କେବଳ ଖଳନାୟକ ନୁହନ୍ତି, ନାୟକ ଭୂମିକାରେ ବି ଅଭିନୟ କରିଥିଲେ ହର ପଟ୍ଟନାୟକ

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ୱର: ଆଜି ହେଉଛି ଓଲିଉଡର ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକ ୰ ହର ପଟ୍ଟନାୟକଙ୍କ ଜନ୍ମଦିନ। ତାଙ୍କୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ସେ ପରଦା ଉପରେ ଯେମିତ ଦମଦାର୍‌ ଖଳନାୟିକୀ ଦେଖାଇଥିଲେ, ଠିକ୍‌ ସେମିତି ପରଦା ପଛରେ ରହି ଅନେକ ହିଟ୍‌ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
ହର ପଟ୍ଟନାୟକ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିଲେ ।ଏଥିରେ ସେ ଶିଶିର ମିଶ୍ରଙ୍କ ସହକାରୀଭାବେ କାମ କରିଥିଲେ। ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ ।
ଠିକ୍‌ ସେହିପରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର ଯାର ମୁଲକ ତାର’ରେ ଚମକପ୍ରଦ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ । ‘ଦଇବ ଦଉଡ଼ି’ରୁ ଆରମ୍ଭ କରି ‘ଓମ୍‌ ସାଇ ରାମ୍‌’ଯାଏଁ ସେ ଯେତେସବୁ ସିନେମା ର ନିର୍ଦ୍ଦେଶନା ଦେଇଥିଲେ ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ହେଲେ ଗୋଟିଏ ଛବିରେ ନୁହେଁ ।

image source-youtube

ଏହା ହେଉଛି ୨୦୦୪ରେ ରିଲିଜ୍ ହୋଇଥିବା ‘ସାଥୀରେ’। ହର ପଟ୍ଟନାୟକ ଏବଂ ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ଏହି ସିନେମାରେ ହରଙ୍କ ଏକ ସଂଳାପ ବେଶ୍‌ ଲୋକପ୍ରିୟ ହୋଇଥିଲା । ତାହା ହେଲା ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏ ନାହିଁ’ । ଏହାର ସଂଳାପକାର ଥିଲେ ଡ଼ ସୁବୋଧ ପଟ୍ଟନାୟକ । ଏହି ସିନେମାରେ ହର ଜଣେ ଚରିତ୍ର ଅଭିନେତାଭାବେ ନଜର ଆସିଥିଲେ।

‘ସାଥୀରେ’ର ମୁଖ୍ୟ କଳାକାରମାନେ ହେଲେ ଅନୁଭବ,ଶ୍ରୀତମ ଦାସ,ଦୀପକ, ପ୍ରଦ୍ୟୁମ୍ନ ଲେଙ୍କା। ଏହାର ଗୀତିକାର-ସଙ୍ଗୀତକାର ହେଲେ ମନ୍ମଥ ମିଶ୍ର।
ଏହାଛଡ଼ା ହର ପଟ୍ଟନାୟକ ଅନ୍ୟ ତିନିଜଣ ନିର୍ଦ୍ଦେଶକଙ୍କ ବିଭିନ୍ନ ସିନେମାରେ ବି ପଜିଟିଭ୍ ରୋଲ କରିଥିଲେ। ଏଥିମଧ୍ୟରୁ ଗୋଟିଏ ହେଲା ହର ପଟ୍ଟନାୟକଙ୍କ ସାନଭାଇ ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରଥମ ପ୍ରେମ’। ଠିକ୍ ସେହିପରି ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘କୃଷ୍ଣା କାବେରୀ’ ଏବଂ ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ରାମଲକ୍ଷ୍ମଣ’ରେ ବି ଚରିତ୍ର ଅଭିନେତାଭାବେ ପରଦାକୁ ଆସିଥିଲେ୰ ହର ପଟ୍ଟନାୟକ।


ସବୁଠାରୁ ବଡ଼ କଥା ହେଲା ଖଳନାୟକଭାବେ ବେଶ ଚର୍ଚ୍ଚାରେ ରହିଥିବା ହର ଏକ ସିନେମାରେ ନାୟକ ବି ବନିଥିଲେ। ଏହା ହେଲା ଜଣାଶୁଣା ନିର୍ମାତା ୰ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଅଣ୍ଟି ଛୁରି ତଣ୍ଟି କାଟେ’। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ବାଙ୍କୁ,ବିଜୟ ମହାନ୍ତି ଏବଂ ଅନୀତା ଦାସ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଏଥିରେ ହର ପଟ୍ଟନାୟକଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିଥିଲେ ସ୍ନିଗ୍ଧା ମହାନ୍ତି। ‘ଅଣ୍ଟି ଛୁରି ତଣ୍ଟି କାଟେ’ରେ ହର ଏବଂ ସ୍ନିଗ୍ଧାଙ୍କ ଉପରେ ପିକଚରାଇଜ ହୋଇଥିବା ଗୀତ ‘ଏଇ ମନ୍ଦିର ସାକ୍ଷୀ ଏଇ ସିନ୍ଦୂର ସାକ୍ଷୀ, ତୁମ ହାତେ ଦେଲି ଜୀବନ ବିକି….’ଆଜି ବେଶ ଲୋକପ୍ରିୟ। ଏହାର ସଙ୍ଗୀତକାର ହେଲେ ଅମରେନ୍ଦ୍ର ମହାନ୍ତି। ଏହାର ଗୀତିକାର ହେଲେ ଶୀର୍ଷାନନ୍ଦ ଦାସକାନୁନଗୋ।

ସମ୍ବନ୍ଧିତ ଖବର