ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରିଥିବା ହେତୁ ମନରେ କିଛିଟା ଡ଼ରଥିଲା :ସୁପ୍ରିୟା

କେବେ ସେ ଗାଁର ସାଧାସିଧା ଝିଅ ହୋଇ ଦର୍ଶକଙ୍କ ମନ ଜିଣିଛନ୍ତି ତ କେବେ ଅତ୍ୟାଧୁନିକ ଚରିତ୍ରରେ ଆସି ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି । ‘ଲଭ୍‌ ପାଇଁ କୁଛ ଭି କରେଗା’ ଏବଂ ‘ଓନଲି ପ୍ୟାର୍‌’ ଭଳିି ଲୋକପ୍ରିୟ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁପ୍ରିୟା ନାୟକଙ୍କୁ ‘ସମ୍ବାଦ ଡଟ୍‌ ଇନ୍‌’ ପକ୍ଷରୁ ସାକ୍ଷାତ କରିଥିଲେ ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା ।

ପ୍ରଶ୍ନ : ଆପଣ ପ୍ରାୟ ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରଛନ୍ତି, କେମିତି ଲାଗୁଛି?

ଉତ୍ତର : ବହୁତ ଭଲ ଲାଗୁଛି । ମୁଁ ‘ଓନଲି ପ୍ୟାର୍‌’ ଚଳଚ୍ଚିତ୍ରରୁ ବହୁତ କିଛି ଆଶା କରିଥିଲି, କାରଣ ଆମେ ବହୁତ ପରିଶ୍ରମ କରି ସୁଟିଂ କରିଥିଲୁ । ଏହି ଚଳଚ୍ଚିତ୍ରରେ ଅନେକ ନୂଆ ଟେକ୍ନୋଲୋଜି ବି ବ୍ୟବହାର କରାଯାଇଛି । ମୁଁ ମଧ୍ୟ ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରିଛି ତ ମନରେ କିଛିଟା ଡ଼ର ରହିଥିଲା । ତେବେ ଚଳଚ୍ଚିତ୍ରଟିକୁ ଦର୍ଶକମାନେ ଭଲ ପାଇବେ ବୋଲି ମୋର ଆଶା ।

ପ୍ରଶ୍ନ: ‘ଓନଲି ପ୍ୟାର୍‌’ ଓଡ଼ିଶା ବାହାରେ ସୁଟ କରିବାର କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି ?
ଉତ୍ତର : ଚଳଚ୍ଚିତ୍ରଟି କର୍ଣ୍ଣାଟକର କୁର୍ଗରେ ସୁୁଟିଂ ହୋଇଛି। ଏହା ଏକ ଭଲ ହିଲ୍‌ ଷ୍ଟେସନ୍‌ । ସେଠାରେ ସୁଟ କରିବାର ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନ ଥିଲା । କାହାଣୀର ଆବଶ୍ୟକତାକୁ ଆଖିରେ ରଖି ସେଠାରେ ସୁଟ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା ।

ପ୍ରଶ୍ନ : ସୁଟିଂ ସମୟରେ କିଛି ଅସୁବିଧା ହୋଇଥିଲା ? ସୁଟିଂ ବେଳର କିଛି ମନେରଖିବା ଭଳି ଅନୁଭୂତି କହିବେ?

ଉତ୍ତର: ନିଶ୍ଚିତ ! ଯେହେତୁ ସୁଟିଂ ପାହାଡ଼ିଆ ଅଞ୍ଚଳରେ ହୋଇଥିଲା, ପ୍ରଥମେ ପ୍ରଥମେ ବହୁତ ଅସୁବିଧା ହୋଇଥିଲା । କୁର୍ଗରେ ବହୁତ ପ୍ରକାରର ସରୀସୃପ ଥିଲେ ସେମାନେ ପୁରା ଆମ ପାଖରେ ବୁଲୁଥିଲେ। ପ୍ରଥମେ ପ୍ରଥମେ ବହୁତ ଡ଼ର ଲାଗିଥିଲା ପରେ କିନ୍ତୁ ସେହି ସରୀସୃପଗୁଡ଼ିକ ଆମର ସାଙ୍ଗ ହୋଇଯାଇଥିଲେ । ଆମକୁ ପୂରା ଗୋଟେ ରିଆଲିଟି ସୋ’ କଲା ଭଳି ମନେ ହେଉଥିଲା ।

ପ୍ରଶ୍ନ : ଚଳଚ୍ଚିତ୍ରରେ ଆପଣ କରିଥିବା ଭୂମିକା ‘ନିତ୍ୟା’ ଜଣେ ଗ୍ଲାସ୍‌ ପେଣ୍ଟର, ଏହି ଭୂମିକା ଲାଗି ଆପଣଙ୍କୁ ପେଣ୍ଟିଂ ଶିକ୍ଷା କରିବାକୁ ପଡ଼ିଥିଲା କି?

