ଦୀପିକା ପାଦୁକୋନଙ୍କୁ ଜୀବନ୍ତ ଦଗ୍ଧ କରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା

ମୁମ୍ବାଇ:ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପରେ ବିଭିନ୍ନ ସଂଗଠନର ରାଗ କମିବାର ନାମ ନେଉ ନାହିଁ। ଏବେ ପୁଣି ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର ଯୁବଶାଖାର ବିଶିଷ୍ଟ ନେତା ଭୁବନେଶ୍ୱର ସିଂହ ଘୋଷଣା କରିଛନ୍ତି ଯେ ଯିଏ ଦୀପିକା ପାଦୁକୋନଙ୍କୁ ଜୀବନ୍ତ ଦଗ୍ଧ କରିବ ତାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଯେଉଁ ରାଜପୁତ ରାଣୀ ଦେଶ ପାଇଁ ସତୀ ହୋଇ ନିଜେ ନିଆଁରେ ଝାସ ଦେଇଥିଲେ ତାଙ୍କର ଯନ୍ତ୍ରଣା ଅନୁଭବ କରନ୍ତୁ ଦୀପିକା ବୋଲି ସେ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ‘ପଦ୍ମାବତୀ’କୁ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭାର କର୍ମକର୍ତ୍ତାଙ୍କୁ ରିଲିଜ୍‌ ଆଗରୁ ଦେଖାଇବାକୁ ବି ସେ ଦାବି କରିଛନ୍ତି। ଗତକାଲି ହରିଆନାର ଭା ଜ ପା ମିଡିଆ ସଂଯୋଜକ ମଧ୍ୟ ଅନୁରୂପ ଘୋଷଣା କରି କହିଥିଲେ ଯେ ଯେ କେହି ନିର୍ମାତା -ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟ କରିବ ତାକୁ ୧୦ କୋଟି ଅର୍ଥ ରାଶି ଦିଆଯିବ ।

ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଦୀପିକାଙ୍କ ବିପକ୍ଷରେ ।
ପୂର୍ବରୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ‘ ପଦ୍ମାବତୀ’ ଭୂମିକା ରେ ଥିବା ଦୀପିକା ପାଦୁକୋନ୍‌ଙ୍କୁ ଧମକ ଦିଆଯାଇଛି । ଏହି ସଂଗଠନ ପକ୍ଷରୁ ଉକ୍ତ ସିନେମାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ଦୀପିକାଙ୍କୁ ସୁର୍ପଣଖାଙ୍କ ଭଳି ନାକ କାଟି ଦିଆଯିବାର ଧମକ ଦିଆଯିବା ପରେ ମୁମ୍ବାଇରେ ଥିବା ଦୀପିକା ପାଦୁକୋନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । କରଣୀ ସେନା ମହିପାଲ ସିଂହ ମକରନା କହିଛନ୍ତି ଯେ ଯଦି ‘ ପଦ୍ମାବତୀ’ ର ରିଲିଜ୍‌ ଉପରେ ରୋକ୍‌ ଲଗା ନ ଯାଏ ଏବଂ ଦୀପିକା ନିଜର ଅଶାଳୀନ ଟିପ୍ପଣୀ ପାଇଁ କ୍ଷମା ନ ମାଗନ୍ତି, ତେବେ ରାମାୟଣରେ ବର୍ଣ୍ଣିତ ସୁର୍ପଣଖାାଙ୍କ ଭଳି ତାଙ୍କର ବି ନାକ କଟାଯିବ । ଉତ୍ତର ପ୍ରଦେଶର କ୍ଷତ୍ରିୟ ସମାଜ ପକ୍ଷରୁ ପଦ୍ମାବତୀ’ ର ନିର୍ଦ୍ଦେଶକ ସଂଜୟ ଭଂସାଲୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଙ୍କ ଯିଏ ମୁଣ୍ଡ କାଟ କରିବ, ତାକୁ ୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍‌ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍‌ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଛନ୍ତି ।
ଖାଲି ସେତିକି ନୁହେଁ ସର୍ବ ବ୍ରାହ୍ମଣ ମହାସଭା ‘ ପଦ୍ମାବତୀ’ ବିରୁଦ୍ଧରେ ଆନ୍ଦୋଳନର ପ୍ରତୀକ ଭାବେ ଏକ ରକ୍ତ ଲେଖା ଚିଠି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପାଖକୁ ପଠାଇଥିବା ମଧ୍ୟ ଜଣାଯାଇଛି ।

ସମ୍ବନ୍ଧିତ ଖବର