ଯଦି ମୁଁ ୪ ଦିନ ବି ଭଲରେ ‌ଶୋଇ ନ ଥାଏ, ମଞ୍ଚ ଉପରେ ଛିଡ଼ା ହୋଇ ସାମ୍ନାରେ ଦର୍ଶକଙ୍କୁ ଦେଖିଦେଲେ ସବୁ ଥକାପଣ ଦୂର ହୋଇଯାଏ : ଶ୍ରେୟା ଘୋଷାଲ୍‌

ଓଡ଼ିଆ ସଂଗୀତ ଓଡ଼ିଶା ଭିତରେ ସୀମାବଦ୍ଧ ଥିବା ‌ଭଳି ମନେ ହୁଏ

କିଏ ତାଙ୍କୁ କୁହେ ବଲିଉଡ୍‌ର ମେଲୋଡ଼ି କ୍ବିନ୍‌ ତ କିଏ କୁହେ ପ୍ରିନ୍‌ସେସ୍‌। ମାତ୍ର ପ୍ରେମ ରାଗିଣୀର ସେ ନିଜେ ଏକ ଅପୂର୍ବ ଭଣ୍ଡାର। ତାଙ୍କ ସ୍ବରରୁ ଶବ୍ଦ ବାହାରିଲେ ଗୀତ ହୋଇଯାଏ। ରୋମାଣ୍ଟିକ୍‌ ଗୀତରେ ପ୍ରେମର ଯାଦୁରେ ବାନ୍ଧି ରଖୁଥିବା ବଲିଉଡ୍‌ର ଏହି କୋକିଳ କଣ୍ଠୀ ହେଉଛନ୍ତି ଶ୍ରେୟା ଘୋଷାଲ୍‌। ମାତ୍ର ୧୬ ବର୍ଷ ବୟସରେ ସାରେଗାମାପାରେ ବିଜୟୀ ହେବା ପରେ ସଂଜୟ ଲୀଲା ଭଂସାଲିଙ୍କ ‘ଦେବଦାସ’ ଚଳଚ୍ଚିତ୍ରରେ ଯେବେ ଆଖି ମୁଜି ଏକ ଲୟରେ ପ୍ରଥମ ଗୀତଟିକୁ ଗାଇ ଶେଷ କରିଦେଇଥିଲେ, ଷ୍ଟୁଡିଓରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ସେବେଠୁ ଆଉ ଅଟକିନି ଶ୍ରେୟାଙ୍କ ସଂଗୀତର ଗାଡ଼ି। ଆଜି ଡଟ୍‌ ଫେଷ୍ଟ୍‌କୁ ସଂଗୀତ ପରିବେଷଣ ପାଇଁ ଆସିଥିବା ବେଳେ ତାଙ୍କ ସହ ଗପସପରୁ କିଛି…

ଆପଣ ଆଗରୁ ମଧ୍ୟ ଭୁବନେଶ୍ବର ଆସିଛନ୍ତି, ସେତେବେଳେ ଆଉ ଏବେ ଭିତରେ କ’ଣ ଫରକ୍‌ ଅନୁଭବ କରୁଛନ୍ତି ?
କଳାରେ ଭରପୂର ଭୁବନେଶ୍ବର ରଙ୍ଗିନ ଦିଶୁଛି। ଏଠିକାର ଆଧ୍ୟାତ୍ମିକ ବାତାବରଣ ଏବଂ ପରିବେଶ ବହୁତ ଆକର୍ଷଣୀୟ ଲାଗୁଛି। ଆଇ ଲଭ୍‌ ଭୁବନେଶ୍ବର।

ଓଡ଼ିଶାର ସଂସ୍କୃତି ସମ୍ପର୍କରେ ଆପଣଙ୍କ ଉପଲବ୍ଧି ?
ମତେ ଓଡ଼ିଶାର ଶାଢ଼ି, ହସ୍ତତନ୍ତ ବହୁତ ଭଲ ଲାଗେ। ହୋଟେଲ୍‌ ଭିତରେ ଥିବା ବେଳେ ମୋ ଚାରିପାଖରେ ଲୋକକଳାର କିଛି ପେଣ୍ଟିଂ ଦେଖି ଭଲ ଲାଗିଲା। ମୁଁ ଏଠାରେ ଓଡ଼ିଶାର ‌ଏହିଭଳି କିଛି ହସ୍ତତନ୍ତ କିଣାକିଣି କରିବାକୁ ପସନ୍ଦ କରିବି।

