ଭୁବନେଶ୍ୱର (ଶିବଶଙ୍କର ଓଝା ) :ଚଳିତ ବର୍ଷ ଆରମ୍ଭରୁ ଗୋଟିଏ ଭଲ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି ଓଲିଉଡ଼୍ରେ। ସାଧାରଣତଃ ନୂଆବର୍ଷ ,ମକର ସଂକ୍ରାନ୍ତି ଅବସରରେ ରିଲିଜ୍ ଲଢ଼େଇ ଦେଖିବାକୁ ମିଳିଥାଏ। ଏହିଠୁଁ ଆରମ୍ଭ ହୋଇଥାଏ ଏକାଧିକ ଫିଲ୍ମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ପର୍ବ।
ଗତବର୍ଷ ଜାନୁଆରି ୧ ତାରିଖରେ ଦୁଇଟି ଓଡ଼ିଆ ଛବି ‘ନିଝୁମ୍ ରାତିର ସାଥୀ’ଓ ‘ଗଡ଼୍ଫାଦର୍’ ମୁକ୍ତିଲାଭ କରିଥିଲା। ଏ ଦୁଇଟି ସିନେମା ମଧ୍ୟରେ ସିଧାସଳଖ ହୋଇଥିଲା ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା,ଆଉ ଏଥିରେ ଉଭୟେ କ୍ଷତିଗ୍ରସ୍ତ ହୋଇଥିଲେ।ଠିକ୍ ସେହିପରି ୨୦୧୭ ମକର ସଂକ୍ରାନ୍ତି ଉପଲକ୍ଷେ ପରଦାକୁ ଆସିଥିଲା ଦୁଇଟି ସିନେମା ‘ଦିଲ୍ ଦିଓ୍ଵାନା ହେଇଗଲା’ ଓ ‘ତୁମକୁ ଦେଖିଲା ପରେ’। ଏଥିରେ ବି ସମାନ ଅବସ୍ଥା ଘଟିଥିଲା। ତେବେ ନୂଆ ପ୍ରଯୋଜକ ଶୁଭମ ପାଢ଼ୀ ଯିଏକି ‘ତୁମକୁ ଦେଖିଲା ପରେ’ର ପ୍ରଯୋଜନା କରିଥିଲେ,ତାଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ଏହି ସିନେମାଟି ଭଲ ହୋଇଥିଲେ ବି ଆଶାନୁରୂପ ବ୍ୟାବସାୟିକ ସଫଳତା ହାସଲ କରି ନ ଥିଲା।ଏହା ଯଦି ସୋଲୋ ରିଲିଜ୍ ହୋଇ ପରଦାକୁ ଆସିଥାନ୍ତା,ତେବେ ଅଧିକ ଭଲ ଆୟ କରିଥା’ନ୍ତା ବୋଲି ସେହି ସମୟରେ ମତ ପ୍ରକାଶ ପାଇଥିଲା। ଏହା ବାବୁସାନ୍ଙ୍କ ଅଭିନୀତ ଫିଲ୍ମ ସହ ଟକ୍କର୍ ଦେବାରେ ସକ୍ଷମ ହୋଇ ନ ଥିଲା।
ଏବର୍ଷ ବାବୁସାନ୍ଙ୍କ ଫିଲ୍ମ ‘ଓନ୍ଲି ପ୍ୟାର୍’ସହିତ ଟକ୍କର ଦେବା ଉଚିତ ନୁହେଁ ବୋଲି ମନେ କରି ଦୁଇଟି ପ୍ରଯୋଜନା ସଂସ୍ଥା ସେମାନଙ୍କ ଫିଲ୍ମର ପୂର୍ବ ନିର୍ଦ୍ଧାରିତ ଯୋଜନାରେ ପରିବର୍ତ୍ତନ କରିଛନ୍ତି। ହଁ , ଜାନୁଆରିରେ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍ ତାଙ୍କର‘ଲୈଲା ଓ ଲୈଲା’କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରିଲିଜ୍ କରିବାର ଲକ୍ଷ୍ୟ ରଖିଥିଲେ,ହେଲେ‘ଓନ୍ଲି ପ୍ୟାର୍’ସହ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇ ସେ ତାଙ୍କ ସିନେମାକୁ ଗତ ବର୍ଷ ଡ଼ିସେମ୍ବର ଶେଷ ସପ୍ତାହରେ ରିଲିଜ୍ କରି ଦେଲେ।