ଏହି କାରଣରୁ ନାୟିକା ନ ହୋଇ ପ୍ରଥମେ ମାଆ ଚରିତ୍ରରୁ ଅଭିନୟ ଆରମ୍ଭ କରିଥିଲେ, ପରେ ଖତରନାକ ଖଳନାୟିକା ସାଜି ସଫଳତା ସାଉଁଟିଥିଲେ ଈଶା ବେବର୍ତ୍ତା

ଭୁବନେଶ୍ୱର: ଓଲିଉଡ୍‌ ଜଗତର ଜଣେ ସୁପରିଚିତା ମୁହଁ ଈଶା ବେବର୍ତ୍ତା। ବିଶେଷ କରି ଦୁର୍ଦ୍ଦାନ୍ତ ଖଳନାୟିକା ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରାଇଥିବା ଏହି ବିଶିଷ୍ଟ କଳାକାର ପ୍ରଥମେ ୧୯୮୪ ମସିହାରେ ‘ଜାଇଫୁଲ୍‌’ ଚଳଚ୍ଚିତ୍ରରୁ ଓଲିଉଡ୍‌ରେ ଡେବ୍ୟୁ କରି ପରେ ‘ଆମ ଘର ଆମ ସଂସାର’, ‘କଥା କହିବ ମୋ ମଥା ସିନ୍ଦୂର’, ‘ମମତାର ଡୋରୀ’, ‘ବଧୂ ନିରୁପମା’, ‘ସ୍କୁଲ୍‌ ମାଷ୍ଟର୍‌’, ‘ଚକା ଭଉଁରୀ’, ‘ସବୁ ମାୟାରେ ବାୟା’ ଆଦି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ପରେ ସେ ଓଡ଼ିଶାର ପ୍ରଥମ ମେଗା ଧାରାବାହିକ ‘ଅଧିକାର’ରୁ ନିଜର ସିରିୟଲ୍‌ ଯାତ୍ରା ଆରମ୍ଭ କରି ‘ବୋହୂ ଆମର ଶ୍ରୀଦେବୀ’, ‘ରଖିଲେ ସିଏ ମାରିବ କିଏ’, ‘ସୌଭାଗ୍ୟବତୀ’ ଆଦିରେ ଅବତୀର୍ଣ୍ଣ ହୋଇ ସଭିଙ୍କୁ ତାଙ୍କ ଅଭିନୟର କୁହୁକପଣରେ ବାନ୍ଧି ରଖିପାରିଛନ୍ତି। ଏ ସପ୍ତାହରେ ସ୍ରଷ୍ଟା ଈଶା ବେବର୍ତ୍ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧.ପ୍ରଶ୍ନ: ଅଶୀ ଦଶକରେ ଜଣେ ମେଲୋଡି ଗାୟିକା ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। ଗାୟିକାରୁ ଏମିତି ନାୟିକା କିପରି ହୋଇଗଲେ?
ଉତ୍ତର: ଷ୍ଟେଜ୍‌ ସୋ’ କଲା ବେଳକୁ ହିଁ ମୋ ଭିତରେ ଅଭିନୟ ଦକ୍ଷତା ଅନେକଙ୍କୁ ଦିଶୁଥିଲା। ଅଭିନୟ ପାଇଁ ବହୁ ଅଫର୍‌ ବି ମିଳିଥିଲା ମାତ୍ର ମୋ ପାଇଁ ସେତେବେଳେ ଗାୟିବା ବେଶି ଗୁରୁତ୍ୱ ରଖୁଥିଲା। ଯେଉଁଥିପାଇଁ କି ଅଭିନୟକୁ ଆସିବାକୁ ଟିକେ ବିଳମ୍ବ ହେଲା। ୧୯୮୪ରେ ସଂଗୀତ ନାଟକ ଏକାଡେମି କଳା ବିକାଶ କେନ୍ଦ୍ରରେ ଏକ ପ୍ରତିଯୋଗିତା କରୁଥାଏ। ସେ ସମୟରେ କୌଣସି କଳାକାର ତାଙ୍କୁ ମିଳିଲେନି। ମୋ ସାନ ଭଉଣୀ ସେଠିକାର ଓଡ଼ିଶୀ ଛାତ୍ରୀ ଥିଲା। ସେମାନେ ତାକୁ ଅଭିନୟ କରିବାକୁ କହିଥିଲେ। ସେ କରିବନି ବୋଲି ମୁଁ ମନା କରିବାକୁ ଯାଇଥାଏ। ସେମାନେ ମୋତେ କହିଲେ ମିହିର ଦାସଙ୍କ ବିପକ୍ଷରେ ଅଭିନୟ କରିବାକୁ। ସେଇଠୁ ଅଭିନୟର ମୂଳଦୁଆ ପଡ଼ିଥିଲା।

