ଭାଇରାଲ ହେବାରେ ଲାଗିଛି ପ୍ରିୟଙ୍କା ଚୋପ୍ରାଙ୍କ ଏହି ଭିଡ଼ିଓ, ମିଡ଼ିଆ ଆଗରେ ପ୍ରଶଂସକଙ୍କ ଭଳି ଅଭିନୟ କରିବାକୁ ଲୋକଙ୍କୁ ଟଙ୍କା ଦେଉଥିବା ନେଇ ଚର୍ଚ୍ଚା 

ମୁମ୍ବାଇ : ଫିଲ୍ମ ଷ୍ଟାରଙ୍କ ଆଖପାଖରେ ସବୁବେଳେ ତାଙ୍କ ପ୍ରଶଂସକମାନଙ୍କର ଭିଡ଼ ଲାଗି ରହିଥାଏ । ବିମାନବନ୍ଦର ହେଉ ବା କୌଣସି ଇଭେଣ୍ଟ ସବୁ ସ୍ଥାନରେ ନିଜ ମନ ପସନ୍ଦର କଳାକାରଙ୍କୁ ଭେଟିବା ପାଇଁ ପହଞ୍ଚି ଯାଇଥାନ୍ତି ସେମାନଙ୍କ ପ୍ରଶଂସକ । ପ୍ରିୟଙ୍କାଙ୍କ ଭଳି ଇଣ୍ଟରନ୍ୟାସନାଲ ଷ୍ଟାରଙ୍କର କେତେ ପ୍ରଶଂସକ ରହିଥିବେ ତାହା ଆପଣମାନେ ଜାଣିଥିବେ ନିଶ୍ଚୟ । ତେବେ ନିଜ କ୍ୟାରିୟରରେ ଏତେ ସଫଳ ହେବା ପରେ ପ୍ରିୟଙ୍କା ଲୋକମାନଙ୍କୁ ଟଙ୍କା ଦେଇ ଅନେକ ସ୍ଥାନରେ ତାଙ୍କର ପ୍ରଶଂସକଙ୍କ ଭଳି ବ୍ୟବହାର କରିବା ପାଇଁ କହୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋସିଆଲ ମିଡ଼ିଆରେ ଏବେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ବିମାନବନ୍ଦରରୁ ବାହାରୁଥିବା ଦେଖାଯାଇଛି । ଏହି ଭିଡ଼ିଓରେ ଦୁଇଜଣ ଲୋକ ତାଙ୍କର ପ୍ରଶଂସକ ହେବାର ନାଟକ କରୁଥିବାର ଦେଖାଯାଇଛି । ବିମାନବନ୍ଦରରୁ ବାହାରୁଥିବା ବେଳେ ଜଣେ ପୁରୁଷ ଏବଂ ଜଣେ ମହିଳା ତାଙ୍କ ଅଟୋଗ୍ରାଫ୍‌ ନେବା ପରେ ମୁଖ୍ୟଦ୍ୱାର ଆଡ଼କୁ ଦୌଡ଼ି ଯାଉଥିବାର ଦେଖାଯାଉଛି । ପ୍ରିୟଙ୍କା ମୁଖ୍ୟ ଦ୍ୱାରରେ ପହଞ୍ଚିବା ପରେ ପୁଣି ସେହି ପୁରୁଷ ଏବଂ ମହିଳା ତାଙ୍କର ଅଟୋଗ୍ରାଫ୍‌ ନେଉଥିବାର ଦେଖାଯାଉଛି । ଏହି ଦୃଶ୍ୟ ଦେଖି ପ୍ରିୟଙ୍କା ସବୁବେଳେ ଏଭଳି ନକଲି ଫ୍ୟାନ୍‌ କିଣୁଥିବା ଅଭିଯୋଗ ହୋଇଛି । ଟ୍ଵିଟରରେ ଏହି ଭିଡ଼ିଓ ଜଣେ ବ୍ୟକ୍ତି ପୋଷ୍ଟ କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର