କେଉଁ ଓଲିଉଡ୍‌ ନାୟକଙ୍କ ସହ ଡେଟ୍‌ କରିବାକୁ ଚାହାନ୍ତି ଦୀପ୍ତି? କାହିଁକି ପ୍ରେମ ଆନନ୍ଦଙ୍କ ଅଧିକାଂଶ ଗୀତରେ କରନ୍ତି କଣ୍ଠଦାନ?

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ଦୀପ୍ତିରେଖା ପାଢ଼ୀ। ସେ ଏକାଧାରରେ ଜଣେ ଲୋକପ୍ରିୟ ଗାୟିକା ଓ ନାୟିକା ମଧ୍ୟ। ୨୦୦୯ ମସିହାରେ ‘ଲଭ୍‌ ଡଟ୍‌ କମ୍‌’ ଚଳଚ୍ଚିତ୍ରର ‘ଓଠ ହେଲାଣି ଭାରି ଚଗଲା..’ ଗୀତରୁ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରି ଏଯାବତ୍‌ ପ୍ରାୟତଃ ୩୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ କଣ୍ଠଦାନ କରି ସାରିଲେଣି। ତେବେ ୨୦୧୬ ମସିହାର ଚଳଚ୍ଚିତ୍ର ‘ଭାଇନା କ’ଣ କଲା ସେ’ର ‘ଆ କରିବା ଠିଆ ପାଲା..’ ଦୀପ୍ତିଙ୍କ କ୍ୟାରିୟର୍‌କୁ ଏକ ଭିନ୍ନ ମୋଡ଼ ଦେଇଥିଲା। ସେହି ଗୀତକୁ ଅଗଣିତ ଶ୍ରୋତା ପସନ୍ଦ କରିଥିଲେ ଓ ତା’ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଦୀପ୍ତି। ଓଡ଼ିଶାର ବଛା ବଛା ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସ୍ୱରୁପ ନାୟକ, ଅମରେନ୍ଦ୍ର ମହାନ୍ତି, ମଳୟ ମିଶ୍ର, ଅଭିଜିଦ୍‌ ମଜୁମ୍‌ଦାର, ବୈଦ୍ୟନାଥ ଦାଶ, ଶାନ୍ତିରାଜ ଖୋସଲା, ଦୀପକ କୁମାର ପ୍ରମୁଖଙ୍କ ସହ କାମ କରି ସାରିଛନ୍ତି ଦୀପ୍ତି।

ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ଭିତରେ ରହିଛି ‘ଭାଇନା କ’ଣ କଲା ସେ’, ‘ବ୍ଲାକ୍‌ମେଲ୍‌’, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମ୍‌ କୁମାର’, ‘ଅଜବ ସଞ୍ଜୁର ଗଜବ ଲଭ୍‌’, ‘ତୁ ମୋ ଲଭ୍‌ ଷ୍ଟୋରି-୨’ ଇତ୍ୟାଦି। ଦୀପ୍ତି ଇଟିଭିରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ରାଜକନ୍ୟା’ରେ ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ଦର୍ଶକଙ୍କୁ ତାଙ୍କର ଚମତ୍କାର ଅଭିନୟ ମାଧ୍ୟମରେ ମନ୍ତ୍ରମୁଗ୍ଧ କରିଥିଲେ।

ଦୀପ୍ତି ‘ସମ୍ବାଦ୍‌ ଡଟ୍‌ ଇନ୍‌’କୁ ନିଜର ସାକ୍ଷାତ୍‌କାର ଦେଇ ତାଙ୍କ ଜୀବନର ବହୁ ଅକୁହା କଥାକୁ ଖୋଲାଖୋଲି ବଖାଣିଛନ୍ତି। ନିଜ ଅଭିନୟ ଓ ଗାୟିକୀର ସରଳପଣରେ ଫ୍ୟାନ୍‌ମାନଙ୍କୁ ବଶୀଭୂତ କରିଥିବା ଏହି ଗାୟିକା ଆମେ ପଚାରିଥିବା ୭ଟି ପ୍ରଶ୍ନର କିଭଳି ଉତ୍ତର ରଖିଛନ୍ତି ଚାଲନ୍ତୁ ପଢ଼ିବା।