ଏହାଫଳରେ ତାଙ୍କୁ ଦୁଇ ସପ୍ତାହ ସମୟ ବ୍ୟବସାୟ ପାଇଁ ମିଳିଯାଇଛି।ଠିକ୍ ସେହିପରି ଅନ୍ୟ ଏକ ପ୍ରଯୋଜନ ସଂସ୍ଥା ମଧ୍ୟ ତାଙ୍କର ସିନେମା ‘ଶକ୍ତି’ କୁ ଜାନୁଆରିରେ ରିଲିଜ୍ କରିବା ଲାଗି ଲକ୍ଷ୍ୟ ରଖିଥିଲେ , କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲଢ଼େଇ ମନୋଭାବ ତ୍ୟାଗ କରି ଏଥିରୁ ନିବୃତ୍ତ ହେଲେ। ‘ଶକ୍ତି’ରେ ଯେହେତୁ ଜଣେ ନୂଆ ହିରୋ କରଣଙ୍କୁ ପ୍ରଯୋଜନା ସଂସ୍ଥା ଲଞ୍ଚ୍ କରୁଛନ୍ତି,ଏଣୁ ରିସ୍କ ନେବାକୁ ଉଚିତ୍ ମନେ କଲେ ନାହିଁ।ଫଳତଃ ‘ଶକ୍ତି’ର ରିଲିଜ୍ ତାରିଖ ବି ପରିବର୍ତ୍ତନ ହେଲା।ଏହା ଆଗାମୀ ମାର୍ଚ୍ଚ ମାସରେ ରିଲିଜ୍ ହେବ।
ଆଉ ଏକ ଉଲ୍ଲେଖନୀୟ କଥା ହେଲା ଓଲିଉଡ଼୍ରେ ଗତ ତିନି ବର୍ଷ ଧରି ନିୟମିତ ଭାବେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଥିବା ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡ଼କସନ୍ ବି ପଛଘୁଞ୍ଚା ଦେଇଛନ୍ତି ଏଥର। ଅର୍ଥାତ୍ ଏହି ବ୍ୟାନରର ନୂଆ ଫିଲ୍ମ ‘ହାପି ଲକି’ମକର ସଂକ୍ରାନ୍ତି ଅବସରରେ ରିଲିଜ୍ ହେବ ବୋଲି ପ୍ରଥମେ କୁହାଯାଉଥିଲା,ହେଲେ ସେହି ସଂସ୍ଥା ବି ବାବୁସାନ୍ଙ୍କ ‘ଓନ୍ଲି ପ୍ୟାର୍’କୁ ତାଙ୍କ ସିନେମା ‘ହାପି ଲକି’ ଟକ୍କର ଦେଲେ କ୍ଷତିଗ୍ରସ୍ତ ହେବ ବୋଲି ମନେକରି ଏହାକୁ ସମାନ୍ୟ କିଛି ଦିନ ବ୍ୟବଧାନରେ ରିଲିଜ୍ କରାଯିବାର ଯୋଜନା କରିଛନ୍ତି। ଏବେ ‘ହାପି ଲକି’ ଜାନୁଆରି୨୧ରେ ରିଲିଜ୍ ହେବ ବୋଲି ଜଣାଯାଇଛି।
ଏହା ଏକ ଭଲ ଟ୍ରେଣ୍ଡ୍। ବର୍ଷ ଆରମ୍ଭରୁ ରିଲିଜ୍ ଟକ୍କର ହେଉ ନଥିବା ଓଲିଉଡ଼୍ ପାଇଁ ଏକ ଶୁଭ ସଂଙ୍କେତ ବୋଲି କୁହାଯାଇପାରେ। ତେବେ ସେ ଯାହା ହେଉନା କାହିଁକି ବିଗତ ବର୍ଷମାନଙ୍କ ଭଳି ଏବର୍ଷ ବି ରଜ ଓ ଦଶହରା ଭଳି ଅବସରରେ ଦୁଇ ବା ତା’ ଠାରୁ ଅଧିକ ସିନେମା ମଧ୍ୟରେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ,ଯାହାକୁ ଅସ୍ୱୀକାର କରାଯାଇ ନ ପାରେ।ଏହା ଛଡ଼ା ଏ ବର୍ଷ ଅନ୍ୟ ସମୟରେ ଓଲିଉଡ଼୍ରେ ରିଲିଜ୍ ଟକ୍କର ହେଉଛି କି ନା ,ତାହା ବି ଦେଖିବା କଥା!