‘ଦଙ୍ଗଲ୍‌’ ଗାର୍ଲ ସାନ୍ୟାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ୍‌

ମୁମ୍ବାଇ: ପ୍ରଥମ ଥର ପାଇଁ ଦଙ୍ଗଲ ଫିଲ୍ମ ମାଧ୍ୟମରେ ବଲିଉଡ଼ରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ସାନ୍ୟା ଏବେ ପୁଣି ବଧାଇ ଦେବାକୁ ଆସୁଛନ୍ତି । ଆପଣ ଭାବୁଥିବେ ସେ କାହାକୁ ବଧାଇ ଦେବେ । ତେବେ ୨୦୧୮ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ବଧାଇ ହୋ’ରେ ତାଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ । ଏଥିରେ ସେ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି । କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ବରେଲିକି ବର୍ଫି’ ଏବଂ ‘ଶୁଭ୍‌ ମଙ୍ଗଲ ସାବଧାନ’ର ସଫଳତା ପାଇଁ ଆୟୁଷ୍ମାନ୍‌’ ଏବେ ଚର୍ଚ୍ଚରେ ଅଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ଅମିତ୍‌ ଶର୍ମା, ଯିଏକି ଫିଲ୍ମ ‘ତେଓ୍ଵର’ ଜରିଆରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । “ଫିଲ୍ମକୁ ନେଇ ମୁଁ ବହୁତ ଆଶା ରଖିଛି । ମୁଁ ଭାବୁଛି ଫିଲ୍ମଟି ଦେଖିବା ପରେ ସମସ୍ତେ ମତେ ବଧାଇ ହୋ ନିଶ୍ଚୟ କହିବେ” ବୋଲି କହିଛନ୍ତି ନିର୍ଦ୍ଦେଶକ ଅମିତ୍‌ ଶର୍ମା ।

ଅନ୍ୟପକ୍ଷରେ ଆୟୁଷ୍ମାନ କହିଛନ୍ତି, “ମୁଁ ପ୍ରଯୋଜନା ସଂସ୍ଥା ଜଙ୍ଗଲ ପିକ୍‌ଚର ସହ ବରେଲିକି ବର୍ଫିରେ କାମ କରିଥିଲି । ପୁଣି ଥରେ ସେମାନଙ୍କ ସହ କାମ କରିବା ମୋ ପାଇଁ ଖୁସିର କଥା।” ‘ବଧାଇ ହୋ’ର କେ-ପ୍ରଡ୍ୟୁସର ପ୍ରୀତି କହନ୍ତି, “ଆୟୁଷଙ୍କ ସହ କରିଥିବା ବରେଲି କି ବର୍ଫିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ପୁଣି ଥରେ ବଧାଇ ହୋରେ ତାଙ୍କ ସହ କାମ କରିବାକୁ ଯାଉଛୁ। ଆଶା କରୁଛି ଏହା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ଖୁସି କରିବ।”

ଏ ସଂପର୍କରେ ସାନ୍ୟାଙ୍କ ମତ ମିଳି ପାରି ନାହିଁ । ଦଙ୍ଗଲରେ ତାଙ୍କର ଚମତ୍କାର ଅଭିନୟ ଦେଖିବା ପରେ ଦର୍ଶକ ସାନ୍ୟାଙ୍କୁ ପୁଣି ଥରେ ପରଦା ଉପରେ ନିହାତି ଭାବରେ ଦେଖିବାକୁ ଚାହୁଁଥିବେ ।

ସମ୍ବନ୍ଧିତ ଖବର