୧. ପ୍ରଶ୍ନ: ଆପଣ ଜଣେ ସ୍ୱନାମଧନ୍ୟ ଗାୟିକା ହେବା ସହ ଜଣେ ସୁନ୍ଦରୀ ନାୟିକା ମଧ୍ୟ। ଯଦି କେବେ ଅଭିନୟ ଓ ସଂଗୀତ ମଧ୍ୟରୁ ଗୋଟିକୁ ବାଛିବାକୁ ପଡ଼େ ତେବେ କାହାକୁ ନିଜର କରିବେ?
ଉତ୍ତର: ଏବେ ପରିସ୍ଥିତିରେ ସଂଗୀତ। ସଂଗୀତ କ୍ଷେତ୍ରରେ ମୁଁ ଅଜସ୍ର ଲୋକଙ୍କ ସ୍ନେହ-ଶ୍ରଦ୍ଧା ସାଉଁଟି ପାରିଛି। ମୁଁ ଯଦି ସଂଗୀତକୁ ନିଜର ନ କରେ ତେବେ ମୁଁ ପଥଭ୍ରଷ୍ଟ ହୋଇଯିବି। ମୁଁ ନିଶ୍ଚୟ ଚାହିଁବି ସଂଗୀତକୁ ହିଁ ନିଜର କରିବାକୁ।

୨. ପ୍ରଶ୍ନ: ଗାୟିକା ଦୀପ୍ତିଙ୍କ ନାୟକ ଏବେ କେଉଁଠି ଅଛନ୍ତି ଆମକୁ ସେ ବିଷୟରେ କହିବେ କି?
ଉତ୍ତର: ନାୟକ ଏଯାବତ୍‌ ମୋ ସାମ୍ନାକୁ ଆସିନାହାନ୍ତି। ଭଗବାନ ହିଁ ଜାଣନ୍ତି ସେ କେଉଁଠି ଅଛନ୍ତି।

୩. ପ୍ରଶ୍ନ: ଆପଣଙ୍କୁ ଖଣ୍ଡେ କାଗଜ ଦିଆଯିବ। ସେ କାଗଜରେ ଏକ ବାର୍ତ୍ତା ଲେଖିବାକୁ କୁହାଯିବ। ଯାହାକୁ କି ଆପଣଙ୍କ ମୃତ୍ୟୁ ପରେ ଖୋଲାଯାଇ ପଢ଼ାଯିବ। ଆପଣ କାହା ପାଇଁ କ’ଣ ବାର୍ତ୍ତା ଛାଡ଼ିଯିବାକୁ ଚାହିଁବେ?
ଉତ୍ତର: ମୋ ବାପା ତ ଆଉ ଏ ଦୁନିଆରେ ନାହାନ୍ତି। ଯଦି ସିଏ ଥାଆନ୍ତେ ତେବେ ମୁଁ ହୁଏତ ତାଙ୍କ ପାଇଁ କିଛି ଗୋଟିଏ ବାର୍ତ୍ତା ଛାଡ଼ିକି ଯିବାକୁ ପସନ୍ଦ କରିଥାନ୍ତି।

୪. ପ୍ରଶ୍ନ: ଆପଣଙ୍କର ଅନେକ ଫ୍ୟାନ୍‌ ଥିବେ ଯିଏକି ଆପଣଙ୍କ ପାଇଁ ମନେ ରଖିବା ପରି କିଛି ପାଗଳାମୀ କରିିଥିବେ। ସେମିତି କିଛି ଫ୍ୟାନ୍‌ଙ୍କ ବିଷୟରେ ଆମକୁ କହିବେ?
ଉତ୍ତର: ହଁ , ମୋର ସେମିତି ଜଣେ ପ୍ରଶଂସକ ଅଛନ୍ତି ଯିଏ ସଦା ମନେ ରହିବେ। ସିଏ ମୋତେ ଆସି କହିଥିଲେ କି ୟୁଟ୍ୟୁବ୍‌ରେ ପ୍ରଥମେ ଦେଖିବା ପରେ ମୋ ଗାୟିକୀର ସରଳପଣ ପାଇଁ ତାଙ୍କୁ ମୋ ଉପରେ କ୍ରସ୍‌ ଆସି ଯାଇଥିଲା। ପ୍ରଥମ ଦେଖାରେ ସେ ମୋ ପାଇଁ ଏକ ସମ୍ବେଦନଶୀଳ ଭାବନା ଅନୁଭବ କରିଥିଲେ।

