‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ହେବା ପରେ ମୁଁ ଏତେ ଡରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଂକୁ ଯାଇ ନ ଥିଲି : ସ୍ୱରାଜ

ଶିଶୁ କଳାକାର ଭାବେ ସମସ୍ତଙ୍କର ଭଲ ପାଇବା ହାସଲ କରିବା ପରେ ସ୍ୱରାଜ ଏବେ ନାୟକ ଭୂମିକାରେ ଆସି ଯୁବପିଢ଼ିଙ୍କ ମନ ଜିଣିବା ଆରମ୍ଭ କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଫିଲ୍କଟି ସଫଳତା ହାସଲ କରିଥିବା ବେଳେ ଏବେ ପୁଣି ବର୍ଷ ଶେଷରେ ଦର୍ଶକମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଫିଲ୍ମ , ଯାହାର ଟାଇଟଲ ରହିଛି ‘ଲୈଲା ଓ ଲୈଲା’। ଏଥିରେ ସ୍ୱରାଜ ନାୟକ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ସନମିରା । ତେବେ ଫିଲ୍ମରେ ସ୍ୱରାଜଙ୍କ ଚରିତ୍ର କଣ ରହିଛି ,ସେହି ବିଷୟରେ ଜାଣିବା ପାଇଁ ସମ୍ବାଦ ଡ଼ଟ ଇନ୍‌ ତରଫରୁ ସାକ୍ଷାତ କରିଥିଲେ ପ୍ରତିନିଧି ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା ।

ପ୍ରଶ୍ନ : ‘ଲୈଲା ଓ ଲୈଲା ’ ଚଳଚ୍ଚିତ୍ରରେ ଆପଣଙ୍କ ଚରିତ୍ରଟି କିଭଳି ?
ଉତ୍ତର : ଲୈଲା ଓ ଲୈଲା ପାଇଁ ମୋତେ ପୂର୍ବ ଫିଲ୍ମ ଅପେକ୍ଷା ବହୁତ କଷ୍ଟ କରିବାକୁ ପଡ଼ିଥିଲା । ପୂର୍ବ ଫିଲ୍ମରେ ଜଣେ କଲେଜ ପଢ଼ୁଆ ପୁଅ ଚରିତ୍ର ଥିବା ବେଳେ ଏଥିରେ ଜଣେ ପରିପକ୍ୱ ଯୁବକ ଚରିତ୍ରରେ ଆସୁଛି , ଯାହାକୁ କରିବା ପାଇଁ ମୋତେ ବହୁତ ପ୍ରସ୍ତୁତି କରିବାକୁ ପଡ଼ିଥିଲା ।

ପ୍ରଶ୍ନ : ଏହି ଫିଲ୍ମରେ ଅଭିନୟ ପାଇଁ କିଭଳି ପ୍ରସ୍ତୁତି କରିବାକୁ ପଡ଼ିଥିଲା ?
ଉତ୍ତର : ଏଥିରେ ମୁଁ ଚାଷୀ ଘରର ପୁଅ ହିସାବରେ ନଜର ଆସୁଛି । ଆପଣମାନେ ଜାଣିଥିବେ ଚାଷୀ ଘର ପୁଅର ଭଲ ଫିଜିକ୍‌ ରହିବା ନିହାତି ଦରକାର । ସେଥିପାଇଁ ମୁଁ ନିଜର ଫିଜିକ ବନାଇବା ଆରମ୍ଭ କରିଥିଲି। ତେଣୁ ଫିଲ୍ମଟି ଦୁଇ ମାସ ବିଳମ୍ବରେ ଆରମ୍ଭ କରାଯାଇଥିଲା।

ପ୍ରଶ୍ନ : ଏଥିରେ କ’ଣ ଅଲଗା ରହିଛି ,ଯେଉଁଥି ପାଇଁ ଦର୍ଶକ ଏହାକୁ ଦେଖିବା ଲାଗି ଆସିବେ?
ଉତ୍ତର : ମୁଁ କହିବିନି ଯେ ଦର୍ଶକମାନେ ନିହାତି ଏହାକୁ ଦେଖିବା ପାଇଁ ଆସିବା ଦରକାର । କିନ୍ତୁ ଆମର ପୁରା ଟିମ ଏହାକୁ ସଫଳ କରିବା ପାଇଁ ଚେଷ୍ଟା କରିଛୁ । ଏଥିରେ ଆପଣ ୮ଟି ଗୀତ ସହ ଭଲ ଭିଜୁଆଲାଇଜେସନ ପାଇବେ। ତେବେ ଏହା ଦର୍ଶକଙ୍କ ଉପରେ ନିର୍ଭର କରେ ସେମାନେ ଏହାକୁ କିପରି ଗ୍ରହଣ କରୁଛନ୍ତି ।

YouTube

ପ୍ରଶ୍ନ : ‘ଲୈଲା ଓ ଲୈଲା ’ର ସୁଟିଂ ସମୟର କିଛି ସ୍ମରଣୀୟ ଅନୁଭୂତି ରହିଛି କି?
ଉତ୍ତର: ନିହାତି ଭାବେ ରହିଛି । ଥରେ ଗୋଟେ ସଟ୍‌ରେ ବିଲର ହିଡ଼ରେ ହିରୋ ହିରୋଇନ୍‌ଙ୍କୁ ଦୌଡ଼ିବାରଥିଲା । ସେହି ସଟ୍‌ ଦେବା ସମୟରେ ମୁଁ ଆଗରେ ଦୌଡ଼ୁଥିଲି ଓ ମୋ ପଛରେ ହିରୋଇନ୍‌। ଖାଲ ଥିବାରୁ ମୁଁ ହିଡ଼ରୁ ତଳକୁ ଗଳି ପଡ଼ିଥିଲି । ମୋ ପଛରେ ଆସୁଥିବା ହିରୋଇନ୍‌ ଜାଣି ନପାରି ମତେ ଏଣେ ତେଣେ ଖୋଜିଥିଲେ । ତା’ପରେ ମୁଁ ତାଙ୍କୁ ତଳକୁ ଦେଖିବାକୁ ପାଟି କରି କହିଥିଲି । ଏଇଟା ସୁଟିଂ ସମୟର ଏକ ମଜାଦାର ମୁହୂର୍ତ୍ତ ଥିଲା।
ପ୍ରଶ୍ନ: ଆପଣଙ୍କୁ ପ୍ରଥମ ଫିଲ୍ମ ‘ତୁ ମୋ ଲଭ ଷ୍ଟୋରି’ର ଅଫର କିପରି ମିଳିଥିଲା?
ଉତ୍ତର: ସତ କହିବାକୁ ଗଲେ ‘ତୁ ମୋ ଲଭ ଷ୍ଟୋରି’ ମୋର ପ୍ରଥମ ଫିଲ୍ମ ନୁହେଁ । ପ୍ରଥମେ ମତେ ସାର୍ଥକ ତରଫରୁ ‘ଲୈଲା ଓ ଲୈଲା’ର ଅଫର ମିଳିଥିଲା । କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ବିଳମ୍ବ ହେବାରୁ ମୁଁ ‘ତୁ ମୋ ଲଭ ଷ୍ଟୋରି’ ପ୍ରଥମେ କରିବାକୁ ନିଷ୍ପତ୍ତି ନେଇଥିଲି । ଏହି ଫିଲ୍ମ ବିଷୟରେ ହଠାତ୍‌ ଦିନେ ତାପସ ସାର୍‌ ଫୋନ କରି ମତେ ଅଫର ଦେଇଥିଲେ । ବିଭିନ୍ନ ପ୍ରଡ଼କ୍ସନ ହାଉସରୁ ମତେ ଫିଲ୍ମ ପାଇଁ ଅଫର ଆସିଥିଲା କିନ୍ତୁ ମୁଁ ଏହି ଦୁଇଟି ଫିଲ୍ମ କରିବି ବୋଲି ମନସ୍ଥ କରିଥିଲି ।

