ନିଶାଗ୍ରସ୍ତ ହୋଇ ଚଳାଉଥିଲେ ଗାଡ଼ି: ଧରାପଡ଼ି ଗିରଫ ହେଲେ ବଲିଉଡ୍‌ ଅଭିନେତା ଦଲିପ୍‌ ତାହିଲ

ମୁମ୍ବାଇ : ଲୋକପ୍ରିୟ ବଲିଉଡ୍‌ ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ରବିବାର ସେ ମଦ ପିଇ ଗାଡ଼ି ଚଳାଇବା ସହ ଏକ ଅଟୋକୁ ପଛପଟୁ ଧକ୍କା ଦେଇଥିଲେ । ଏହା ଦ୍ୱାରା ଅଟୋରେ ବସିଥିବା ଜେନିତା ଗାନ୍ଧି ଏବଂ ଗୌରବ ଚୁଗ୍‌ ଆହତ ହୋଇ ଏବେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଘଟଣାଟି ରବିବାର ମୁମ୍ବାଇର ଖାର୍‌ରେ ଥିବା ସିଡ଼ି ରୋଡ଼୍‍ରେ ରାତି ୯ଟାରେ ଘଟିଥିବା ବେଳେ ଅଭିନେତାଙ୍କୁ ପୁଲିସ ଗିରଫ କରଥିବା ଜଣାପଡ଼ିିଛି ।

bollywoodbubble.com

ସୂଚନା ମୁତାବକ, ଦୁର୍ଘଟଣା ଘଟାଇବା ପରେ ଦଲିପ୍‌ ଖସି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଟୋରେ ବସିଥିବା ଗୌରଭ କାର୍‌ଟି ସାଣ୍ଟାକ୍ରୁଜ୍‌ ଆଡ଼କୁ ଯାଉଥିବାର ଦେଖି କାର୍‌ର ପିଛା କରିଥିଲେ । କିଛି ବାଟ ଯିବା ପରେ ସେ କାର୍‌କୁ ଅଟକାଇବାରେ ସଫଳ ହୋଇଥିଲେ । କାର୍‌ରେ ବସିଥିବା ଚାଳକକୁ ବାହାରକୁ ଆସିବା ପାଇଁ କହିବା ପରେ ଚାଳକ ଜଣଙ୍କ ଅଭିନେତା ଦଲିପ୍‌ ବୋଲି ଜଣା ପଡ଼ିଥିଲା । ଏହା ପରେ ଦଲିପ୍‌ ଜେନିତା ଏବଂ ଗୌରବଙ୍କ ସହ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲେ । ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହେଉଥିବା ଦେଖି ପୁଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ଖାର୍‌ ପୁଲିସ ଷ୍ଟେସନ ନେଇଥିଲେ । ପରେ ୩ ଜଣଙ୍କର ମେଡ଼ିକାଲ ଚେକ୍‌ଅପ୍‌ ହେବା ପରେ ଦଲିପ୍‌ ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଉଥିବା ସାମ୍ନାକୁ ଆସିଥିଲା । ଏହା ସହ ଜେନିତାଙ୍କୁ ଗଭୀର ଆଘାତ ଲାଗିଥିବାରୁ ପୁଲିସ  ଦଲିପ୍‌ଙ୍କୁ ଗିରଫ କରିଥିଲା । ଗିରଫ ହେବାର କିଛି ସମୟ ପରେ ଏବେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର