ନିଜ ନାମକରଣ ନିଜେ କରିିଥିଲେ ! ବାପା ଦେଇଥିବା ୩ଟି ନାମ ଭିତରକୁ କାହିଁକି ଆକାଶକୁ ବାଛିଥିଲେ ?

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଲିଉଡରେ ଆକାଶ ଦାସ ନାୟକ ପରିଚୟର ଅପେକ୍ଷା ରଖନ୍ତି ନାହିଁ, ଏକଦମ୍ ଜଣାଶୁଣା ଚେହେରା। ସେ ପ୍ରଥମେ ଜଣେ ସାମ୍ବାଦିକ ହେବାର ସ୍ୱପ୍ନ ଦେଖିଥିଲେ ବି ତାଙ୍କ ଭାଗ୍ୟ ତାଙ୍କୁ ଅଭିନୟ ଆଡ଼େ ଟାଣି ନେଇଥିଲା। କିଛି ବର୍ଷର ଅଭିନୟରେ ଦର୍ଶକଙ୍କୁ ମୁଗ୍ଧ କରିବା ପରେ ଆକାଶ ପରବର୍ତ୍ତୀ ମୁହୂର୍ତ୍ତରେ ରାଜନୀତିରେ ପ୍ରବେଶ କରି ରାଜନେତା ପାଲଟନ୍ତି। ଏବେ ସେ ରାଜ୍ୟ ସରକାରଙ୍କ ‘ମୋ କଲେଜ୍‌’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଛନ୍ତି। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ଭିତରେ ରହିଛି ‘ସତ୍ୟମେବ ଜୟତେ’, ‘ଆଲୋ ମୋର କଣ୍ଢେଇ’, ‘ଜଷ୍ଟ୍‌ ମହବତ୍‌’, ‘ଫୋର୍‌ ଇଡିୟଟ୍‌ସ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି। ଏ ସପ୍ତାହରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧.ପ୍ରଶ୍ନ: ପ୍ରଥମେ ଆପଣଙ୍କୁ ଲୋକ ଅଭିନେତା ଭାବେ ଜାଣୁଥିଲେ। ଏବେ ନେତା ଭାବେ ଜାଣୁଛନ୍ତି। ଆକାଶଙ୍କୁ ଚଳଚ୍ଚିତ୍ରରେ ସେତେଟା ସନ୍ତୁଷ୍ଟି ମିଳିଲାନି ବୋଲି ସେ ରାଜନୀତିରେ ପ୍ରବେଶ କରିଛନ୍ତି କି?
ଉତ୍ତର: ନାଁ, ଆଦୌ ନୁହେଁ। ଯେଉଁ ସମୟରେ ମୁଁ ରାଜନୀତିରେ ପ୍ରବେଶ କଲି ସେହି ସମୟରେ ମୁଁ କ୍ୟାରିୟର୍‌ର ପିକ୍‌ରେ ଥିଲି। ମୁଁ ତ ଫିଲ୍ମ କରୁଥିଲି। କୁହାଯାଇପାରେ ଯେ ମୁଁ ରାଜନୀତି ପାଇଁ ଅଭିନୟକୁ ପଛରେ ଛାଡ଼ିଛି।
୨.ପ୍ରଶ୍ନ: ଜଣେ ରାଜନେତା ଭାବେ ବେଶି ସନ୍ତୁଷ୍ଟି ମିଳେ ନା ଜଣେ ଅଭିନେତା ଭାବେ? ଆପଣଙ୍କୁ ଲୋକ ଅଭିନେତା ନା ରାଜନେତା ଭାବେ ମନେରଖନ୍ତୁ ବୋଲି ଆପଣ ଚାହାନ୍ତି?
ଉତ୍ତର: ମୁଁ ଜଣେ ଭଲ ମଣିଷ ହିସାବରେ ଲୋକମାନଙ୍କ ହୃଦୟରେ ଘରଟିଏ କରିବାକୁ ଚାହିଁବି। ମୋର ଦୁଇଟା ଯାକ କାମ ମୋତେ ସମାନ ସନ୍ତୁଷ୍ଟି ଦିଏ। ମୁଁ ରାଜନୀତିକୁ ଏଥିପାଇଁ ଆସିଲି, ମୋତେ ଅନୁଭବ ହେଲା ଯେ ମୋ ଦେଶ ପ୍ରତି, ମୋ ଜାତି ପ୍ରତି ମୋର କିଛି କର୍ତ୍ତବ୍ୟ ରହିଛି। ସେଥିପାଇଁ ତ ସ୍ୱପ୍ନର ଦୁନିଆକୁ ଛାଡ଼ିକି ବାସ୍ତବ ଦୁନିଆକୁ ଆସିଲି। ଲୋକଙ୍କ ପାଇଁ କାମ କରୁଛି ଓ ଆଗାମୀ ଦିନରେ ବି କରିବି।
୩. ପ୍ରଶ୍ନ: ଆପଣଙ୍କ ବିବାହକୁ ତ ଅନେକ ବର୍ଷ ହୋଇ ଗଲାଣି। ତେବେ, ଯିଏ ପତ୍ନୀ ହୋଇଛନ୍ତି ସିଏ ଆପଣଙ୍କ ପ୍ରଥମ ପ୍ରେମ ନା ପ୍ରଥମ ପ୍ରେମକୁ ପାଇପାରିନାହାନ୍ତି?
ଉତ୍ତର: ମୋର ପ୍ରଥମ ପ୍ରେମ ତ ମୋ ଅଭିନୟ। ଅଭିନୟକୁ ମୁଁ ଖୁବ୍‌ ଭଲପାଏ। ବିବାହ ପରେ କେବଳ ପତ୍ନୀଙ୍କ ସହ ପ୍ରେମ ହୋଇଛି।
୪. ପ୍ରଶ୍ନ: ସାଧାରଣତଃ ଆମେ ସମେସ୍ତ ଆମ ବାପାଙ୍କ ପରିଚୟରେ ପରିଚିତ ହୁଅନ୍ତି। ପିଲାମାନଙ୍କୁ ବାପାଙ୍କ ସାଙ୍ଗିଆ ମିଳିଥାଏ। ଆକାଶଙ୍କୁ ଦୁଇ ଜଣଙ୍କ ସାଙ୍ଗିଆ କିପରି ମିଳିଲା। ଆକାଶ ନାୟକ ନ ହୋଇ ଆକାଶ ଦାସନାୟକ କାହିଁକି?
ଉତ୍ତର: ସବୁଠାରୁ ମଜ୍ଜା କଥା ହେଉଛି ମୋ ନିଜ ନାଁ ଟା ବି ମୁଁ ନିଜେ ଦେଇଛି।  ମନେ ଅଛି ବାପା ମୋତେ ଅଂଶୁମାନ, ଆକାଶ, ବାଦଲ ଭିତରୁ ଗୋଟାଏ ମୋ ନାଁ ବାଛିବାକୁ କହିଥିଲେ। ମୋତେ ସେତେବେଳେ ଲାଗିଥିଲା ଆକାଶଟା ସବୁଠାରୁ ବଡ଼ ସେଥିପାଇଁ ମୁଁ ଆକାଶ ବାଛିଥିଲି। କାଳେ ବାପାଙ୍କ ସାଙ୍ଗିଆ ଦେଲେ ମାଆ ମନ ଦୁଃଖ କରିବେ, ସେଥିପାଇଁ ମୁଁ ଦୁଇ ଜଣଙ୍କ ସାଙ୍ଗିଆ ରଖିଥିଲି।

