ଦକ୍ଷିଣୀ ଅଭିନେତ୍ରୀ ପ୍ରିୟାମଣିଙ୍କ ସହ ଫିଲ୍ମ ମୈଦାନରେ ନଜର ଆସିବେ ଅଜୟ ଦେବଗନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି | ଫିଲ୍ମଟି ଏ ଯାଏଁ ୧୪୫ କୋଟି ଟଙ୍କାର ଆୟ କରିସାରିଲାଣି | ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଓ କାଜଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ଐତିହାସିକ ବିଷୟବସ୍ତୁରେ ନିର୍ମିତ ଫିଲ୍ମ ‘ତାଣାଜୀ’ ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ ।

ଏବେ ଅଜୟ ଆଉ ଏକ ବାୟୋପିକ ଫିଲ୍ମରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ | ଫିଲ୍ମର ନାମ ‘ମୈଦାନ’ ଥିବାବେଳେ ଭାରତର ପୂର୍ବତନ ଫୁଟବଲ କୋଚ ସୟଦ ଅବଦୁଲ ରହିମଙ୍କ ଉପରେ ଫିଲ୍ମଟି ଆଧାରିତ ହେବ | ଏହି ଫିଲ୍ମରେ ଅଜୟଙ୍କ ସହ ଦକ୍ଷିଣୀ ସୁନ୍ଦରୀ ପ୍ରିୟାମଣି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ | ଅଜୟ ଦେବଗନ ଏହି ଫିଲ୍ମରେ ସୟଦ ଅବଦୁଲ ରହିମଙ୍କ ଭୂମିକାରେ ନଜର ଆସିବେ |

ପ୍ରିୟାମଣି ଏ ଯାଏଁ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବାବେଳେ ୩ ଥର ଫିଲ୍ମଫେୟାର ଆୱାର୍ଡ ମଧ୍ୟ ହାତେଇଛନ୍ତି | ପ୍ରିୟାମଣି ଫିଲ୍ମ ‘ରାବଣ’ରୁ ବଲିଉଡରେ ଡେବ୍ୟୁ କରିଥିଲେ | ପ୍ରିୟାମଣିଙ୍କ ପୂର୍ବରୁ ଫିଲ୍ମରେ କୀର୍ତ୍ତି ସୁରେଶ ଅଭିନୟ କରିବାର ଥିଲା | କିନ୍ତୁ ପ୍ରିୟାମଣିଙ୍କୁ କୀର୍ତ୍ତିଙ୍କ ସ୍ଥାନରେ ନିଆଯାଇଛି | ଫିଲ୍ମ ମୈଦାନକୁ ବୋନି କପୁର, ଆକାଶ ଚାୱଲା ପ୍ରଯୋଜନା କରୁଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେବେ ଅମିତ ରବିନ୍ଦ୍ରନାଥ ଶର୍ମା | ଏହି ଫିଲ୍ମଟି ନଭେମ୍ବର ୨୭ ତାରିଖରେ ରିଲିଜ ହେବାର ଯୋଜନା ରହିଛି |

ସମ୍ବନ୍ଧିତ ଖବର