶାହ୍ରୁଖ୍ ଖାଁ ଓ କରୀନା କପୁର୍ଙ୍କ ଅଭିନୀତ ‘ଅଶୋକ’ ସମ୍ରାଟ ଅଶୋକ ଓ କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଥିଲା। ଏଥିରେ କଳିଙ୍ଗର ଇତିହାସକୁ ତଥା ଲୋକମାନଙ୍କୁ ଠିକ୍ ଭାବେ ଉପସ୍ଥାପିତ କରା ଯାଇନାହିଁ ବୋଲି ଅନେକ ଲୋକ, ବିଶେଷକରି ଓଡ଼ିଆମାନେ ଅଭିଯୋଗ କରିଥିଲେ। ନିର୍ଦ୍ଦେଶକ ସନ୍ତୋଷ ଶିବନ୍ ଗୋଟିଏ ଫର୍ମୁଲା ଫିଲ୍ମ ଭଳି ସେଥିରେ ଇତିହାସକୁ ବିକୃତ କରିଛନ୍ତି ବୋଲି ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତିିବିଶେଷ (ଯଥା ବିଖ୍ୟାତ ଐତିହାସିକ ଡକ୍ଟର ମନ୍ମଥନାଥ ଦାସ) ତଥା ସଂଗଠନ ଅଭିଯୋଗ କରିଥିଲେ। ଓଡ଼ିଶାରେ ଫିଲ୍ମଟିର ପ୍ରଦର୍ଶନକୁ ନିଷେଧ କରିବାଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ମଧ୍ୟ ହୋଇଥିଲା।