ହାପି ବାର୍ଥଡେ ଅନୁଭବ

ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ସିନେମାର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତିଙ୍କର ଜନ୍ମ ଦିବସ। ସେ ୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ କଟକଠାରେ ଜନ୍ମ ହୋଇଥିଲେ। ଜନ୍ମ ଦିବସର ଶୁଭେଚ୍ଛା ଜଣାଉଛି ସମ୍ବାଦ ଡଟ୍‌ ଇନ୍‌।

ପ୍ରଥମେ ଅନୁଭବ କେତୋଟି ଓଡ଼ିଆ ଆଲବମରେ କାମ କରିଥିଲେ। ତାଙ୍କୁ ବ୍ରଜରାଜ ମୁଭିଜ୍‌ ହିରୋଭାବେ ଓଡ଼ିଆ ସିନେମାରେ ବ୍ରେକ୍‌ ଦେଇଥିଲେ । ଏଥିପାଇଁ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କ ଅବଦାନକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ହଁ ସଞ୍ଜୟ ନାୟକ(ଟୁଟୁ) ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଆଇ ଲଭ୍‌ ୟୁ’ରେ ନାୟକଭାବେ ପ୍ରଥମେ ସୁଯୋଗ ଦେଇଥିଲେ ଅନୁଭବଙ୍କୁ। ଏଥିରେ ନବାଗତା ନମ୍ରତା ଥାପ୍ପାଙ୍କୁ ମିଳିଥିଲା ନାୟିକା ଭୂମିକା। ଏଡାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

 


କେବଳ ଯେ ଜଣେ ଅଭିନେତା ତା’ ନୁହେଁ , ବରଂ ସିନେମା ଦୁନିଆରେ ତାଙ୍କର ଆଉ ଏକ ପରିଚୟ ହେଲା ଯେ ସେ ଜଣେ ପ୍ରଯୋଜକ ବି। ହଁ ଅନୁଭବ ଏବଂ ତାଙ୍କ ସାନ ଭାଇ ଅନୁପ୍ରାସ ମିଶି କେତୋଟି ହାତଗଣତି ସିନେମାର ନିର୍ମାଣ ବି କରିଛନ୍ତି। ସେମାନେ ପ୍ରଥମେ ‘ସମଥିଙ୍ଗ ସମଥିଙ୍ଗ’ ଟାଇଟଲରେ ଏକ ସିନେମା ନିର୍ମାଣ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ। ଅନୁଭବଙ୍କ ହୋମ୍‌ ପ୍ରଡକସନ୍‌ର ନାଆଁ ହେଲା ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ । ଏହି ବ୍ୟାନରର ଅନ୍ୟ ସିନେମାଗୁଡିକ ହେଲା ‘ହାତ ଧରି ଚାଲୁଥା’ ,‘ଏସିପି ରଣବୀର୍‌’ ,‘ମେଣ୍ଟାଲ୍‌’ ଏବଂ ‘ ସମଥିଙ୍ଗ ସମଥିଙ୍ଗ-୨’। ଏହି ସିନେମାମଧ୍ୟରୁ ପ୍ରଥମ ଦୁଇଟି ହିଟ୍‌ ହୋଇଥିବା ବେଳେ,‘ଏସିପି ରଣବୀର୍‌’ ଏବଂ ‘ମେଣ୍ଟାଲ୍‌’ ଫ୍ଲପ୍‌ ହୋଇଥିଲା। ଏହି ସବୁ ସିନେମା ଭିତରୁ କେବଳ ଗୋଟିକରେ ନାୟିକା ଭୂମିକା ନିଭାଇ ନଥିଲେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏହି ସିନେମାଟି ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ ଏସିପି ରଣବୀର୍‌’ ।ଏଥିରେ ଜଣେ ପରଦେଶୀ ନାୟିକାଙ୍କୁ ଦେଖିବାକୁ ମିଳିଥିଲା ।ସେ ହେଲେ ଆକାଂକ୍ଷା ଚୌଧୁରୀ ।

ଅନୁଭବ ଏଯାବତ୍‌ ଓଲିଉଡର ନାମୀ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌, ବିଦିଶା କ୍ରାଫ୍ଟ,ସାର୍ଥକ, ତରଙ୍ଗ ସିନେ ପ୍ରଡକସନସ୍‌, ଓସ୍କାର ମୁଭିଜ୍‌, ମା’ ତାରିଣୀ ଫିଲ୍ମ ପ୍ରଡକ୍ସନ୍‌ ଆଦିରେ କାମ କରିଛନ୍ତି।
ଅନୁଭବ ମହାନ୍ତି ଯେ ବିବାଦରୁ ବାଦ ପଡ଼ିଛନ୍ତି ତାହା କହିବା ଠିକ୍‌ ହେବ ନାହିଁ। ଚିଟଫଣ୍ଡ କେଳେଙ୍କାରି ସହ ଜଡିତ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତ ଏବଂ ବିଲଡର୍‌ରୁ ପ୍ରଯୋଜକ ବନିଥିବା ନିରଞ୍ଜନ ରଣାଙ୍କ ପ୍ରସଙ୍ଗ ନେଇ ବିବାଦରେ ଫସିଥିଲେ।


ଏ ବର୍ଷ ଅନୁଭବଙ୍କୁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଓଲିଉଡର ରିଲ ଓ ରିୟଲ କପୁଲ୍‌ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ିକୁ ୨୦୧୭ରେ ଦର୍ଶକ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଏହି ଯୋଡ଼ିକୁ ଗତ ବର୍ଷ ‘ଗୋଟେ ଶୁଆ ଗୋଟେ ଶାରୀ’ ରେ ଦେଖିବାକୁ ପାଇଥିଲେ , ହେଲେ ଏକାଠି ପରଦାକୁ ଆସିନାହାନ୍ତି ଏ ଦୁହେଁ । ୨୦୧୭ରେ ଅନୁଭବଙ୍କୁ ଯେଉଁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ, ଉଭୟରେ ନାୟିକା ଥିଲେ ଏଲିନା ସାମନ୍ତରାୟ । ବିବାହପରେ ଅନୁଭବ ଝିଲିକ୍‌ ଙ୍କ ସହ ବି ଅବଶ୍ୟ କାମ କରିଛନ୍ତି।

ସମ୍ବନ୍ଧିତ ଖବର