ସାଙ୍ଗମାନଙ୍କ ସହ ଥିବା ବେଳେ କେବେ ଟ୍ରାଫିକ୍‌ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି ତ କେବେ ଅନୁରୋଧ କରି ଖସିଯାଆନ୍ତି ଅମ୍ଳାନ

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଲିଉଡ୍‌ର ଜଣେ ଜଣାଶୁଣା ନାୟକ ଅମ୍ଳାନ। ୨୦୧୩ ମସିହାରେ ‘ଟାର୍ଗେଟ’ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର୍‌ ଆରମ୍ଭ କରି ଗୋଟାଏ ପରେ ଗୋଟାଏ ହିଟ୍‌ ଚଳଚ୍ଚିତ୍ର ଦେଇ ପାଲଟି ଯାଇଛନ୍ତି ବହୁଚର୍ଚ୍ଚିତ ଚେହେରା। ପରେ ସେ ‘ତୁ ମୋ ଦେହର ଛାଇ’, ‘ଗୋଲାପୀ ଗୋଲାପୀ’, ‘ନୂଆ ନୂଆ ପ୍ରେମରେ’, ‘ତୋର ଦିନକୁ ମୋର ଦିନେ’, ‘ଟାଇଗର୍‌’, ‘ବଜରଙ୍ଗୀ’, ‘ତୁ କହିବୁ ନା ମୁଁ’ ଆଦି ଚଳଚ୍ଚିତ୍ରରେ ନିଜର ଅଭିନୟର ଜଲଓ୍ଵା ଦେଖାଇ ସାରିଛନ୍ତି । ୨୦୧୬ ମସିହାରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚିନି’  ଶ୍ରେଷ୍ଠ ଚଳଚ୍ଚିତ୍ର ମନୋନୀତ ହୋଇ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । କେବଳ ଜଣେ ଭଲ ଅଭିନେତା ନୁହନ୍ତି, ଅମ୍ଳାନ ଜଣେ ଭଲ ମଣିଷ ମଧ୍ୟ। ନୂଆ ଟ୍ରାଫିକ୍‌ ନିୟମ ସଂପର୍କରେ ଲୋକଙ୍କୁ ସଚେତନ କରାଇ ନାବଳକଙ୍କୁ ଅନାବଶ୍ୟକ ଯାନ ଚଳାଇବାକୁ ନ ଦେବାକୁ ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି । ଟ୍ରାଫିକ୍‌ ନିୟମ ବ୍ୟତୀତ ସ୍ୱଚ୍ଛ ଭାରତ, ପ୍ରଦୂଷଣ ସଚେଚନତା ଆଦି ଜନ ସଚେତନତା କାର୍ଯ୍ୟକୁ ଗମ୍ଭୀର ଭବେ ନେବାକୁ ସେ ଲୋକମାନଙ୍କୁ ଆହ୍ଵାନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଗତ ସ୍ତରରେ ସଚେତନ ହେଲେ ହିଁ ରାଜ୍ୟ ବଦଳିବ ଓ ଦେଶ ବଦଳିବ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଏହି ସ୍ରଷ୍ଟା ଏ ସପ୍ତାହରେ ଆମ ସହ ତାଙ୍କ ମନର ଅନେକ କଥାକୁ ବାଣ୍ଟିଛନ୍ତି।

୧. ପ୍ରଶ୍ନ: ଆପଣ ଓଲିଉଡ୍‌ର ଜଣେ ଚିହ୍ନା ଚେହେରା। ତେବେ, ଆପଣ ଯଦି ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ହୋଇ ନଥାନ୍ତେ ତେବେ କ’ଣ ଏତିକି ସଫଳତା ପାଇଥାନ୍ତେ?
ଉତ୍ତର: ମୋତେ ତ ଲାଗେ କୌଣସି ବି ଲୋକ ନିଜ କାମକୁ ନେଇ ଶତ ପ୍ରତିଶତ ସନ୍ତୁଷ୍ଟ ନ ଥାଏ। ମୋର ବି ସେମିତି ଅସନ୍ତୋଷ ଅଛି। ମୁଁ ଜଣେ ସଫଳ ବ୍ୟକ୍ତି ବୋଲି କେବେ ବି ଅନୁଭବ ହୋଇନି। ଆଜି ପର୍ଯ୍ୟନ୍ତ ବି ଫିଲ୍ମ ସୁଟ୍ କରିଛି  ଗୋଟେ ଟେକ୍‌ ଦେଇ ଆସିଲା ପରେ ଟେକ୍‌ଟି ଆଉ ଟିକେ ଭଲ ହୋଇପାରିଥାନ୍ତା ବୋଲି ଭାବେ। ହଁ, ଯଦି ମୁଁ ମିହିର ଦାସଙ୍କ ପୁଅ ହୋଇନଥାନ୍ତି ତେବେ ମୁଁ ଆଜି ଅନ୍ୟ କେଉଁ ବୃତ୍ତିରେ ଥାଆନ୍ତି ବୋଧହୁଏ।

୨. ଅମ୍ଳାନଙ୍କ ସ୍ୱପ୍ନର ନାୟିକା କିଏ? ସେ କେଉଁଟି ଅଛନ୍ତି?
ଉତ୍ତର: ମୁଁ ଜାଣିନି ସତରେ। ମୋତେ ବାସ୍ତବ ଜୀବନରେ ଆଜି ପର୍ଯ୍ୟନ୍ତ ପ୍ରେମର ଭାବନା ଆସିନାହିଁ କାହା ପ୍ରତି। ମୋତେ କେବେ ବି ଆଜି ପର୍ଯ୍ୟନ୍ତ ପ୍ରେମ ହେଇନି।

