‘ଏ ଗଉରା ଆଜି କାଲି କ’ଣ ଖାଉଛୁ…’ ଗୀତ ପରେ ଏଭଳିି ଚରିତ୍ର ପାଇଁ ଅଫର ଆସିବା ଆରମ୍ଭ ହୋଇଥିଲା

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର:  ଓଡ଼ିଆ ସିନେମା ପରିସରର  ଜଣେ ଚିହ୍ନା ଚେହେରା ପିଣ୍ଟୁ ନନ୍ଦ । ଶତାଧିକ ସିନେମା, ଆଲ୍‌ବମ ଓ ପାଖାପାଖି ୫୦ଟି ଧାରାବାହିକରେ ଅଭିନୟ କରିଥିବା ଏହି କଳାକାର ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନୋରଞ୍ଜନ କରାଇଛନ୍ତି। ‘ଏ ଗଉରା ଆଜି କାଲି କ’ଣ ଖାଉଛୁ…’  ଆଲ୍‌ବମ୍‌  ଗୀତ ତାଙ୍କ ଜୀବନର ମୋଡ଼ ବଦଳାଇଥିଲା। ଏହି ଗୀତଟି ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧି ଲାଭ କରିବା ପରେ ଏଥିରେ ଅଭିନୟ କରିଥିବା ପିଣ୍ଟୁ ରାତାରାତି  ଲୋକପ୍ରିୟ ଚେହେରା ପାଲଟି ଯାଇଥିଲେ । ତା’ପରେ ପରେ ତାଙ୍କୁ ଅଧିକାଂଶ କମେଡି ଚରିତ୍ରର ଅଫର୍‌ ମିଳିଥିଲା। ଅଭିନୟକୁ ନିଜ ଜୀବନର ସର୍ବସ୍ୱ ଭାବୁଥିବା ଏହି ସ୍ରଷ୍ଟାଙ୍କ ସହ ଏ ସପ୍ତାହରେ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ‘ଏ ଗଉରା ଆଜି କାଲି କ’ଣ ଖାଉଛୁ…’ ଗୀତ ଆପଣଙ୍କୁ ଘରେ ଘରେ ପରିଚିତ କରାଇଥିଲା। ତେବେ, ତା’ ପୂର୍ବରୁ କ’ଣ ଲୋକଙ୍କ ମନ ଜିଣିବା ପରି କୌଣସି ଚରିତ୍ରରେ ଆପଣ ଅବତୀର୍ଣ୍ଣ ହୋଇ ପାରି ନଥିଲେ ?
ଉତ୍ତର: ନାଇଁ, ତା’ ପୂର୍ବରୁ ମୋତେ ‘ଭାଗ୍ୟ ବିଧାତା’ ଓ ‘ମନର ମଣିଷ’ ଧାରାବାହିକରେ ବି ବେଶ୍‌ ଲୋକପ୍ରିୟତା ମିଳିଥିଲା। ‘ଏ ଗଉରା ଆଜିକାଲି କ’ଣ ଖାଉଛୁ…’ ଘରେ ଘରେ ପରିଚିତ କରାଇଲା। ତା’ ପରେ ମୁଖ୍ୟତଃ କମେଡି ଚରିତ୍ର ପାଇଁ ବିଭିନ୍ନ ନିର୍ଦ୍ଦେଶକଙ୍କ ଆଡୁ ଅଫର୍‌ ମିଳିଥିଲା।

୨. ପ୍ରଶ୍ନ: ଅନ୍ୟ ଅଭିନେତାମାନଙ୍କ ପରି ପିଣ୍ଟୁ ନନ୍ଦ ମଧ୍ୟ ନିର୍ଦ୍ଦେଶକ ହେବେ ବୋଲି ଶୁଣିବାକୁ ମିଳିଥିଲା। କାହିଁକି ଅଟକିଗଲେ?
ଉତ୍ତର: ବର୍ତ୍ତମାନ ସିନେମା ଇଣ୍ଡଷ୍ଟ୍ରିରେ ଯେଉଁ ଅବସ୍ଥା, ନିର୍ଦ୍ଦେଶନା ଦେଲେ ଅଭିନୟ ଉପରେ ପ୍ରଭାବ ପଡ଼ିବ। ଏଠି ଲୋକ ଆଉ ନେବେନି, ଆଉ ଏଇଟା ହିଁ ସତ। ନିର୍ଦ୍ଦେଶନା ଏବେ ନୁହେଁ, ସମୟ ଆସିଲେ ନିର୍ଦ୍ଦେଶନା ଦେବି। କମର୍ସିଆଲ୍‌ ସିନେମା କରିବିନି, ଯଦି କରିବି ଅଫ୍‌-ବିଟ୍‌ ସିନେମା କରିବି।