ଉତ୍ତର : ନା ନା, ମୁଁ କିଛି ଶିଖି ନଥିଲି । ନିତ୍ୟା ଚରିତ୍ରଟି ବହୁତ ଅଲଗା ଥିଲା । ଚଳଚ୍ଚିତ୍ରରେ ନିତ୍ୟାର ସବୁଦିନ ଗୋଟେ ନୂତନ ଦିନ ଥିଲା । ତାର ଭୁଲିବା ରୋଗ ଥିଲା ଏବଂ ପ୍ରତିଦିନ ନାୟକ ତାକୁ ମନେପକାଇ ଦେଉଥିଲା କି ସେ ତାକୁ କେତେ ଭଲପାଏ। ନାୟକ ବାବୁସାନ ଏଇ ଭୂମିକାଟି ଖୁବ୍‌ ସୁନ୍ଦର ଭାବେ ତୁଲାଇଛନ୍ତି । ଏଥିରୁ ଆପଣ ଜାଣି ପାରୁଥିବେ ନାୟିକା ଚରିତ୍ରଟି ଗତାନୁଗତିକତା ଠାରୁ କେତେ ଅଲଗା।

Facebook

ପ୍ରଶ୍ନ : ଚଳଚ୍ଚିତ୍ର ଚୟନ କରିବା ପୂର୍ବରୁ କ’ଣ ଦେଖନ୍ତି ?
ଉତ୍ତର : ପ୍ରଥମେ ମୁଁ ଚଳଚ୍ଚିତ୍ରଟିକୁ କିଏ ନିର୍ଦ୍ଦେଶନା ଦେଉଛନ୍ତି ତାହା ଦେଖେ । ପରେ କାହାଣୀ ଶୁଣିଥାଏ ଏବଂ ଚଳଚ୍ଚିତ୍ର କରିବା ପାଇଁ ହଁ କହିଥାଏ। ଆଉ ସବୁବେଳେ ଭିନ୍ନ ଚରିତ୍ର ଥିବା କାହାଣୀରେ ଅଭିନୟ କରିବା ପାଇଁ ମୁଁ ଚାହିଁଥାଏ ।

ପ୍ରଶ୍ନ : ଆମେ ଜାଣିଛୁ ଆପଣ ବହୁତ ଭଲ ଦୌଡ଼ୁଥିଲେ, ଆପଣ ତାକୁ ଅଧାରୁ କାହିଁକି ଛାଡ଼ି ଦେଲେ ?
ଉତ୍ତର : ମୁଁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଦୌଡ଼ୁଥିଲି ଏବଂ ମୁଁ ଏଥିପାଇଁ ବହୁତ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛି। ପ୍ରକୃତରେ ଏହାପରେ ମୋର ଦେହ ଖରାପ ହେଲା । ମତେ ମେରୁଦଣ୍ଡ ରୋଗ, ଏପିଲେପ୍ସି ଡିଜର୍ଡର ଏବଂ ରକ୍ତଚାପ ମଧ୍ୟ ହୋଇଥିଲା । ଏଣୁ ମତେ ଡ଼ାକ୍ତର କୌଣସି କଷ୍ଟକର ନ କାମ କରିବା ପାଇଁ ପରାମର୍ଶ ଦେଲେ । ସେଥିପାଇଁ ମୁଁ ବାଧ୍ୟ ହୋଇ ଦୌଡ଼ିବା ଛାଡ଼ିଥିଲି ।

Odia360.Com

ପ୍ରଶ୍ନ : ଆପଣ ବହୁତ ଷ୍ଟାଇଲିସ୍‌ । ଆପଣଙ୍କ ଫ୍ୟାସନ ଡ଼ିଜାଇନର କିଏ ?
ଉତ୍ତର : ବହୁତ ଜାଗାରେ ମତେ ଏଇ ପ୍ରଶ୍ନ ପଚରାଯାଇଛି । ଆଗରୁ ମୋ ପାଇଁ ମୋର ମା’ ଏବଂ ମାଉସୀ ପୋଷାକ ପସନ୍ଦ କରୁଥିଲେ ଏବଂ ପିନ୍ଧିବାରେ ସାହାଯ୍ୟ କରୁଥିଲେ। ଏବେ କିନ୍ତୁ ମୁଁ ନିଜେ ନିଜ ହିସାବରେ ଡ଼୍ରେସ ପିନ୍ଧେ ଏବଂ ପୋଷାକ ପସନ୍ଦ କରେ ।

 

 

 

ସମ୍ବନ୍ଧିତ ଖବର