ରଣବୀରଙ୍କ ସଂପର୍କରେ କ’ଣ କହନ୍ତି ନିର୍ଦ୍ଦେଶକ ?

ଆଜି ରଣବୀର କପୁରଙ୍କ ଜନ୍ମଦିନ ।ରଣବୀର କପୁର ଜଣେ ଷ୍ଟାର୍‌ ନୁହେଁ ବରଂ ଆକ୍ଟର ଭାବେ ନିଜକୁ ପ୍ରମାଣିତ କରିସାରିଲେଣି । ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲିଙ୍କ ‘ସାଓ୍ଵାରିଆ’ ମାଧ୍ୟମରେ ବଲିଉଡରେ ଆକ୍ଟର୍‌ ଭାବେ ଏଣ୍ଟ୍ରି ଦେଇ ପରେ ଅନେକ ନୂଆ ଓ ପୁରୁଣା ମାତ୍ର ଦକ୍ଷ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ରଣବୀର । ଆସନ୍ତୁ ଜାଣିବା ଏହି ନିର୍ଦ୍ଦେଶକମାନେ ରଣବୀରଙ୍କ ସଂପର୍କରେ କ’ଣ କହୁଛନ୍ତି….

ସଂଜୟଲୀଳା ଭଁସାଲୀ-ରଣବୀର ମୋତେ ‘ ବ୍ଲାକ୍‌ ’ ଓ ‘ ସାଓ୍ଵାରିୟା’ ରେ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ମୁଁ ଜାଣିଛି ଦିନେ ନା ଦିନେ ସେ ଜଣେ ଭଲ ନିର୍ଦ୍ଦେଶକ ହେବେ । ତାଙ୍କର ପ୍ଲସ୍‌ ପଏଣ୍ଟ୍‌ ହେଲା ସେ ନିଜର ଅଭିନୟକୁ ନିର୍ଦ୍ଦେଶକୀୟ ଢଙ୍ଗରେ ପେଶ୍‌ କରିପାରନ୍ତି ।

ରାଜକୁମାର ସନ୍ତୋଷୀ- ମୁଁ ‘ ଅଜବ ପ୍ରେମ୍‌ କୀ ଗଜବ୍‌ କାହାନୀ’ରେ ଯେତେବେଳେ ରଣବୀର କପୁରଙ୍କୁ କାଷ୍ଟ୍‍ କରିଥିଲି, ସେତେବେଳେ ତାଙ୍କର କେବଳ ଗୋଟିଏ ସିନେମା ‘ ସାଓ୍ଵାରିୟା’ ରିଲିଜ୍‌ ହୋଇଥିଲା । ରଣବୀରଙ୍କ ଭିତରେ ଜଣେ କମିକ୍‌ ଆକ୍ଟର୍‌ର ରୂପ ମୁଁ ଦେଖିଥିଲି । ଏଣୁ ଏହି ସିନେମାରେ ତାଙ୍କୁ ନେଇଥିଲି । ପ୍ରତ୍ୟେକ ସଟ୍‌ରେ ତାଙ୍କର ଟାଇମିଂ ଖୁବ୍‌ ଭଲ । ସେ ‘ ଅଜବ୍‌ ପ୍ରେମ୍‌କୀ ଗଜବ୍‌ କାହାନୀ’ର ସିକ୍ୱେଲ୍‌ ତିଆରି କରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ, ମାତ୍ର ମୁଁ ଚାହୁଁଛି ପୁଣି ଯେବେ ବି ତାଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ କରିବି, ତାହା ଏକ ଫ୍ରେଶ୍‌ ସିନେମା ହେବ ।

ଇମତିଆଜ୍‌ ଅଲ୍ଲି: ‘ରକ୍‌ଷ୍ଟାର୍‌’ ଏବଂ ‘ତମାଶା’ ପରେ ରଣବୀରଙ୍କ ଷ୍ଟାଟସ୍‌ ବଢିଯାଇଛି । ଆକ୍ଟର ଭାବେ ସେ ଅଧିକ ମ୍ୟାଚୁଅରଡ୍‌ ହୋଇଯାଇଛନ୍ତି । ମୁଁ ଏବେ ତାଙ୍କୁ ଆଖି ଆଗରେ ପୁଣି ଏକ ଫିଲ୍ମର ସ୍କ୍ରିପ୍ଟ ଲେଖୁଛି । ସେ ମଧ୍ୟ ଏହାର ସ୍କ୍ରିପ୍ଟ ଶୁଣିବା ପରେ ଖୁବ୍‌ ଉତ୍ସାହିତ ହେବେ। ରଣବୀର କପୁର ଯେକୌଣସି ପ୍ରକାରର ଭୂମିକାକୁ ସହଜରେ ନିଭାଇ ପାରିବେ ବୋଲି ମୋର ଦୃଢବିଶ୍ୱାସ ।

