ଇଣ୍ଡିଆନ ଆଇଡଲ୍‌ ଛାଡ଼ିବା ପଛର କାରଣ କହିଲେ ମିନି ମାଥୁର : ରିୟଲିଟି ସୋ’ରେ କିଛି ବି ‘ରିଅଲ୍‌’ ହୋଇ ନ ଥାଏ !

ମୁମ୍ବାଇ : ଟେଲିଭିଜନ ଚାନେଲରେ ରିୟାଲିଟି ସୋ’ ବେଶ୍‌ ଲୋକପ୍ରିୟ । ପ୍ରତି ଚ୍ୟାନେଲରେ କିଛି ନା କିଛି ରିୟଲିଟି ସୋ’ ଚାଲୁଥିବା ବେଳେ ଦେଶର ବିଭିନ୍ନ କୋଣରୁ ଲୋକମାନେ ନିଜର ସ୍ୱପ୍ନ ପୂରଣ କରିବା ଆଶାରେ ଏଥିରେ ସାମିଲ୍‌  ହୋଇଥାନ୍ତି । କିଛି ଲୋକଙ୍କ ସ୍ୱପ୍ନ ପୂରଣ ହୋଇଥାଏ ତ କିଛି ଜଣଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଥାଏ । ତେବେ ରିୟଲିଟି ସୋ’ରେ ସବୁ କିଛି ରିଅଲ ହେଉଛି ବୋଲି ଭାବୁଥିବା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ଇଣ୍ଡିଆନ୍‌ ଆଇଡଲର ପୂର୍ବତନ ହୋଷ୍ଟ ମିନି ମାଥୁରଙ୍କ ଟ୍ଵିଟ୍‌ । କ’ଣ ପାଇଁ ସେ ଇଣ୍ଡିଆନ୍‌ ଆଇଡଲ ଛାଡ଼ିଥିଲେ ଏହା ପଛର କାରଣ ଏବେ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

୨୦୦୪-୨୦୦୭ ପର୍ଯ୍ୟନ୍ତ ଇଣ୍ଡିଆନ୍‌ ଆଇଡଲର ହୋଷ୍ଟ ଭାବେ କାର୍ଯ୍ୟ କରିଥିଲେ ମିନି । ୨୦୧୨ରେ ସେ ଏହି ସୋ’ ହୋଷ୍ଟ କରିବା ଛାଡ଼ି ଦେଇଥିଲେ । ଟ୍ଵିଟରରେ ନିଶାନ୍ତ କୌଶିକ୍‌ ନାମକ ଜଣେ ଯୁବକଙ୍କ ଟ୍ଵିଟ୍‌ ପରେ ମିନି ନିଜର ମତ ରଖିଥିବା ଦେଖା ଯାଇଛି । ନିଶାନ୍ତ ୨୦୧୨ରେ ଇଣ୍ଡିଆନ୍‌ ଆଇଡଲର ଅଡ଼ିସନ ପାଇଁ ଯାଇଥିବା ବେଳେ ନିଜର ଅଭିଜ୍ଞତା ଟ୍ଵିଟ୍‌ କରି ସେୟାର କରିଥିଲେ । ଇଣ୍ଡିଆନ୍‌ ଆଇଡଲରେ ପ୍ରତିଯୋଗୀମାନଙ୍କୁ ଗାଳି ସହିବାକୁ ପଡ଼ିଥାଏ । ଏଠାରେ ପ୍ରତିଯୋଗୀମାନଙ୍କ ସ୍ୱପ୍ନ ପୂରା କରିବା ସହ ସ୍ୱପ୍ନ ଭାଙ୍ଗି ଦିଆଯାଇଥାଏ । ଲମ୍ବା ଲାଇନ୍‌ରେ ଠିଆ ହୋଇ ଭୋକ ଉପାସରେ ଲାଇନ କରିବାକୁ ପଡ଼ିଥାଏ । ସକାଳୁ ସଂନ୍ଧ୍ୟା ଏବଂ ପୁଣି ସକାଳ ହୋଇ ଯାଇଥାଏ । ପ୍ରତିଯୋଗୀମାନଙ୍କୁ ସେଭଳି ଭାବରେ ଠିଆ ହେବାକୁ ପଡ଼ିଥାଏ । ଏପରିକି ଶୌଚାଳୟ ମଧ୍ୟ ଯିବା ସମ୍ଭବ ହୋଇ ନଥାଏ। ନିଶାନ୍ତଙ୍କ ଏହି ଟ୍ଵିଟ୍‌ ଦେଖି ସୋ’ ଛାଡ଼ିବା ପଛରେ ଏହି ସବୁ ଜିନିଷ ମଧ୍ୟ ଗୋଟେ କାରଣ ଥିଲା  ବୋଲି  କହିଥିଲେ ମିନି।

ରିୟାଲିଟି ସୋ’ରେ କିଛି ବି ‘ରିଅଲ୍‌’ ନୁହେଁ ବୋଲି ମିନି ନିଜର ପ୍ରତିକ୍ରିୟା ରଖିଥଲେ ।

ସମ୍ବନ୍ଧିତ ଖବର