ଓଡ଼ିଆ ସଂଗୀତ ବିଷୟରେ କ’ଣ କହିବେ ?
ବାସ୍ତବରେ ଓଡ଼ିଆ ସଂଗୀତ ଏବେ କେବଳ ଓଡ଼ିଶା ମଧ୍ୟରେ ସୀମାବଦ୍ଧ ରହିଗଲା ଭଳି ମୋର ହୃଦବୋଧ ହେଉଛି। ଏଠାରେ ଓଡ଼ିଆ ସଂଗୀତ ଶିଳ୍ପ ଆହୁରି ଆଗକୁ ବଢ଼ିବା ଆବଶ୍ୟକ। ମୁଁ ଓଡ଼ିଆ ସଂଗୀତ ଶୁଣିନାହିଁ, କିନ୍ତୁ ଶୁଣିବାକୁ ଏବଂ ଶିଖିବାକୁ ଚାହିଁବି। ଋତୁରାଜ ଓ କ୍ରିଷ୍ଣାଙ୍କ ସମେତ ବହୁ ଭଲଭଲ କଣ୍ଠଶିଳ୍ପୀ ଓଡ଼ିଶାରେ ଅଛନ୍ତି। ତେଣୁ ଓଡ଼ିଆ ସଂଗୀତ ପାଇଁ ଭଲ ସୁଯୋଗ ଅଛି।

ଷ୍ଟୁଡିଓରେ ଅନେକ ଗୀତ ଗାଇଛନ୍ତି, ମାତ୍ର ଏହିଭଳି ଲାଇଭ୍‌ କନ୍‌ସର୍ଟ ସମ୍ବନ୍ଧରେ ଆପଣଙ୍କ ମତ କ’ଣ ?
ଷ୍ଟୁଡିଓ ଓ ମଂଚରେ ଗାଇବା ଭିନ୍ନ କଥା। ଯଦି ମୁଁ ୪ ଦିନ ବି ଭଲରେ ‌ଶୋଇନଥାଏ, ମଞ୍ଚ ଉପରେ ଛିଡ଼ା ହୋଇ ସାମ୍ନାରେ ଦର୍ଶକଙ୍କୁ ଦେଖିଦେଲେ ଆପେଆପେ ‌ଦେ‌ହରେ ବଳ ପଶିଗଲା ଭଳି ଲାଗେ। ସବୁ ଥକାପଣ ଦୂର ହୋଇଯାଏ।

ଓଡ଼ିଆ ଖାଦ୍ୟ ସମ୍ପର୍କରେ କ’ଣ କହିବେ?
ମୁଁ ପହଞ୍ଚିବା ପରେ ଡାଲ୍‌ମା ଖାଇଲି। ଚାନ୍ଦି ମାଛ ମଧ୍ୟ ଖାଇଲି। ବହୁତ ଭଲ ଲାଗିଲା।

ସଂପ୍ରତି ହକି ବିଶ୍ବକପ୍‌ ଚାଲିଛି, ହକିକୁ ନେଇ କ’ଣ କହିବେ?
ମୋ’ର ଖେଳ ପ୍ରତି ଏତେଟା ଉତ୍ସାହ ନାହିଁ। ବାସ୍ତବରେ ମୁଁ ମୋ ସଂଗୀତ ଜଗତରେ ଏତେ ବୁଡ଼ି ରୁହେ ଯେ ଖେଳ ଆଡ଼କୁ କେବେ ମନ ଢଳି ନାହିଁ। କିନ୍ତୁ ଆମ ଜାତୀୟ ଖେଳକୁ ନେଇ ବିଶ୍ବକପ୍‌ ଆମ ଦେଶରେ ଆୟୋଜନ ହେବା ସବୁଠୁ ବଡ଼ କଥା।

-ସତ୍ୟନାରାୟଣ ରାଉତରାୟ

ସମ୍ବନ୍ଧିତ ଖବର