୯୭ ବର୍ଷରେ ପାଦ ରଖିଲେ ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ୯୭ବର୍ଷ ବୟସରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ଏହି ବର୍ଷିଆନ ଅଭିନେତାଙ୍କୁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛା । ଦିଲ୍ଲୀପଙ୍କ ଦୀର୍ଘଆୟୁ କାମନା କରିଛନ୍ତି ସେଲିବ୍ରେଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକ । ୪୦ ରୁ ୯୦ ଦଶକ ଧରି ଅନେକ ସିନେମାରେ ସେ ଅଭିନୟର ଯାଦୁ ଦେଖାଇଥିଲେ । ତେବେ ତାଙ୍କ ପାଇଁ ସବୁଠୁ ଅଧିକ ସଫଳ ଥିଲା ୬୦ ଓ ୭୦ ଦଶକ । ହିନ୍ଦୀ ସିନେ ଦୁନିଆର ଲୋକପ୍ରିୟ ଅଭିନେତା ଭାବେ ଜଣାଯାଉଥିଲେ ଦିଲ୍ଲୀପ ।

ମୁଗଲ ଏ ଆଜମ,ଗଙ୍ଗାଯମୁନା, ରାମ ଔର ଶ୍ୟାମ ଭଳି ଏକାଧିକ ହିଟ ସିନେମାର ସେ ଭେଟିଦେଇଛନ୍ତିି । ଫିଲ୍ମ କ୍ୟାରିୟର ଯେଭଳି ଚର୍ଚ୍ଚିତ ହୋଇଥିଲା ସେହିଭଳି ଖବରରେ ରହିଥିଲା ତାଙ୍କ ବ୍ୟକ୍ତିଗତ ଜୀବନ । ଅଭିନେତ୍ରୀ ମଧୁବାଲାଙ୍କ ସହ ପ୍ରେମ ସମ୍ପର୍କ ହେଉ ଅଥବା ନିଜଠାରୁ ୨୨ବର୍ଷ କମ ବୟସର ନାୟିକା ସାଇରାବାନୁଙ୍କ ସହ ବିବାହ, ସବୁବେଳେ ଦିଲ୍ଲୀପ ଖବରରେ ରହିଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ୨୦୦୧ ପରେ କ୍ୟାମେରା ସାମ୍ନାରୁ ଦୂରେଇ ଯାଇଥିଲେ ।

ଅନେକ ବାର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଖବର ପ୍ରଶଂସକଙ୍କୁ ବିଚଳିତ ମଧ୍ୟ କରିଛି । ତେବେ ଇଶ୍ୱରଙ୍କ ଆର୍ଶୀବାଦ ଓ ପ୍ରଶଂସକଙ୍କ ଭଲ ପାଇବା ଦିଲ୍ଲୀପକୁ ଆରୋଗ୍ୟ କରିବାରେ ସଫଳ ହୋଇଛି । ୧୯୨୨ ମସିହା ଡିସେମ୍ବର ୧୧ରେ ପେଶାୱରରେ ସେ ଜନ୍ମଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର