ମୋଦୀ ଓ ଶାହାଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରି ଭିଡିଓ ଛାଡ଼ିବାରୁ ର୍ୟାପର୍ ହାର୍ଡ କୌର୍ଙ୍କ ଟ୍ଵିଟର୍ ଆକାଉଣ୍ଟ୍ ବନ୍ଦ ହେଲା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିବାରୁ ର୍ୟାପର୍ ହାର୍ଡ କୌର୍ଙ୍କ ଟ୍ଵିଟର୍ ଆକାଉଣ୍ଟ୍କୁ ବନ୍ଦ କରି ଦିଆଯାଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଏହି କଣ୍ଠଶିଳ୍ପୀ ୨.୨୦ ମିନିଟ୍ର ଏକ ଭିଡିଓରେ ମୋଦୀ ଓ ଶାହା ବିରୋଧୀ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳିଥିଲେ। ଏପରିକି ସେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁଥିବାର ସୂଚନା ମଧ୍ୟ ରହିଛି।
ଭିଡିଓରେ କୌର୍ ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହାଙ୍କୁ ଚ୍ୟାଲେଞ୍ଜ୍ କରୁଥିବାର ଦେଖିବାକୁ ମିଳିଥିଲା। ମୋଦୀ ଓ ଶାହା ବିରୋଧୀ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦୀୟ ହୋଇ ପଡ଼ିଲେ ହାର୍ଡ କୌର୍। ଏହି ଭିଡିଓକୁ ସେୟାର୍ କରିବା ପରେ ପରେ ଟ୍ଵିଟର୍ରେ ଟ୍ରେଣ୍ଡ୍ ପାଲଟି ଗଲେ ହାର୍ଡ କୌର୍ ଭାବେ ବହୁ ପରିଚିତା ପପ୍ ଗାୟିକା ତରନ କୌର ଢିଲୋଁ।

ଏପରିକି ସେ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଏକ ଆଗାମୀ ଗୀତର ପ୍ରମୋସ୍ନାଲ୍ ଭିଡିଓ ବି ସେୟାର୍ କରିଛନ୍ତି। ସେହି ଗୀତଟି ଖଲିସ୍ତାନକୁ ସମର୍ଥନ କରି ଲେଖା ଯାଇଛି।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଗତ ଜୁନ୍ରେ ହାର୍ଡ କୌରଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା।
Comments are closed.