ଜିତେନ୍ଦ୍ରଙ୍କ ପତ୍ନୀ ହୋଇଥାନ୍ତେ ଡ୍ରିମ୍‌ଗାର୍ଲ: ଧର୍ମେନ୍ଦ୍ର ହାହୋଲ୍ଲା କରି ରୋକିଥିଲେ ବିବାହ!

ମୁମ୍ବାଇ: ଏକଥା ଅଳ୍ପବହୁତ ହୁଏତ ଆପଣ ସମସ୍ତେ ଜାଣିଥିବେ ଯେ ଗୋଟାଏ ସମୟରେ ଡ୍ରମ୍‌ଗାର୍ଲ ହେମାମାଳିନୀ ଓ ହ୍ୟାଣ୍ଡ୍‌ସମ୍‌ ଧର୍ମେନ୍ଦ୍ର ପରସ୍ପରଙ୍କ ପ୍ରେମରେ ପଡ଼ିଥିଲେ ବି ତାଙ୍କ ବିବାହ ପ୍ରାୟ ଅସମ୍ଭବ ଥିଲା। କାହିଁକି ନାଁ ଧର୍ମେନ୍ଦ୍ର ପୂର୍ବରୁ ହିଁ ଜଣେ ବିବାହିତ। ତା ସତ୍ୱେ କି ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ସାମାନ୍ୟ ମନମାଳିନ୍ୟ ହେତୁ କିଛି ଦିନ ପାଇଁ ଅଲଗା ହୋଇଥିଲେ ହେମା ଓ ଧର୍ମେନ୍ଦ୍ର। ସେ ମଧ୍ୟରେ ହେମା ଜିତେନ୍ଦ୍ରଙ୍କ ସହ ୨ଟି ଚଳଚ୍ଚିତ୍ରରେ ଅଭିନୟ କରି ସାରିଥିଲେ। ଇତି ମଧ୍ୟରେ ଜିତେନ୍ଦ୍ରଙ୍କର ହେମାଙ୍କ ପ୍ରତି ଦୁର୍ବଳତା ଆସି ସାରିଥାଏ।ହେମା ଓ ଜିତେନ୍ଦ୍ର ଦୁହେଁ ଭଲ ବନ୍ଧୁ ପାଲଟି ଯାଆନ୍ତି।

ହେମାଙ୍କ ସହ ଜିତେନ୍ଦ୍ରଙ୍କ ବନ୍ଧୁତ୍ୱକୁ ସହ୍ୟ କରିପାରୁ ନଥିଲେ ଧର୍ମେନ୍ଦ୍ର। ସେ ସବୁବେଳେ ହେମାଙ୍କୁ ସନ୍ଦେହ କରି ଜଣେ ପାଗଳ ପ୍ରେମୀର ପରିଚୟ ଦେଇ ଆସୁଥିଲେ। ଅନ୍ୟପକ୍ଷରେ ହେମାଙ୍କ ମାଆ ଜୟା କିନ୍ତୁ ହେମାଙ୍କୁ ସବୁବେଳେ ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ମନେଇ ଆସୁଥିଲେ। ହେମାଙ୍କ ପ୍ରସ୍ତାବ ନେଇ ତାଙ୍କ ମାଆ ଜୟା ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ଉଭୟ ପକ୍ଷ ସହମତିରେ ଦୁହିଁଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିଲା, ଯଦିଓ ସେ ସମୟରେ ହେମା ଧର୍ମେନ୍ଦ୍ରଙ୍କୁ ପ୍ରେମ କରୁଥିବା ବେଳେ ଜିଜେନ୍ଦ୍ର ମୁମତାଜଙ୍କୁ ପ୍ରେମ କରୁଥିଲେ। ଏପରିକି ଜିତେନ୍ଦ୍ର ତାଙ୍କର ଜଣେ ଘନିଷ୍ଟ ବନ୍ଧୁଙ୍କୁ କହିଥିଲେ ଯେ, ‘ମୁଁ ହେମାଙ୍କୁ ଭଲପାଏ ନାହିଁ, ସେ ମଧ୍ୟ ମତେ ଭଲପାଆନ୍ତି ନାହିଁ। ସେ ଖୁବ୍‌ ଭଲ ଝିଅ। ମାତ୍ର ଆମ ଭିତରେ ବୋଧ୍‌ହୁଏ ପ୍ରେମ ସଂପର୍କ ହୋଇପାରିବ ନାହିଁ।’

