ଓଲିଉଡ୍ର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ ନିଜର କ୍ୟାରିଅରକୁ ଠିକ୍ ଭାବେ ହ୍ୟାଣ୍ଡେଲ୍ କରୁଥିବା ଜଣାଯାଇଛି । ବୋଧହୁଏ ଏହି କାରଣରୁ ମାତ୍ର ତିନିବର୍ଷ ଭିତରେ ସେ ଅଧିକାଂଶ ଟପ୍ ହିରୋ ଓ ଟପ୍ ଡିରେକ୍ଟରଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି ।
ଏଲିନାଙ୍କ ପ୍ରଥମ ସିନେମା ଥିଲା ୨୦୧୫ରେ ମୁକ୍ତିପ୍ରାପ୍ତ ‘ଇସ୍କ ତୁ ହି ତୁ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାଙ୍କର ନାୟକ ଥିଲେ ଅରିନ୍ଦମ୍ । ଏହାପରେ ତାଙ୍କୁ ଚକଲେଟି ହିରୋ ଅଭିଷେକଙ୍କ ବିପକ୍ଷରେ ଦର୍ଶକ ଦେଖିବାକୁ ପାଇଥିଲେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘କେହି ନୁହେଁ କାହାର’ ରେ । ତା’ପରେ ଏଲିନାଙ୍କୁ ଦୁଇ ଲୋକପ୍ରିୟ ନାୟକ ଅନୁଭବ ଓ ବୁଦ୍ଧାଦିତ୍ୟଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା ମୁରଲୀ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ରେ ।
୨୦୧୬ରେ ଏଲିନା ପ୍ରଥମ ଥର ପାଇଁ ବାବୁସାନ୍ଙ୍କ ଅପୋଜିଟରେ ନାୟିକା ସାଜିଥିଲେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ୍ଷ୍ଟେସନ୍’ରେ। ଚଳିତ ବର୍ଷ ତାଙ୍କୁ ଅନୁଭବଙ୍କ ବିପକ୍ଷରେ ଲଗାତର ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା- ସର୍ଚ୍ଚିଂ ଫର୍ ଲୈଲା’ରେ ଦେଖିବାକୁ ମିଳିଛି । ଏହା ଅବଶ୍ୟ ଭିନ୍ନ କଥା ଯେ ଜଣେ ନବାଗତ ରଣବୀରଙ୍କ ବିପକ୍ଷରେ ବି ନାୟିକା ବନିଥିଲେ ଏଲିନା ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ।
ଏଇ ନିକଟରେ ଏଲିନା ଓଲିଉଡର ସୋବରବୟ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ବି ପାଇଛନ୍ତି । ନିର୍ଦ୍ଦେଶକ ରମେଶ ରାଉତଙ୍କ ଅପକମିଂ ମୁଭିରେ ସବ୍ୟସାଚୀଙ୍କ ସହ ଏଲିନାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ ।
କହିବାର କଥା ହେଲା, ଅରିନ୍ଦମ୍, ଅନୁଭବ, ବାବୁସାନ୍, ଅଭିଷେକ ଓ ସବ୍ୟସାଚୀଙ୍କ ସାଥ୍ ପାଇସାରିଲେଣି ଏଲିନା। ତେବେ ଅମ୍ଳାନ ଓ ସମ୍ବିତଙ୍କ ଭଳି ନାୟକଙ୍କ ସହ କେବେ ସେ କାମ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।