ଅନୁଷ୍କା ଶର୍ମାଙ୍କ ‘ସୁଇଧାଗା’ ଲୁକ୍‌କୁ ନକଲ କଲେ କି ହିନା ଖାନ?

ନୂଆଦିଲ୍ଲୀ : ବିଗ୍‌ ବସ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ହିନା ଖାନ ଖୁବ୍‌ ଶୀଘ୍ର ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ନଜର ଆସିବା ପାଇଁ ଯାଉଛନ୍ତି । ନିକଟରେ ଏଥିରେ ଥିବା ତାଙ୍କ ଲୁକ୍‌ର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନାମ ‘ସ୍ମାର୍ଟଫୋନ୍‌’ ହୋଇଥିବା ବେଳେ ଏଥିରେ ହିନା ଜଣେ ସାଧାରଣ ଗାଉଁଲୀ ମହିଳା ଭାବେ ନଜର ଆସୁଛନ୍ତି। ତେବେ ଏଥିରେ ତାଙ୍କର ଲୁକ୍‌କୁ ନେଇ ଅନେକ ପ୍ରଶଂସା କରିଥିବା ବେଳେ କିଛି ତାଙ୍କୁ ଅନୁଷ୍କାଙ୍କ ‘ସୁଇଧାଗା’ ଚଳଚ୍ଚିତ୍ରର ଲୁକ୍‌ ସହ ତୁଳନା କରିଛନ୍ତି।

ବରୁଣ ଧଓ୍ଵନ ଏବଂ ଅନୁଷ୍କା ଶର୍ମାଙ୍କ ‘ସୁଇଧାଗା’ ଚଳଚ୍ଚିତ୍ରର ସୁଟିଂ ବର୍ତ୍ତମାନ ଚାଲୁଥିବା ବେଳେ ଏଥିରେ ଅନୁଷ୍କାଙ୍କ ସାଧାରଣ ମହିଳା ଲୁକ୍‌ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ହିନାଙ୍କ କ୍ଷୁତ୍ର ଚଳଚ୍ଚିତ୍ରର ଲୁକ୍‌ ଅନୁଷ୍କାଙ୍କ ସହ ବହୁ ସମଞ୍ଜସ୍ୟ ରହିଛି। ତେବେ ହିନା ସୋସିଆଲ ମିଡ଼ିଆରେ ତାଙ୍କର ଫଟୋ ପୋଷ୍ଟ କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି ‘ମୁଁ ଅଭିନୟକୁ ବହୁତ ଭଲପାଏ। ଏଣୁ ଏହା ସହ ଜଡ଼ିତ ସମସ୍ତ ବାଧାକୁ ସ୍ୱୀକାର କରିଥାଏ । ମୁଁ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିପାରିବି ଏବଂ ତାହା ହିଁ ମତେ ଭର୍ସାଟାଇଲ ଅଭିନେତ୍ରୀ ଭାବେ ପ୍ରମାଣିତ କରିବ। ଆଶା କରୁଛି କି ଆପଣଙ୍କୁ ମୋର ନୂଆ ରୂପ ପସନ୍ଦ ଆସିବ ।’
ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଅଙ୍କୁଶ ଭଟ୍ଟ । ତେବେ ଅଙ୍କୁଶ ଏହା ପୂର୍ବରୁ ମଧ୍ୟ ଟେଲିଭିଜନ ଅଭିନେତ୍ରୀ ମିଶଲ ମହେଜାଙ୍କ ସହିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିସାରିଛନ୍ତି। ହିନାଙ୍କୁ ରିଆଲିଟି ସୋ’ ବିଗବସ ଦ୍ୱାରା ଏକ ଭିନ୍ନ ପ୍ରକାରର ସଫଳତା ମିଳିଥିଲା । ଏଣୁ ତାଙ୍କର ପୂର୍ବ ସୋ’ ଭଳି ଏହା ମଧ୍ୟ ଦର୍ଶକଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିବ ବୋଲି ଆଶା କରୁଛନ୍ତି ହିନା ଏବଂ ଅଙ୍କୁଶ।

ସମ୍ବନ୍ଧିତ ଖବର