ଜାଣନ୍ତୁ କାହିଁକି ଦିଲୀପ କୁମାରଙ୍କ ସହ ମଧୁବାଲାଙ୍କ ପ୍ରେମ ଅସଫଳ ହୋଇଥିଲା ?

ଆଜି ହେଉଛି ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କର ୯୫ତମ ଜନ୍ମଦିନ। ସେ ୧୯୨୨ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ। ଏହି ଅବସରରେ ଆସନ୍ତୁ ମନେ ପକାଇବା ଲୋକପ୍ରିୟ ନାୟିକା ମଧୁବାଲାଙ୍କ ସହ ଦିଲୀପ କୁମାରଙ୍କ ଅସଫଳ ପ୍ରେମ କାହାଣୀ।

ଟ୍ରଜେଡ଼ି କିଙ୍ଗ୍‌ ଦିଲ୍ଲୀପ୍‌ କୁମାର୍‌ ଓ ଗ୍ଳାମରସ୍‌ ମଧୁବାଲା ଏକାଠି ପ୍ରଥମେ ‘ଜ୍ୱାର ଭଟ୍ଟା’ରେ ପରେ କାମ କରିବାର ଥିଲା ମାତ୍ର ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ ମଧୁବାଲା।ତେବେ ଦିଲୀପ କୁମାରଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଯୋଡ଼ି ହେବା ବିଧିନିର୍ଦ୍ଦିଷ୍ଟ ଥିଲା,ଯାହା ପରେ ଘଟିଥିଲା।‘ତରାନା’ ଫିଲ୍ମ୍ମରେ କାମ କରିବାର ସୁଯୋଗ ପାଇଥିଲେ ଏହି ଯୋଡି।ଏହାର ସୁଟିଂର ପ୍ରଥମ ଦିନ ହିଁ ମଧୁବାଲା ଦିଲୀପ କୁମାରଙ୍କୁ ଭଲ ପାଇ ବସିଥିଲେ।ସୁଟିଂ ଯେମିତି ଆଗକୁ ବଢ଼ିବାକୁ ଲାଗିଲା,ସେମିତି ମଧୁବାଲାଙ୍କ ପ୍ରେମ ଗଭୀର ହେବାରେ ଲାଗିଲା।ତାଙ୍କୁ ଅନୁଭବ ହେଲା ଯେ ସେ ଦିଲ୍ଲୀପ୍‌ଙ୍କ ବିନା ବଞ୍ଚିପାରିବେନି।ହେଲେ ଟ୍ରଜେଡ଼ି କିଙ୍ଗ୍‌ଦିଲୀପ୍‌ କୁମାର ତାଙ୍କୁ ଭଲପାଉଛନ୍ତି କି ନାହିଁ ,ତା’ବି ଜାଣିବା ଜରୁରୀ ଥିଲା।