ପ୍ରଶ୍ନ : ଆପଣଙ୍କ ଫିଲ୍ମରେଫେସବୁକ୍‌କୁ ନେଇ ଗୋଟିଏ ମଜାଦାର ଗୀତ ରହିଛି , ଆପଣଙ୍କୁ ଲାଗୁଛି କି ଏହି ଗୀତ ଆପଣଙ୍କ ଫିଲ୍ମକୁ ହିଟ କରିବାରେ ସାହାଯ୍ୟ କରିବ ?
ଉତ୍ତର : ନିହାତି। ଫିଲ୍ମରେ ଏମିତି କିଛି କିଛି ଜିନିଷ ଥାଏ ଯାହା କି ଦର୍ଶକମାନଙ୍କୁ ସିନେମା ଘରକୁ ଆସିବା ପାଇଁ ବାଧ୍ୟ କରିଥାଏ । ଏହି ଫିଲ୍ମରେ ମଧ୍ୟ ଫେସବୁକ୍‌ ଗୀତ ଦର୍ଶକମାନଙ୍କୁ ଫିଲ୍ମ ଦେଖିବା ପାଇଁ ଆକର୍ଷିତ କରିବ ।

ପ୍ରଶ୍ନ : ନାୟକ ଭାବରେ ପ୍ରଥମେ ନିଜକୁ ପରଦା ଉପରେ ଦେଖିବାର ଅନୁଭୂତି କେମିତି ଥିଲା ?
ଉତ୍ତର : ମୁଁ ଏତେ ଡ଼ରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଙ୍ଗ ପାଇଁ ଯିବାକୁ ତାପସ ସାର୍‌ଙ୍କୁ ମନା କରି ଦେଇଥିଲି । ମୁଁ ସିଧା ସିନେମା ହଲରେ ଯାଇ ଦେଖିବି ବୋଲି କହିଥିଲି । ଯେତେବେଳେ ଫିଲ୍ମ ଆରମ୍ଭ ହେଲା ମୋର ହୃଦୟ ସ୍ପନ୍ଦନ ରହିଯାଇଥିଲା । କାରଣ ପ୍ରଥମ ଥର ପାଇଁ ମୁଁ ନିଜକୁ ହିରୋ ଭାବେ ଏତେ ବଡ଼ ପରଦାରେ ଦେଖୁଥିଲି । ସେହି ସିନ୍‌ ପାଇଁ ହଲରେ ଦର୍ଶକଙ୍କର ପ୍ରତିକ୍ରିୟା ଦେଖି ମତେ ସତରେ କିଛିଟା ହିରୋ ଭଳି ଅନୁଭବ ହୋଇଥିଲା ।

ପ୍ରଶ୍ନ: ପ୍ରଥମ ଫିଲ୍ମ ପରେ କଲେଜରେ ଏବଂ ସାଙ୍ଗମାନଙ୍କ ମଧ୍ୟରେ କ’ଣ ପ୍ରତିକ୍ରିୟା ରହିଥିଲା ?
ଉତ୍ତର : ମୁଁ ଯେତେବେଳେ ମୋର ସାଙ୍ଗମାନଙ୍କୁ କହିଥିଲି ମୁଁ ଗୋଟେ ଫିଲ୍ମରେ ହିରୋ ହେବାକୁ ଯାଉଛି ସମସ୍ତେ ମତେ ତୁ ସତରେ ହିରୋ ହଉଛୁ ବୋଲି ପଚାରିଥିଲେ । କେହି ମଧ୍ୟ ବିଶ୍ୱାସ କରି ନଥିଲେ କାରଣ ହିରୋ ହେବାର ବୟସ ମୋର ହୋଇ ନ ଥିଲା। ତେବେ ପ୍ରଥମ ଫିଲ୍ମର ସଫଳତା ପରେ ସମସ୍ତଙ୍କ ମନରେ ମୋ ପାଇଁ ବହୁତ ମାତ୍ରାରେ କ୍ରେଜ୍‌ ବଢ଼ିଯାଇଥିଲା । ଖାସ୍‌ କରି ଝିଅମାନଙ୍କ ଭିତରେ ।

ପ୍ରଶ୍ନ: ‘ସମ୍ବାଦ ଡ଼ଟ ଇନ୍‌’ର ପାଠକଙ୍କ ପାଇଁ ଆପଣ କ’ଣ କହିବାକୁ ଚାହିଁବେ ?
ଉତ୍ତର: ସମସ୍ତଙ୍କୁ ମୁଁ ନବବର୍ଷର ଅଭିନନ୍ଦନ ଜଣାଉଛି । ଓଡ଼ିଆ ବୋଲି ଗର୍ବ କରନ୍ତୁ , ଓଡ଼ିଆ ଫିଲ୍ମ ଦେଖନ୍ତୁ ।

ସମ୍ବନ୍ଧିତ ଖବର