୩. ପ୍ରଶ୍ନ: କେଉଁ ଧରଣରେ ଯାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି ଅମ୍ଳାନ? କାର୍‌, ବାଇକ୍‌, ଫ୍ଲାଇଟ୍‌, ଅଟୋ, ବସ୍‌, ସାଇକେଲ୍‌ ନା ଆଉ କିଛି?
ଉତ୍ତର: ମୋତେ ମୋ ଗାଡ଼ିରେ ଯାତ୍ରା କରିବାକୁ ଖୁବ୍‌ ଭଲ ଲାଗେ। ମୋତେ ଯଦି ସୁଯୋଗ ମିଳେ ମୁଁ ମୋ ଗାଡ଼ି ନେଇ ସାରା ଦୁନିଆ ବୁଲି ଆସିବି।

୪. ପ୍ରଶ୍ନ: ବାସ୍ତବ ଜୀବନରେ ଅମ୍ଳାନ ପ୍ରଥମ ଚୁମ୍ବନ କେବେ ଓ କାହାକୁ ଦେଇଥିଲେ?
ଉତ୍ତର: ମୁଁ ନବମ ଶ୍ରେଣୀରେ ପଢ଼ିଲା ବେଳେ ଜଣେ ଝିଅକୁ ପ୍ରଥମ ଚୁମ୍ବନ ଦେଇଥିଲି। ମୁଁ ପିଲାଦିନେ ଖୁବ୍‌ ବଦ୍‌ମାସ ଥିଲି। ସ୍କୁଲ୍‌ରେ ପଢ଼ିଲା ବେଳେ ସାଙ୍ଗମାନଙ୍କ ସହ ବାଜି ପକେଇ ଜଣେ ଝିଅକୁ କିସ୍‌ କରିଥିଲି। ସେଥିପାଇଁ ବହୁତ ମାଡ଼ ବି ଖାଇଥିଲି ସ୍କୁଲ୍‌ରୁ।

୫. ପ୍ରଶ୍ନ: ଯଦି ବାପାଙ୍କ ସହ କେବେ ମନୋମାଳିନ୍ୟ କି ମତାନ୍ତର ହୁଏ ତେବେ ଅମ୍ଳାନ ଆଗ ଭୁଲ୍‌ ସ୍ୱୀକାରନ୍ତି ନା ମିହିରି ଦାସ?
ଉତ୍ତର: ମୁଁ କୌଣସି ବି ପରିସ୍ଥିତିରେ ନିଜ ପ୍ରତିକ୍ରିୟା ଦେଖାଏ ନାହିଁ। ସବୁବେଳେ ଚୁପ୍‌ ଥାଏ। ଯେହେତୁ ମୁଁ ସବୁବେଳେ ଚୁପ୍‌ ଥାଏ ତେଣୁ ମୋ କଥା ସଦା ରଖାଯାଏ। ବାକି ରହିଲା ସ୍ୱୀକାର କରିବା କଥା, ସେପରି ପରିସ୍ଥିତି ଆସେ ନାହିଁ।

୬. ପ୍ରଶ୍ନ: ଯଦି ସେମିତି ସୁଯୋଗ ମିଳେ ତେବେ ଆପଣ ଓଲିଉଡ୍‌ର କେଉଁ ନାୟିକାଙ୍କୁ ପତ୍ନୀ କରିବାକୁ ଚାହିଁବେ?
ଉତ୍ତର: କେବେ ବି ହୋଇପାରିବ ନାହିଁ। ଯାହାଙ୍କ ସହ ଅଭିନୟ କରୁଛୁ ସେମାନଙ୍କ ପ୍ରତି ବାସ୍ତବ ଭାବନା କେମିତି ଆସିବ? ଯେଉଁଟି ମିଛ ଭାବପ୍ରବଣତା ଦେଖେଇ ସାରିଛୁ ସେଠି ସତ ଭାବପ୍ରବଣତା ଆଉ ଦେଖେଇ ହବନି।

୭. ପ୍ରଶ୍ନ: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ଅମ୍ଳାନ କେବେ ଟ୍ରାଫିକ୍‌ ପୁଲିସ୍‌ ହାବୁଡ଼ରେ ପଡ଼ି ଜରିମାନା ଦେଇଛନ୍ତି?
ଉତ୍ତର: ହଁ,  ଅନେକ ଥର ଟ୍ରାଫିକ ହାବୁଡ଼ରେ ପଡ଼ିଛି। ଅନେକ ଥର ସିଟ୍‌ବେଲ୍‌ଟ ନ ଲଗାଇବା ପାଇ ଟ୍ରାଫିକ୍‌ ପୁଲିସ୍‌ ଧରିଛି। ଭାଗ୍ୟବଶତଃ ଚିହ୍ନିଥିବାରୁ ଛାଡ଼ି ଦେଇଥାନ୍ତି ଅଧିକାଂଶ ସମୟରେ। ମାତ୍ର ଅଭିନୟକୁ ଆସିବା ପୂର୍ବରୁ ଜରିମାନା ଦେଇଛି। ସେ ସମୟରେ ବାଇକ୍‌ ଚଲାଉଥିଲି। ୩ ଜଣ ବାଇକ୍‌ରେ ଯିବା କାରଣରୁ ହେଉ, କିମ୍ବା ହେଲ୍‌ମେଟ୍‌ ନପିନ୍ଧିବା କାରଣରୁ ହେଉ ପୁଲିସ୍‌ ଧରିଛି। ବହୁ ଅନୁରୋଧ କରି କେବେ ଖସିଛୁ ତ କେବେ ଜରିମାନା ଦେଇଛୁ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ‘ସମ୍ବାଦ.ଇନ୍‌’ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ୍‌)

ସମ୍ବନ୍ଧିତ ଖବର