୩. ପ୍ରଶ୍ନ: ଆପଣଙ୍କୁ ପଜିଟିଭ୍‌ ଚରିତ୍ରରେ ଲୋକ ବେଶ୍‌ ଆପଣଉଥିଲେ। ଆପଣ ଅଚାନକ ନେଗେଟିଭ୍‌ ଆଡ଼କୁ କାହିଁକି ଗଲେ?
ଉତ୍ତର: ମୋ ସ୍ୱାସ୍ଥ୍ୟର ଅବସ୍ଥା ଅନୁସାରେ ମୁଁ ଚରିତ୍ର ବାଛିଥାଏ। ଯେତେବେଳେ ମୁଁ ବହୁତ ମୋଟା ହୋଇଗଲି କମେଡି କଲି। ମୋଟାମୋଟି କହିବାକୁ ଗଲେ ଟିକେ ମୋଟା ହୋଇଯିବା ପରେ ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଓ କମେଡି ଚରିତ୍ର ମୋତେ ବେଶି ସୁହାଇଲା।

୪. ପ୍ରଶ୍ନ: ‘ଜୟ ଜଗନ୍ନାଥ’ ଫିଲ୍ମ ସୁଟିଂ ସମୟରେ କିଛି ଦିନ ଛୁଟି ନେଇ ବିବାହ କରିବାକୁ ଆସିଥିଲେ। ଏପରି ତରବରିଆ ଭାବେ କାହିଁକି ବିବାହ କଲେ?
ଉତ୍ତର: ବାସ୍ତବ କଥାଟା ହେଉଛି ତରବରିଆ ଭାବେ ବିବାହ ସ୍ଥିର ହୋଇ ନଥିଲା ବରଂ ସିରିୟଲ୍‌ ସୁଟିଂ ମୋ ବିବାହ ତାରିଖ ସମୟରେ ପଡ଼ିଗଲା। ‘ଜୟ ଜଗନ୍ନାଥ’ର ସୁଟିଂ ବିଳମ୍ବ ହେବାରୁ ମୋ ବିବାହ ସମୟରେ ପଡ଼ିଥିଲା।

୫. ପ୍ରଶ୍ନ: ଆଜିକାଲି ଦେଖିବାକୁ ମିଳୁଛି ଆଉ ବଛା ହୋଇ କଳାକାର ଇଣ୍ଡଷ୍ଟ୍ରିକୁ ଯାଉନାହାନ୍ତି। ଅଭିନୟ ଜାଣୁ ନ ଥିବା କଳାକାର ବି ଅଭିନୟ କରୁଛନ୍ତି। ଏପରି କାହିଁକି ଘଟୁଛି?
ଉତ୍ତର: ଆଜିକାଲି ଅଧିକାଂଶ କଳାକାରଙ୍କୁ ପ୍ରଯୋଜକମାନେ ବାଛୁଛନ୍ତି। ପ୍ରଯୋଜକ ବାଛିଥିବା କଳାକାର ଏବେ ମୁଖ୍ୟ ଚରିତ୍ରରେ ବି ଅଭିନୟ କରୁଛନ୍ତି । ଏବେ ପ୍ରାୟ କଳାକାର ପ୍ରଯୋଜକଙ୍କ ଜରିଆରେ ହିଁ  ଆସୁଛନ୍ତି। ପୂର୍ବରୁ ନିର୍ଦ୍ଦେଶକ ଓ ପ୍ରଯୋଜକ କିଶିକରିି କଳାକାର ବାଛୁଥିବା ବେଳେ ଏବେ ଅଧିକାଂଶ କଳାକାରଙ୍କୁ ପ୍ରଯୋଜକମାନେ ହିଁ ଇଣ୍ଡଷ୍ଟ୍ରିକୁ ଆଣୁଛନ୍ତି।

୬. ପ୍ରଶ୍ନ: ଓଲିଉଡ୍‌ରେ ଆପଣଙ୍କ ପ୍ରିୟ କଳାକାର କିଏ?
ଉତ୍ତର: ମୋର ପ୍ରିୟ ମୀନ ଭାଇ(ମୀନକେତନ), ମିହିରି ଦାସ, ସିଦ୍ଧାନ୍ତ ମହାପାତ୍ର ଓ ଆଜିର ଦିନରେ ବାବୁସାନ ମହାନ୍ତି।

୭. ପ୍ରଶ୍ନ: ଦିନକ ପାଇଁ ଯଦି ଆପଣଙ୍କୁ ଟ୍ରାଫିକ୍‌ ପୁଲିସ୍‌ କରାଯାଏ ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ନେବେ?
ଉତ୍ତର: ବୟସ ପୂର୍ବରୁ ଯେଉଁ କୁନି କୁନି ପିଲାମାନଙ୍କୁ ବାପାମାଆ ଗାଡ଼ି ଧରାଇ ଦେଉଛନ୍ତି ସେମାନଙ୍କୁ ମୁଁ ପ୍ରଥମେ ଟାର୍ଟେଟ୍‌ କରିବି। ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବି ନାହିଁ, ତେଣୁ ସେମାନଙ୍କ ବାପାମାଆମାନେ ସେମାନଙ୍କୁ ଗାଡ଼ି ନ ଦେବା ଉଚିତ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆଣପଙ୍କୁ ସମ୍ବାଦ.ଇନ୍‌ ପକ୍ଷରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା)

ସମ୍ବନ୍ଧିତ ଖବର