ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ ‘ଯୋଗୀ’ ଓରଫ ହର ରଥ ?

କ’ଣ ସଫେଇ ଦେଲେ

ଓଲିଉଡ଼ର ବହୁମୁଖୀ ପ୍ରତିଭା ସଂପନ୍ନ ଅଭିନେତା ହର ରଥ ସଂପ୍ରତି ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ‘ଯୋଗୀ’ ଚଳଚ୍ଚିତ୍ର ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି। ଏଥିରେ ଦର୍ଶକ ତାଙ୍କୁ ଲିଡ଼ ରୋଲରେ ଦେଖିବାକୁ ପାଇବେ। ପରଦାରେ ହର ନାୟକ , ଖଳନାୟକ , ସହ ନାୟକ ,ଚରିତ୍ର ଅଭିନେତା ଏପରିକି ହାସ୍ୟ ଅଭିନେତା ଭାବେ ମଧ୍ୟ ଦେଖାଦେଇଛନ୍ତି । ବନ୍ଦେ ଉତ୍କଳ ଜନନୀ , ଏସି ପି ରଣବୀର, ମୀମାଂସା , କେହି ନୁହେଁ କାହାର , ମୋଷ୍ଟ ଓ୍ଵାଣ୍ଟେଡ଼ , ଲଭ୍‌ ୟୁ ଜେସିକା ଭଳି ଚଳଚ୍ଚିତ୍ରରେ ଦର୍ଶକ ଏବଂ ସମୀକ୍ଷକ ତାଙ୍କର ଅଭିନୟକୁ ପ୍ରଶଂସା କରିଛନ୍ତି । ସମ୍ବାଦ ଡ଼ଟ ଇନ ପକ୍ଷରୁ ହର ରଥଙ୍କୁ ସାକ୍ଷାତ କରିଥିଲେ ସୁମନ ମହାନ୍ତି ଓ ମୋନାଲିସା ପରିଡ଼ା ।

ପ୍ରଶ୍ନ :‘ଯୋଗୀ’ ଚଳଚ୍ଚିତ୍ର ରେ ଆପଣଙ୍କର ଚରିତ୍ର କିପରି ରହିଛିି?
ଉ: ଏଥିରେ ମୁଁ ଜଣେ ଯୋଗୀ ମୁଖ୍ୟମନ୍ତ୍ରୀର ଚରିତ୍ରରେ ଅଭିନୟ କରିଛି । ଯୋଗୀ ଯିଏ ଦୁନିଆର ମୋହ ମାୟା ଛାଡ଼ି ଥାଏ । ଏହାପରେ ମଧ୍ୟ ଯୋଗୀ କିପରି ରାଜନୀତିରେ ରହି ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

ପ୍ରଶ୍ନ :ଚଳଚ୍ଚିତ୍ରରେ ଆପଣଙ୍କ ଅଭିନୀତ ଚରିତ୍ର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଦ୍ୱାରା ଅନୁପ୍ରେରିତ କି?
ଉ: ନା , ବିଲକୁଲ ନୁହଁ । ସମସ୍ତେ ପ୍ରାୟ ଏଥିରେ ମୋ ଲୁକ୍‌ ଦେଖି ତାଙ୍କ ସହ ତୁଳନା କରିଛନ୍ତି । କିନ୍ତୁ ତାଙ୍କର ଏବଂ ଏହି ଚରିତ୍ର ମଧ୍ୟରେ କିଛି ମଧ୍ୟ ସଂପର୍କ ନାହିଁ ।

ପ୍ରଶ୍ନ :ଆପଣଙ୍କୁୁ କେଉଁ ଚରିତ୍ରରେ ଅଭିନୟ କରିବାକୁ ଭଲ ଲାଗେ?
ଉ: ମତେ ପ୍ରକୃତରେ ଅଭିନୟ କରିବାକୁ ଭଲ ଲାଗେ । ସେ ଯେକୌଣସି ବି ଚରିତ୍ର ହେଉ ଛୋଟ ବା ବଡ଼ ମୁଁ ଅଭିନୟ କରିବା ପାଇଁ କେବେ ମଧ୍ୟ ପଛଘୁଞ୍ଚା ଦେଇନି କି ଦେବିନି ।

ପ୍ରଶ୍ନ :ଯୋଗୀ ଚଳଚ୍ଚିତ୍ରର କେଉଁ ଗୀତ ଆପଣଙ୍କୁ ଭଲ ଲାଗୁଛି ?
ଉ: ସେଥି ମଧ୍ୟରୁ ମତେ ୨ଟି ଗୀତ ଭଲ ଲାଗୁୁଛି, ଏହାର ଟାଇଟଲ ଗୀତ ଏବଂ ଭ୍ରଷ୍ଟାଚାର ମନ୍ତ୍ରୀଙ୍କ ଉପରେ ଆଧାରିତ ‘ମାଧିଆ…’ ଗୀତଟା ବହୁତ ଭଲ ଲାଗୁଛି ।