photo-indianexpress.com

ଏଣୁ ସେ ନିଜର ଡ୍ରେସ୍‌ ଡ଼ିଜାଇନର୍‌ଙ୍କୁ ଗୋଟିଏ ଗୋଲାପ ଫୁଲ ଓ ଗୋଟିଏ ଚିଠି ଦେଇ ଦିଲୀପ୍‌ କୁମାରଙ୍କ ପାଖକୁ ସନ୍ଦେଶ ଦେଇଥିଲେ ଯେ,ଯଦି ପ୍ରକୃତରେ୍ ଦିଲୀପ୍‌ କୁମାର ତାଙ୍କୁ ଭଲ ପାଉଥିବେ,ତେବେ ଏ ଚିଠି ଏବଂ ଗୋଲାପ ତାଙ୍କ ପାଖରେ ରଖିବେ।ଦିଲୀପ୍‌ କୁମାର ଗୋଲାପ ଓ ଚିଠିକୁ ରଖି ମଧୁବାଲାଙ୍କ ଅନୁରୂପ ସନ୍ଦେଶ ପ୍ରେରଣ କରିଥିଲେ କି ସେ ବି ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ମଧୁବାଲାଙ୍କୁ ଭଲପାଆନ୍ତି ଆଉ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି।ଏହାପରେ ଦିଲୀପ୍‌ କୁମାର – ମଧୁବାଲାଙ୍କ ପ୍ରେମର ଆରମ୍ଭ ହୋଇଥିଲା।
ଦିନେ ଏଦୁହିଁଙ୍କ ପ୍ରେମ କାହାଣୀ ମଧୁବାଲାଙ୍କ ବାପା ଆତାଉଲ୍ଲା ଖାନ୍‌ଙ୍କ କାନରେ ପଡ଼ିଲା। ସେ ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଲେ।କାରଣ ଝିଅକୁ ପ୍ରେମ ବ୍ୟାପାରରୁ ଦୂରେଇବାକୁ ସେ ଚାହୁଁଥିଲେ।ସେହି ସମୟରେ ବି.ଆର୍‌.ଚୋପ୍ରାଙ୍କ ଫିଲ୍ମ ‘ନୟା ଦୌର୍‌’ପାଇଁ ଦିଲ୍ଲୀପ୍‌ ଓ ମଧୁବାଲା ଏକାଠି ଚୁକ୍ତବଦ୍ଧ ହୋଇଥିଲେ। ଫିଲ୍ମର ସୁଟିଂ ବମ୍ବେରେ କରାଯିବା ପାଇଁ ଠିକ୍‌ ହୋଇଥିଲା,ମାତ୍ର ପରେ ଚୋପ୍ରା ସାହେବ୍‌ ଭୋପାଳରେ ସୁଟିଂ କରିବାକୁ ଯୋଜନା କରିଲେ।ଆତାଉଲ୍ଲା ଖାନ୍‌ ଏକଥା ଜାଣିବା ପରେ ବି.ଆର୍‌.ଚୋପ୍ରାଙ୍କୁ ବମ୍ବେରେ ହିଁ ସୁଟିଂ କରିବାକୁ ଅନୁରୋଧ କଲେ,କାରଣ ସେ ଝିଅକୁ ବମ୍ବେ ବାହାରକୁ ଛାଡ଼ିବାକୁ ଚାହୁଁନଥିଲେ।ଭୋପାଳରେ ସୁଟିଂ ହେଲେ ଦିଲ୍ଲୀପ୍‌ ଓ ମଧୁବାଲା ପୁଣି ପ୍ରେମରେ ମଜ୍ଜିଯିବେ ବୋଲି ସେ ଆଶଙ୍କା କରୁଥିଲେ। ଆତାଉଲ୍ଲାଙ୍କ ଅନୁରୋଧକୁ ଏଡ଼ାଇ ଦେଇ ବି.ଆର୍‌.ଚୋପ୍ରା ମଧୁବାଲାଙ୍କ ସ୍ଥାନରେ ବୈଜୟନ୍ତୀ ମାଲାଙ୍କୁ ନେଇ ଭୋପାଳରେ ଫିଲ୍ମର ସୁଟିଂ କରିଲେ।ଏଥିରେ ଉତ୍‌କ୍ଷିପ୍ତ ହୋଇ ଆତାଉଲ୍ଲା ଖାନ୍‌ ବି.ଆର୍‌.ଚୋପ୍ରାଙ୍କ ବିରୋଧରେ ଚୁକ୍ତିଭଙ୍ଗ ଅଭିଯୋଗ ଆଣି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ସେ ଝିଅ ମଧୁବାଲାଙ୍କୁ ଦିଲୀପ୍‌ କୁମାର ଙ୍କ ସହିତ ଅନ୍ୟ କୌଣସି ଫିଲ୍ମରେ କାମ କରିବାକୁ ସୁଯୋଗ ଦେଇନଥିଲେ। ଯେଉଁ ପ୍ରଯୋଜକ ଦିଲୀପ୍‌ କୁମାରଙ୍କ ବିପକ୍ଷରେ ମଧୁବାଲାଙ୍କୁ ଚୁକ୍ତିବଦ୍ଧ କରିବାର ପ୍ରସ୍ତାବ ନେଇ ଆସିଲେ ,ସମସ୍ତଙ୍କୁ ନିରାଶ କରିଥିଲେ ଆତାଉଲ୍ଲା। ଏହି ଘଟଣା ମଧୁବାଲାଙ୍କ ପାଇଁ ଶକ୍ତ ଧକ୍‌କା ଥିଲା ଏବଂ ସେ ପ୍ରେମୀର ବିଚ୍ଛେଦରେ ରୋଗଗ୍ରସ୍ତ ବି ହୋଇପଡ଼ିଥିଲେ,ଏହାପରେ ଏହି ଯୋଡ଼ିର ରିଲ୍‌ ଓ ରିଅଲ୍‌ ରୋମାନ୍‌ସର ଇତିବୃତ୍ତି ଘଟିଥିଲା।

ସମ୍ବନ୍ଧିତ ଖବର