୫. ପ୍ରଶ୍ନ: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର୍‌କୁ ନେଇ ଆପଣ କ’ଣ କହିବେ। ଆପଣ ସମର୍ଥନ କରୁଛନ୍ତି କି?
ଉତ୍ତର: ବହୁତ ସମ୍ବେଦନଶୀଳ ଘଟଣା। ଯେଉଁ ଦେଶରେ ଆମେ ନାରୀମାନଙ୍କୁ ପୂଜା କରୁଛେ ସେଇ ଦେଶରେ ଏଭଳି ଘଟଣା ସବୁ ଘଟୁଛି, ଏହା ବଡ଼ ଦୁଃଖର କଥା। ଦୋଷୀମାନେ ଦଣ୍ଡ ପାଇଛନ୍ତି ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବି। ମାତ୍ର ମୋର ବ୍ୟକ୍ତିଗତ ମତ ହେଲା ନ୍ୟାୟିକ ବ୍ୟବସ୍ଥା ବାହରକୁ ଯାଇ ଦୋଷୀମାନଙ୍କୁ ଦଣ୍ଡ ଦେବା ଏକ ରାସ୍ତା ନୁହେଁ।
୬. ପ୍ରଶ୍ନ: ‘ଆକାଶ ଇନ୍‌ସ୍ପେୟାର୍ସ’ ନାମରେ ଆପଣ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ କରିଛନ୍ତି। ଏହି ଚ୍ୟାନେଲ୍‌ ପଛର ଲକ୍ଷ କ’ଣ?
ଉତ୍ତର: ମୁଁ ଅନେକ ସମୟରେ ଦେଖିବାକୁ ପାଇଲି ଯେ ବିଭିନ୍ନ ପ୍ରକାରର ପ୍ରେରଣାଦାୟୀ କଥା ଇଂରାଜି ଓ ହିନ୍ଦିରେ ଅଛି ମାତ୍ର ଓଡ଼ିଆରେ ନାହିଁ। କେବଳ ଅନ୍ୟ କୌଣସି ଭାଷା ବୁଝିପାରୁନଥିବା ଓଡ଼ିଆମାନଙ୍କ ପାଇଁ ମୁଁ ଏପରି ଏକ ପଦକ୍ଷେପ ନେଇଛି।
୭. ପ୍ରଶ୍ନ: ଧରାଯାଉ ଆପଣଙ୍କର କେହି ଜଣେ ସଂପର୍କୀୟ ପୁଅ ପାଇଁ ଆପଣ ଝିଅ ଦେଖିବାକୁ ଯାଉଛନ୍ତି ତେବେ ସର୍ବପ୍ରଥମେ ସେ ଝିଅର କ’ଣ ଦେଖିବେ?
ଉତ୍ତର: ସେ ଝିଅର ହସ, କଥାବାର୍ତ୍ତା ଓ ବ୍ୟବହାର। କାରଣ ସୌନ୍ଦର୍ଯ୍ୟ ତ ଜୀବନ ଯାକ ରୁହେନି। ଯଦି ଜୀବନ ଯାକ କିଛି ରୁହେ ତାହା ହେଉଛି ବ୍ୟବହାର।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆଣଙ୍କୁ ‘ସମ୍ବାଦ.ଇନ୍‌’ ପକ୍ଷରୁ ଅନେକ ଶୁଭେଚ୍ଛା)

ସମ୍ବନ୍ଧିତ ଖବର