ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ

ଦର୍ଶକଙ୍କୁ ‘ଅ ଆ ଈ’ ପାଠ ଶିଖାଇବା ପରେ ‘ଟପୋରି’ ବନିଥିବା ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ସମସ୍ତଙ୍କୁ ‘ବ୍ଲାକମେଲ’ କରିବା ପାଇଁ ଆସୁଛନ୍ତି ! ହଁ, ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ଲାକମେଲ୍‌’ ବିଷୟରେ ଅର୍ଦ୍ଧେନ୍ଦୁଙ୍କୁ ସାକ୍ଷାତ କରିଥିଲେ ‘ସମ୍ବାଦ ଡଟ ଇନ୍‌’ର ପ୍ରତିନିଧି ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା ।

ପ୍ରଶ୍ନ : କିପରି ରହିଛି ‘ବ୍ଲାକମେଲ୍‌’ ଚଳଚ୍ଚିତ୍ର କାହାଣୀ ?

ଉତ୍ତର : ସଂପୂର୍ଣ୍ଣ କାହାଣୀ ତ କହିପାରିବିନି । କିନ୍ତୁ ଚଳଚ୍ଚିତ୍ରର ନାଁ ଭଳି କାହାଣୀଟି ମଧ୍ୟ ଭିନ୍ନ ରହିଛି । ଏଥିରେ ମୋର ଡ଼ବଲ ରୋଲ ରହିଛି । ଏହି ଚଳଚ୍ଚିତ୍ରରେ ମୋର ଦୁଇ ଜଣ ନାୟିକା ରହିଛନ୍ତି- ଆହାନା ଏବଂ ତମନ୍ନା । ମୋର ଗୋଟିଏ ଚରିତ୍ର ଚଳଚ୍ଚିତ୍ରର ପ୍ରଥମ ଭାଗରେ ହିଁ ମରିଯାଇଛି ଏବଂ ଅନ୍ୟ ଚରିତ୍ରଟି ଚଳଚ୍ଚିତ୍ରର ପୂରା କାହାଣୀରେ ରହିଛି । ଏଥିରେ ଆପଣ ସିଦ୍ଧାନ୍ତ ମହାପାତ୍ର ଏବଂ ମନୋଜ ମିଶ୍ରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବେ ।

ପ୍ରଶ୍ନ: ‘ବ୍ଲାକମେଲ୍‌’ ଚଳଚ୍ଚିତ୍ରରେ ଦର୍ଶକଙ୍କୁ କ’ଣ ଅଲଗା ଦେଖିବା ପାଇଁ ମିଳିବ ?

ଉତ୍ତର : ସବୁଠାରୁ ଅଲଗା ହେଉଛି ଓଡ଼ିଶାର ପ୍ରସିଦ୍ଧ କୋରିଓଗ୍ରାଫର ଅମିତ ନାୟକ ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଆଉ ଗୋଟେ କଥା, ବହୁତ ଦିନ ପରେ ଉଦିତ ନାରାୟଣ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି । ପ୍ରେମ ଆନନ୍ଦ ସାର୍‌ ବହୁତ ଭଲ ଗୀତ ପ୍ରସ୍ତୁତ କରିଛନ୍ତି ଏବଂ ଦର୍ଶକଙ୍କୁ ତାହା ନିଶ୍ଚିତ ଭଲ ଲାଗିବ ବୋଲି ମୋ ଆଶା ।

facebook

ପ୍ରଶ୍ନ: ତେବେ ଅମିତ ନାୟକଙ୍କ ସହ ପ୍ରଥମ ଥର କାମ କରିବାର ଅନୁଭୂତି କିପରି ଥିଲା ?

ଉତ୍ତର : ପ୍ରକୃତରେ ଅମିତ ସାରଙ୍କୁ ମୁଁ ୫- ୬ ବର୍ଷ ହେଲା ଜାଣିଛି। ସେ ମୋର ଗୁରୁ । ତେଣୁ କହିବାକୁ ଗଲେ ବହୁତ ସହଜ ଥିଲା । ସେ ଯେମିତି ଭଲ କୋରିଓଗ୍ରାଫର, ତାହାଠାରୁ ମଧ୍ୟ ଜଣେ ଭଲ ନିର୍ଦ୍ଦେଶକ । ସେ ବହୁତ ଭଲରେ ସବୁ ଜିନିଷକୁ ବୁଝାଇଥିଲେ ଏବଂ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇ କିପରି ସରିଗଲା ସମୟ କିଛି ଜଣାପଡ଼ିଲାନି ।

facebook

ପ୍ରଶ୍ନ : ଚଳଚ୍ଚିତ୍ରରେ ଦୁଇ ଜଣ ନାୟିକା ରହିଛନ୍ତି, ତେବେ କାହା ସହିତ କାମ କରିବା ପାଇଁ ଅଧିକ ଭଲ ଲାଗିଥିଲା ?

ଉତ୍ତର : ଦୁଇ ଜଣଙ୍କ ସହ କାମ କରିବା ପାଇଁ ଭଲ ଲାଗିଥିଲା। କିଛି ସିନ୍‌ର ସୁଟିଂ ପୂର୍ବରୁ ହିଁ ଆମେ ମିଶି ଏହାର ଅଭ୍ୟାସ କରୁଥିଲୁ । ସେମାନେ ଦୁଇ ଜଣ ମତେ ବହୁତ ସାହାଯ୍ୟ କରିଛନ୍ତି ଏବଂ ଖୁବ୍‌ କୋପରେଟିଭ୍‌ ମଧ୍ୟ ।

ପ୍ରଶ୍ନ: ସମସ୍ତ ଚଳଚ୍ଚିତ୍ରରେ ଆପଣଙ୍କୁ ମନପସନ୍ଦର ଚରିତ୍ର ମିଳିଛି କି ?

ଉତ୍ତର : ହଁ , ଯେତେବେଳେ ଆପଣ କୌଣସି ଚରିତ୍ରରେ ମନପ୍ରାଣ ଦେଇ ଅଭିନୟ କରିଥାନ୍ତି ସେତେବେଳେ ତାହା ଆପଣଙ୍କର ମନପସନ୍ଦ ଚରିତ୍ର ହୋଇ ଯାଇଥାଏ ଏବଂ ଏ ପର୍ଯ୍ୟନ୍ତ ମୁଁ ଯେତେ ଚଳଚ୍ଚିତ୍ର କରିଛି ସବୁଥିରେ ମତେ ମୋର ଚରିତ୍ର ବହୁତ ଭଲ ଲାଗିଛି ।

ସମ୍ବନ୍ଧିତ ଖବର