ପ୍ରଶ୍ନ :ଯୋଗୀ ଚରିତ୍ର ପାଇଁ କିଛି ହରାଇବାକୁ ପଡ଼ିଛି କି?
ଉ: ଅଭିନେତାଙ୍କର ସବୁଠାରୁ ଆକର୍ଷଣୀୟ ଜିନିଷ କେଶ । ମତେ ଏହି ଚରିତ୍ର ପାଇଁ ତାକୁ ହିଁ ଦାନ କରିବାକୁ ପଡ଼ିଥିଲା । ମୁଁ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୩ ମାସ ହେବ ଲଣ୍ଡା ହେଲିଣି । ଏହି ସିନେମା ପାଇଁ ମତେ ନୀଳମାଧବ ପଣ୍ଡା ଏବଂ ବେଙ୍ଗଲର ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ହରାଇବାକୁ ପଡ଼ିଥିଲା । ଏହି କାରଣରୁ ମୁଁ ‘ଯୋଗୀ’ର ପ୍ରଯୋଜକଙ୍କ ଉପରେ ଟିକେ ଚିଡ଼ି ମଧ୍ୟ ଯାଇଥିଲି ।

ପ୍ରଶ୍ନ : ଆପଣଙ୍କୁ ପିଲା ବେଳୁ କଣ ଅଭିନୟ କରିବାର ଇଚ୍ଛା ଥିଲା ?
ଉ: ମୁଁ ଗଞ୍ଜାମର ଧରାକୋଟରେ ପଢ଼ୁଥିଲି । ସେଠାରେ ବାର ମାସରେ ତେର ପର୍ବ ସବୁ ଦେଖିବାକୁ ମିଳିଥାଏ । ସ୍କୁଲ ଯିବା ବେଳ ଯାହା ଦେଖେ ସାଙ୍ଗମାନଙ୍କ ସହ ମିଶି ନାଟକର ରୁପ ଦିଏ । ସ୍କୁଲରେ ପଢ଼ିବା ସମୟରେ ନାଟକ , ଡ଼୍ରାମା ଆଦିରେ ଅଭିନୟ କରିବାର ବହୁତ ଆଗ୍ରହ ଥିଲା । ଏହାପରେ ଆସ୍କା ,ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ମୁଁ ପୁରସ୍କାର ପାଇଛି। ତେଣୁ କହିବାକୁ ଗଲେ ପିଲାବେଳୁ ହିଁ ଆଗ୍ରହ ଥିଲା ଅଭିନୟରେ ।

ପ୍ରଶ୍ନ :ଆପଣ ଅଭିନୟ ଜଗତକୁ କପରି ଆସିଲେ ?
ଉ: ମୁଁ ପ୍ରଥମେ କ୍ୟାମେରା ଫଛରେ କାମ କରୁଥିଲି । ମୁଁ ମେକଅପ ମେନ , ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର , ଏଡ଼ିଟର ଆଦି ବିଭିନ୍ନ କାମ କରିଛି । ଏହାପରେ ମଧ୍ୟ ମନରେ ପିଲାବେଳର ସେହି ଅଭିନୟ କରିବାର ଆଶା ରହିଥିଲା । ରାଜୁ ମିଶ୍ରଙ୍କ ସହ କାମ କଲାବେଳେ ମୁଁ ସ୍କ୍ରିପ୍ଟକୁ ନେଇ ବାଥରୁମରେ ଅଭ୍ୟାସ କରୁଥିଲି, କାଳେ ଏ ଚରିତ୍ରଟି ମତେ ମିଳିଯିବ କି ଭାବି । ପରେ ଜୁନିୟର ଆଟିଷ୍ଟ୍‍ ଭାବେ ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚତ୍ର ‘ପ୍ରିୟା ମୋ’ ପ୍ରିୟା’ରେ ଗୋଟିଏ ସିନ୍‌ ପାଇଁ ଡ଼ାକିଥିଲେ । ଏହିଠାରୁୁ ମୋର କ୍ୟାମେରା ସାମ୍ନା କ୍ୟାରିଅର ଆରମ୍ଭ ହୋଇଥିଲା ।

ପ୍ରଶ୍ନ :ଓଡ଼ିଆ ସିନେମାରେ ଆଉ କଣ ଅଭାବ ଅଛି ?
ଆମ ଓଡ଼ିଆ ସିନେମାରେ ପ୍ରକୃତ କାହାଣୀର ବହୁତ ଅଭାବ ରହିଛି। ପ୍ରାୟ ସିନେମା ଏବଂ କାହାଣୀ କପି କରାଯାଉଛି ଯାହା ଦ୍ୱାରା କାହାଣୀର ଅସ୍ତିତ୍ୱ ରହୁନାହିଁ । ଆମ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ୍‌ ଡ଼ାଇରେକ୍ଟର କେହି ନାହାନ୍ତି ଯାହା ଦ୍ୱାରା ଚଳଚ୍ଚିତ୍ରକୁ କାହାଣୀ ହିସାବରେ କଳାକାର ମିଳିପାରୁନାହାନ୍ତି।

 

ସମ୍ବନ୍ଧିତ ଖବର