୫. ପ୍ରଶ୍ନ: କେଉଁ ଓଲିଉଡ୍‌ ନାୟକଙ୍କ ସହ ଗାୟିକା ଦୀପ୍ତି ଡେଟ୍‌ କରିବାକୁ ପସନ୍ଦ କରିବେ?
ଉତ୍ତର: ନା ନା, କାହା ସହ ବି ନୁହେଁ। ମୋତେ ଡେଟ୍‌ କରିବା, ହୋଟେଲ୍‌ରେ ଖାଇବା, ସିନେମା ଯିବା, ପାର୍କ ଯିବା ଆଦୌ ବି ପସନ୍ଦ ନୁହେଁ। କେବଳ ମୋତେ ପସନ୍ଦର କଥା ପଚାରିଲେ ମୋ ମୁଣ୍ଡରେ ସପିଂ କରିବା କଥା ପଶେ। ମୁଁ ଖୁବ୍‌ ସପିଂ ପ୍ରିୟ।

୬. ପ୍ରଶ୍ନ: ଆମେ ଶୁଣିଛୁ ଦୀପ୍ତିରେଖା ‘କିଚେନ୍‌ କୁଇନ୍‌’। ଯଦି ଆପଣଙ୍କ ଘରକୁ ଅତିିଥି ଆସିଛନ୍ତି ଓ ଘରେ ଆଳୁ ବ୍ୟତୀତ ଆଉ କିଛି ବି ପରିବା ନାହିଁ। ତେବେ ଆପଣ କ’ଣ କରି ଖାଇବାକୁ ଦେବେ।
ଉତ୍ତର: ମୁଁ ଏକ ନୂଆ ଡିସ୍‌ ଶିଖିଛି ‘ଚିଲି ପଟାଟୋ’। ମୁଁ ପୁରି କିମ୍ବା ପରାଟା ସହ ‘ଚିଲି ପଟାଟୋ’ କରି ଖୁଆଇ ପାରିବି।

୭. ପ୍ରଶ୍ନ: ଦୀପ୍ତିରେଖା ଅଧିକାଂଶ ସମୟରେ ପ୍ରେମ ଆନନ୍ଦଙ୍କ ସହ କାମ କରିବାର ନଜର ଆସନ୍ତି। ତାହାର ନିର୍ଦ୍ଦିଷ୍ଟ କିଛି କାରଣ ଅଛି କି?
ଉତ୍ତର: ନା, କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । ମୁଁ ଅନେକ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଛି। ଯେହେତୁ ପ୍ରେମ ଆନନ୍ଦ ସାର୍‌ଙ୍କର ଅଧିକ ସଂଖ୍ୟକ ଚଳଚ୍ଚିତ୍ର ଆସେ ତେଣୁ ମୋତେ ଅଧିକ ଗୀତ ମିଳିଥାଏ। ଅନ୍ୟମାନଙ୍କୁ ଏପରି ଲାଗେ। ମାତ୍ର ଆଉ ଗୋଟେ କଥା ଅସ୍ୱୀକାର କରିବିନି ଯେ ମୁଁ ଆଜି ଯାହା ବି ହୋଇଛି ସାର୍‌ଙ୍କ ପାଇଁ। ସେ ଯଦି ମୋତେ ଅଭିନୟରୁ ସଂଗୀତର ବାଟ ଦେଖାଇ ନ ଥାନ୍ତେ ମୁଁ ହୁଏତ ଆଜି ଏଇ ସ୍ଥାନରେ ନ ଥାନ୍ତି।

(ଆମକୁ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ‘ସମ୍ବାଦ.ଇନ୍‌’ ପକ୍ଷରୁ ଅନେକ ଧନ୍ୟବାଦ୍‌। ଆପଣ ଅଜସ୍ର ସଫଳତା ପାଆନ୍ତୁ ଏତିକି କାମନା)

ସମ୍ବନ୍ଧିତ ଖବର