ପ୍ରକାଶ ଝା – ମୁଁ ଏଯାବତ୍‌ ଅନେକ ଷ୍ଟାର୍‌ ଓ ଆକ୍ଟରଙ୍କ ସହିତ କାମ କରିଛି । କିନ୍ତୁ ଖୁବ୍‌ କମ୍‌ କଳାକାରଙ୍କୁ ଦେଖିିଛି, ଯେଉଁମାନେ ସବୁବେଳେ କିଛି ନା କିଛି ଶିଖିବାର ମନୋବୃତ୍ତି ରଖିଥାଆନ୍ତି । ରଣବୀର ହେଉଛନ୍ତି ଏମିତି ଜଣେ ଅଭିନେତା, ଯିଏକି ପ୍ରତ୍ୟେକଟି ସଟ୍‌ ପୂର୍ବରୁ ଶିଖିବାର ମନୋବୃତ୍ତି ନେଇ ମତେ ସେ ବିଷୟରେ ପଚାରିଥାଆନ୍ତି । ‘ ରାଜନୀତି’ରେ ତାଙ୍କ ସହ କାମ କରିବାର ଅଭିଜ୍ଞତା ଖୁବ୍‌ ଭଲ ।

ଅୟାନ୍‌ ମୁଖାର୍ଜୀ- ‘ଓ୍ଵକ୍‌ ଅପ୍‌ ସିଡ୍‌’ ସମୟରେ ମୁଁ ତାଙ୍କଠାରେ ଯେଉଁ ଦକ୍ଷତା ଦେଖିଥିଲି, ‘ୟେ ଜଓ୍ଵାନ ହେ ଦିଓ୍ଵାନୀ’ ବେଳେ ତା’ଠୁଁ ଅଧିକ ଦକ୍ଷତା ଦେଖିଛି ତାଙ୍କ ଠାରେ । ସେ ମୋର ଜଣେ ଭଲ ବନ୍ଧୁ । ମୁଁ ବନ୍ଧୁ ହିସାବରେ କହୁନି, ବରଂ ଜଣେ ନିର୍ଦ୍ଦେଶକ ଭାବେ ଜୋର୍‌ ଦେଇ କହିବି ଯେ ରଣବୀର କପୁର ବଲିଉଡର ଜଣେ ଫାଇନ୍‌ ଆକ୍ଟର୍‌ ।

ଅନୁରାଗ ବାସୁ- ମୁଁ ଯେତେବେଳେ ‘ବାର୍ଫି’ ର କାମ ଆରମ୍ଭ କଲି, ସେତେବେଳେ ମୋ’ ସାମ୍ନାରେ କେବଳ ରଣବୀର ହିଁ ଥିଲେ । ମୁଁ ତାଙ୍କୁ ସ୍କ୍ରିପ୍ଟ ଶୁଣାଇବା ପରେ ମାତ୍ର ପାଞ୍ଚ ମିନିଟ୍‌ ଭିତରେ ସେ ରାଜି ହୋଇଯାଇଥିଲେ । ରଣବୀର ନିର୍ଦ୍ଦେଶକଙ୍କ ଭାଷାକୁ ସହଜରେ ବୁଝିପାରନ୍ତି । ମୋ’ ମତରେ ସେ ଜଣେ ଡାଇରେକ୍ଟରସ୍‌ ଆକ୍ଟର୍‌ । ପୁଣି ତାଙ୍କୁ ନେଇ ଆଉ ଏକ ସିନେମା ‘ଜଗ୍ଗା ଜାସୁସ୍‌’ର ବି ତିଆରି କରିଛି। ।

ସମ୍ବନ୍ଧିତ ଖବର