‘ଲଭ୍‌ରାତ୍ରୀ’ ଚଳଚ୍ଚିତ୍ର ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସଲମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଲେ କୋର୍ଟ

ପାଟ୍‌ନା: ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ସଲମାନଙ୍କ  ହୋମ୍‌ ପ୍ରଡକ୍ସନ ଚଳଚ୍ଚିତ୍ର ‘ଲଭ୍‌ରାତ୍ରୀ’ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗରେ ବଲିଉଡ୍‌ ଅଭିନେତା ସଲମାନଙ୍କ ବିରୋଧରେ ବିହାରର ଏକ ଅଦାଲତ ବୁଧବାର ପୁଲିସରେ ଏଫଅାଇଅାର ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥିସହ ‘ଲଭ୍‌ରାତ୍ରୀ’ ଅଶ୍ଳୀଳତାର ପ୍ରଚାର କରୁଛି ବୋଲି ଅଭିଯୋଗ ହୋଇଛି।

ବୁଧବାର ସ୍ଥାନୀୟ ଓକିଲ ସୁଧୀର ଓଝା ଆଣିଥିବା ଏହି ଅଭିଯୋଗର ଶୁଣାଣି ମୁଜାଫର୍‌ପୁରର ଏସ୍‌ଡିଜେଏମ୍‌ କରିଛନ୍ତି। ସଲମାନ ଏବଂ ତାଙ୍କ ଭିଣୋଇ ଆୟୁଷ୍ମାନ ଖୁରାନଙ୍କ ବିରୋଧରେ ଏଫଅାଇଅାର ରୁଜୁ କରିବା ପାଇଁ କୋର୍ଟ ମିଥାନପୁର ପୁଲିସ୍‌ ଷ୍ଟେସନ୍‌କୁ ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ରଟିରେ ଅଭିନେତ୍ରୀ ଓ୍ଵାରିନା ହୁସେନଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ସଲମାନଙ୍କ ଭିଣୋଇ ଆୟୁଷ୍ମାନ।

ସଲମାନଙ୍କ ବିରୋଧରେ ଅଭିଯୋଗ ଆଣି ସେପ୍ଟେମ୍ବର ୬ ତାରିଖରେ ଓକିଲ ଓଝା ଉଲ୍ଲେଖ କରିଥିଲେ କି ‘ଲଭ୍‌ରାତ୍ରୀ’ ଶୀର୍ଷକଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରୁଛି। ହିନ୍ଦୁମାନଙ୍କ ‘ନବରାତ୍ରୀ’ ହେଉଛି ଏକ ବିରାଟ ପର୍ବ। ଏପରି ପର୍ବ ସହ ସାମଞ୍ଜସ୍ୟ ରଖି ଶୀର୍ଷକ କରି ସେହି ଚଳଚ୍ଚିତ୍ରରେ ଅଶାଳୀନ ଦୃଶ୍ୟ ପ୍ରଦର୍ଶନ କରିବା ସମଗ୍ର ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଅପମାନ।

ଅକ୍ଟୋବର ୫ ତାରିଖରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି ମାଆ ଦୁର୍ଗାଙ୍କୁ ତାତ୍ସଲ୍ୟ କରୁଛି ବୋଲି ଓକିଲ ଓଝା ମତ ରଖିଛନ୍ତି।

ସମ୍ବନ୍ଧିତ ଖବର