୫ ଦିନ ଏସ୍‌ଟିଏଫ୍‌ ରିମାଣ୍ଡରେ ବନ୍ଧୁକ ବେପାରୀ

ଭୁବନେଶ୍ବର : ରାଜଧାନୀରେ ବନ୍ଧୁକ କାରବାର କଲା ବ‌େଳେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିବା ଦୁଇଜଣ ବନ୍ଧୁକ ବେପାରୀ ରିମାଣ୍ଡରେ ଆସିଛନ୍ତି। ଉଭୟଙ୍କୁ ୫ ଦିନ ରିମା‌ଣ୍ଡରେ ଆଣିବା ପାଇଁ ଏସ୍‌ଟିଏଫ୍‌ ଆବେଦନ କରିଥିଲା। ଗତକାଲି ଏହି ଆବେଦନ ମଞ୍ଜୁର ହେବା ପରେ ଉଭୟଙ୍କୁ ଏସ୍‌ଟିଏଫ୍‌ ଆଣି ପଚରାଉଚରା ଆରମ୍ଭ କରିଛି। ଏହି ସମୟ ମଧ୍ୟରେ ଉଭୟଙ୍କୁ ଏକୁଟିଆ ଓ ଏକାଠି ଜେରା କରାଯିବ। ପ୍ରାରମ୍ଭିକ ଜେରା ବେଳେ ସେମାନଙ୍କଠାରୁ ଏକ ବଡ଼ ଲିଙ୍କ୍‌ର ସୂଚନା ମିଳିଛି। ଏହି ଲିଙ୍କ୍‌କୁ ଧରି ଏସ୍‌ଟିଏଫ୍‌ ବାଂଲାଦେଶ ଯାଇପାରେ ବୋଲି ସୂଚନା ମିଳିଛି। ତା’ ଛଡ଼ା ଓଡ଼ିଶା‌ରେ ମଧ୍ୟ ସେମାନେ କାହାକୁ ବନ୍ଧୁକ ଯୋଗାଉଥିଲେ ସେ ‌ନେଇ ଏସ୍‌ଟିଏଫ୍ ଉଭୟଙ୍କଠାରୁ ତଥ୍ୟ ହାସଲ କରିଛି।

ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ବର, କେନ୍ଦୁଝର, ଯାଜପୁର ପ୍ରଭୃତି ଜିଲ୍ଲାରେ ଏମାନଙ୍କର ନେଟ୍‌ୱର୍କ ରହିଛି। ଘଟଣା ଦିନ ଗଣ୍ଡମୁଣ୍ଡା ଛକରେ ଏହ‌ି ବେପାର ହେଉଥିବା ବେଳେ ଏସ୍‌ଟିଏଫ୍‌ ଜାଣିପାରି ଚଢ଼ଉ କରିଥିଲା। ୫ ଜଣ ଏକ ସ୍କର୍ପିଓରେ ଓ ଦୁଇଜଣ ଏକ କେଟିଏମ୍‌ ବାଇକ୍‌ ଓ ସ୍କୁଟି ଯୋଗେ ଫେରାର ହୋଇ ଯାଇଥିଲେ। ସେହି ୭ ଜଣଙ୍କୁ ଏସ୍‌ଟିଏଫ୍‌ ଚିହ୍ନଟ କରିଛି।

ସେହିଭଳି ଜବତ ହୋଇଥିବା ୨୨ଟି ଜୀବନ୍ତ ଗୁଳି ଉପରେ କେଏଫ୍‌ ଲେଖା ରହିଛି। କେଏଫ୍‌କୁ ନେଇ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଚଳାଇଥିଲା। ଗୁଳି ବେପାର କରୁଥିବା କଟକର ଏକ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନକୁ ଏସ୍‌ଟିଏଫ୍ ରିପୋର୍ଟ ତଲବ କରିଥିଲା। ଦୁଇଜଣ ଅଧିକାରୀ ମଧ୍ୟ କଟକ ଯାଇ ସମ୍ପୃକ୍ତ ସଂସ୍ଥାରେ ଛାନ୍‌ଭିନ୍‌ କରିଛନ୍ତି। ଏହି ଗୁଳି ସବୁ ବଜାରକୁ କିପରି ଆସିଛି, ସେ ନେଇ ଅନେକ ସୂଚନା ପାଇଛି ଏସ୍‌ଟିଏଫ୍‌।

ସୂଚନାଯୋଗ୍ୟ, ଗତ ୧୦ ତାରିଖ ଦିନ ରାଜଧାନୀରେ ବନ୍ଧୁକ କାରବାରକୁ ନେଇ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ଏକ ବଡ଼ ସଫଳତା ମିଳିଥିଲା। ଗଣ୍ଡମୁଣ୍ଡାରେ ବନ୍ଧୁକ ବେପାର ଚାଲିଥିବା ବେଳେ ଦୁଇ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ; ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଜୟନ୍ତଗଡ଼ର ସାନୁ ପୋଦ୍ଦାର ଓ ରାଜଧାନୀର ଲେକ୍‌ ଭ୍ୟାଲି-୨ରେ ରହୁଥିବା ଗଞ୍ଜାମର ସୁରେଶ କୁମାର ପାଣିଗ୍ରାହୀକୁ ଗିରଫ କରିଥିଲା। ସେମାନଙ୍କଠାରୁ ୭.୬୫ ଏମ୍‌ଏମ୍‌ର ୩ଟି ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ, ୨୨ ରାଉଣ୍ଡ ଜୀବନ୍ତ ଗୁଳି ଓ ୫ଟି ମାଗାଜିନ ଜବତ କରା ଯାଇଥିଲା।

ସମ୍ବନ୍ଧିତ ଖବର