ଦୁଇ ପକ୍ଷରୁ କେହି ମନ ବଦଳାଇବା ପୂର୍ବରୁ ବିବାହ ଖୁବ୍‌ ଶୀଘ୍ର ସ୍ଥିର ହୋଇଯାଇଥିଲା। ତେବେ ଦୁହିଁଙ୍କ ବିବାହ ପାଇଁ ଦୁଇ ପକ୍ଷରୁ ମାଦ୍ରାସ ଯାଇଥିଲେ। ହେମାଙ୍କ ପରିବାର ମାଦ୍ରାସରେ ପହଞ୍ଚିବା ପରେ ଯାହା ସବୁ ଘଟିଥିଲା ତାହା ନିଶ୍ଚୟ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନଥିଲା। ଧର୍ମେନ୍ଦ୍ର ପ୍ରେମିକା ହେମାଙ୍କ ବିବାହ ବାବଦରେ ଶୁଣି ସିଧା ଯାଇ ମଦ ପିଇ ପହଞ୍ଚିଥିଲେ ହେମାଙ୍କ ମାଦ୍ରାସସ୍ଥିତ ବାସଭବନରେ। ସେଠାରେ ହେମାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ଘରୁ ତଡ଼ି ଦେଇଥିଲେ।

ଧର୍ମେନ୍ଦ୍ର ବିବାହିତ ହୋଇଥିବା ସତ୍ତ୍ୱେ ହେମାଙ୍କ ଜୀବନରେ ହସ୍ତକ୍ଷେପ କରୁଥିବାରୁ ହେମାଙ୍କ ବାପା ତାଙ୍କୁ ଖୁବ୍‌ ତାତ୍ସଲ୍ୟ କରିଥିଲେ। ତାଙ୍କ ଝିଅ ଜୀବନରୁ ସବୁଦିନ ପାଇଁ ଦୂରେଇ ଯିବାକୁ ମଧ୍ୟ ଅନୁରୋଧ କରିଥିଲେ। ଧର୍ମେନ୍ଦ୍ରଙ୍କ ଯିଦି ରକ୍ଷା କରି ଉଭୟ ହେମା ଏବଂ ଜିତେନ୍ଦ୍ରଙ୍କ ପରିବାର ଲୋକେ ସେ ଧର୍ମେନ୍ଦ୍ରଙ୍କୁ କିଛି ସମୟ ପାଇଁ ହେମାଙ୍କ ସହ ଏକାନ୍ତ ଏକ ଘରେ ଛାଡ଼ିଥିଲେ। ସେଠାରେ ଉଭୟ ହେମା ଓ ଧର୍ମେନ୍ଦ୍ର ଭାବପ୍ରବଣ ହୋଇ ଯାଇଥିଲେ। ହେମାଙ୍କୁ ଏତେ ବଡ଼ ନିଷ୍ପତ୍ତି ନ ନେବା ପାଇଁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର।

ହେମା ଲୁହ ପୂର୍ଣ୍ଣ ଆଖିରେ ଘରୁ ବାହାରି ସମସ୍ତଙ୍କୁ କ୍ଷମା ମାଗିଥିଲେ। ଏପଟେ କ୍ଷୁବ୍ଧ ଜିତେନ୍ଦ୍ରଙ୍କ ପରିବାର ଲୋକେ ହେମାଙ୍କୁ ଆଉ କେବେ ବି ତାଙ୍କ ଘରର ବୋହୂ କରିବେ ନାହିଁ ବୋଲି କହି ଫେରି ଯାଇଥିଲେ।

ପରବର୍ତ୍ତୀ ମୂହୁର୍ତ୍ତରେ ପ୍ରେମିକ ଧର୍ମେନ୍ଦ୍ରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଡ୍ରିମ୍‌ଗାର୍ଲ ହେମା।

ସମ୍ବନ୍ଧିତ ଖବର