ଫିଲ୍ମ ‘କାର୍‌ଓ୍ଵା’ ବିଷୟରେ କହିବାକୁ ଯାଇ ଦୁଇ ମାସର ବ୍ୟବଧାନ ପରେ ଟ୍ଵିଟ କଲେ ଇରଫାନ ଖାନ୍‌

ମୁମ୍ବାଇ : ଦୀର୍ଘ ଦୁଇ ମାସ ପରେ ନିଜର ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ୍‌ କରିଛନ୍ତି ଲୋକପ୍ରିୟ ଅଭିନେତା ଇରଫାନ ଖାନ୍‌ । ଦୁଇ ମାସ ପୂର୍ବେ ଇରଫାନ ଏକ ବଡ଼ ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଥିଲା। ନିଜର ଏହି ରୋଗ ସଂପର୍କରେ ଇରଫାନ ଏବଂ ତାଙ୍କ ପତ୍ନୀ ଟ୍ଵିଟ୍‌ କରି ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଯାହାପରେ ସାରା ଦେଶ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଥିଲା । ଏବେ ପ୍ରାୟ ଦୁଇମାସର ବ୍ୟବଧାନ ପରେ ଇରଫାନ ପୁଣିଥର ଟ୍ଵିଟରକୁ ଫେରିଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କାର୍‌ଓ୍ଵା’ର ପ୍ରଥମ ପୋଷ୍ଟରକୁ ଟ୍ଵିଟର ମାଧ୍ୟମରେ ରିଲିଜ କରିଥିବା ଦେଖିବାକୁ ମିଳିଛି ।

ଏହି ଚଳଚ୍ଚିତ୍ରରେ ଇରଫାନଙ୍କ ସହିତ ପ୍ରଥମ ଥର ପାଇଁ ନଜର ଆସୁଛନ୍ତି ମଲାୟାଲମ ସୁପରଷ୍ଟାର ଦୁଲକିର ସଲମାନ ଏବଂ େଓ୍ଵବ ସିରିଜ ଅଭିନେତ୍ରୀ ମିଥିଲା ପାଲକର । ଏହି ଚଳଚ୍ଚିତ୍ରର କାହାଣୀ ତିନି ଜଣ ଭିନ୍ନ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଜୀବନ ଉପରେ ଆଧାରିତ । କିପରି ଭିନ୍ନ ଭିନ୍ନ ପରିସ୍ଥିତିରୁ ତିନି ଜଣ ବ୍ୟକ୍ତିଙ୍କ ରାସ୍ତା ଆସି ଏକାଠି ହୋଇଛି ଏହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢ଼ୁଛି।
ଇରଫାନଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କର ପ୍ରଶଂସକ ଏବଂ ସହ-କଳାକାର ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରିବା ଆରମ୍ଭ କରିଥିଲେ । ଯାହାର ଉତ୍ତର ଇରଫାନ ଦେଇନଥିଲେ ମଧ୍ୟ ତାଙ୍କର ଟ୍ଵିଟ୍‌ ପରେ ପ୍ରଶଂସକଙ୍କ ମନକୁ କିଛିଟା ଆଶ୍ୱସ୍ତି ମିଳିଛି ।

ସମ୍ବନ୍ଧିତ ଖବର