ଓଲିଉଡ୍ର ଆକସନ୍ ବୟ ଅରିନ୍ଦମ୍ ବ୍ରଜରାଜ ମୁଭିଜ୍ ବ୍ୟାନରରେ ନିର୍ମିତ ହିଟ୍ ସିନେମା ‘ପ୍ରେମ ଋତୁ ଆସିଲାରେ’ରୁ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। ଏଥିରେ ଅରିନ୍ଦମ୍ଙ୍କ ବିପକ୍ଷରେ ନମ୍ରତା ଥପ୍ପାଙ୍କୁ ଦେଖିବାକୁ ମିଳିଥିଲା ନାୟିକା ଭୂମିକାରେ।ଏହଛଡ଼ା ସିଦ୍ଧାନ୍ତ,ଅନୁ ଚୌଧୁରୀ,ବିଜୟ ମହାନ୍ତି ଓ ମିହିର ଦାସ ପ୍ରମୁଖ ଅଭିନୟ କରିଥିଲେ ଏଥିରେ। ‘ପ୍ରେମ ଋତୁ ଆସିଲାରେ’ର ସଂଳାପକାର ରଣଜିତ ପଟ୍ଟନାୟକ ଓ ସଙ୍ଗୀତକାର ଥିଲେ ସ୍ୱରୂପ ନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
‘ପ୍ରେମ ଋତୁ ଆସିଲାରେ’ ପାଇଁ ଚୁକ୍ତିବଦ୍ଧ ହେବା ପୂର୍ବରୁ ଅରିନ୍ଦମ୍ ସେ ସମୟରେ ଅନ୍ୟତମ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଏକ ଫିଲ୍ମରେ ବ୍ରେକ୍ ପାଇବେ ବୋଲି ଚର୍ଚ୍ଚା ହୋଇଥିଲା।ଅରିନ୍ଦମ୍ ମଧ୍ୟ ହରଙ୍କୁ ଏ ସଂପର୍କରେ ଏକାଧିକବାର ଭେଟିଥିଲେ। କିନ୍ତୁ ହରଙ୍କ ସହ ଫିଲ୍ମରେ କାମ କରିବା ପୂର୍ବରୁ ତାଙ୍କୁ ବ୍ରଜରାଜ ମୁଭିଜ୍ର ଫିଲ୍ମ ‘ପ୍ରେମ ଋତୁ ଆସିଲାରେ’ ମିଳିଯାଇଥିଲା। ଏଣୁ ଏହାକୁ ଉପଯୁକ୍ତ ଓ ଭଲ ଅଫର୍ ବୋଲି ମନେକରି ଏଥିରେ କାମ କରିଥିଲେ ଅରିନ୍ଦମ୍। ହେଲେ ଅରିନ୍ଦମ୍ ହର ପଟ୍ଟନାୟକଙ୍କର ଯେଉଁ ସିନେମାରେ ହିରୋ ହେବାର ଥିଲା,ତାହା କେବେ ଫ୍ଲୋର୍କୁ ଯାଇନଥିଲା।
ଯଦି ଅରିନ୍ଦମ୍ ହର ପଟ୍ଟନାୟକଙ୍କ ସହ କାମ କରିନାହାନ୍ତି ବୋଲି ଆପଣ ଭାବୁଥିବେ,ତେବେ ତାହା ଆପଣଙ୍କର ଭୁଲ୍। କାରଣ ଅରିନ୍ଦମ୍ ପରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ରୋମିଓ ଦ ଲଭରବୟ୍’ରେ କାମ କରିଥିଲେ। ଏହାଥିଲା ଷ୍ଟାର୍ସନ୍ ବାବୁସାନ୍ଙ୍କ ଡ଼େବ୍ୟୁ ସିନେମା।ଏହି ଫିଲ୍ମରେ ଅରିନ୍ଦମ୍ଙ୍କୁ ସ୍ପେସିଆଲ୍ ଆପିଅରାନ୍ସରେ ଦେଖିବାକୁ ମିଳିଥିଲା। ଏହି ସିନେମା ପରେ ନାୟକ ଅରିନ୍ଦମ୍ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଅନ୍ୟ କୌଣସି ଫିଲ୍ମରେ କାମ କରି ନ ଥିଲେ।