୨.ପ୍ରଶ୍ନ: ପ୍ରାୟତଃ କଳାକାର ପ୍ରଥମେ ନାୟିକା ତାପରେ ଭାଉଜ ଓ ମାଆ ଆଦି ଭୂମିକାରେ ଆସିଥାନ୍ତି। ଆପଣଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଜାଇଫୁଲ୍‌’ରେ ଆପଣ ପ୍ରଥମରୁ ହିଁ ମାଆ ଭୂମିକାରେ ଆସିଥିଲେ, କାହିଁକି?
ଉତ୍ତର: ଏମିତିରେ ତ କଳାକାରମାନଙ୍କୁ ସେତେବେଳେ ଲୋକେ ଭାରି ନ୍ୟୁନ ଚକ୍ଷୁରେ ଦେଖୁଥିଲେ। ସେତେବେଳେ ଚଳଚ୍ଚିତ୍ରର ନାୟିକା ହେବା ପରେ ସମାଜର ପ୍ରଭାବ ମୋ ଉପରେ ବା ମୋ ପରିବାର ଉପରେ ନପଡୁ ବୋଲି ଚିନ୍ତା କରି ମୁଁ ପ୍ରଥମେ ମାଆ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରିଥିଲି।

୩.ପ୍ରଶ୍ନ: ଜଣେ ଦୁର୍ଦ୍ଦାନ୍ତ ଖଳନାୟିକା ଭାବେ ବହୁ ଲୋକପ୍ରିୟତା ହାସଲ କରିଥିବା ଈଶା ବାସ୍ତବ ଜୀବନରେ ଖୁବ୍‌ ସ୍ନେହୀ। ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନରେ କେମିତି ତାଳମେଳ ଠିକ୍‌ ରୁହେ? ଆପଣଙ୍କ ସ୍ନେହୀପଣ କେବେ ଅଭିନୟକୁ କିମ୍ବା ଆପଣଙ୍କ ଖଳନାୟିକା ଭୂମିକା କେବେ ବାସ୍ତବ ଜୀବନରେ ଦଖଲ ଦେଇନାହିଁ ତ?
ଉତ୍ତର: ବାସ୍ତବ ଜୀବନରେ ମୋ ଖଳନାୟିକାପଣ ପ୍ରଭାବ ପକାଇବାର ମୁଁ କେବେ ଅନୁଭବ କରିନି। ହେଲେ ମୁଁ ମୋର ‘ଆମ ଘର ଆମ ସଂସାର’ ଚଳଚ୍ଚିତ୍ରର ପ୍ରିମିୟର୍‌ ସୋ’ ଦେଖିବାକୁ ଯାଇଥିଲି। ସେଥିରେ ମୁଁ ଖଳନାୟିକା ହୋଇଥିଲି। ମୋ ମାଆ ସେତେବେଳେ ବଞ୍ଚିଥିଲେ। ସେ ମୋ ସାଙ୍ଗରେ ‘ସଂଗମ ହଲ୍‌’କୁ ଯାଇଥିଲେ ସୋ’ ଦେଖିବାକୁ। ମୁଁ ଫେରିଲା ବେଳକୁ ମୋ ମାଆଙ୍କ ହାତକୁ ଧରିଦେଲି ଯେ ସେ ଭୟରେ ମୋ ହାତକୁ ଛିଞ୍ଚାଡ଼ି ଦେଲେ। ତା’ପରେ ମୁଁ ଯେତେବବେଳେ କହିଲି ମୁଁ ପରା। ସେ କହିଲେ କି ତୁ ଏତେ ଦୁର୍ଦ୍ଦାନ୍ତ ଚରିତ୍ରଟେ କରିଛୁ ଯେ ମୋ ମନରେ ସେଇ ଭୟ ରହିଯାଇଛି।

୪.ପ୍ରଶ୍ନ: ଦୀର୍ଘ ଦୁଇ ଦଶଂଦ୍ଧି ତଳେ ଆପଣଙ୍କ ନାମରେ ଏକ ଘରୋଇ ହିଂସା ଅଭିଯୋଗ ଆସିଥିଲା। ସେ ବିଷୟରେ କ’ଣ କହିବେ? ଅଭିଯୋଗ ହୋଇଥିଲା ଯେ ଆପଣ ଆପଣଙ୍କ ଭାଉଜଙ୍କୁ ପରିବାର ଲୋକଙ୍କ ସହ ମିଶି ନିର୍ଯାତନା ଦେଉଥିଲେ।
ଉତ୍ତର: ତାହା ସମାଧାନ ହୋଇସାରିଛି। ୨୦୧୮ ମସିହାରେ ସେ ବିଷୟରେ ଆମେ ଡିଗ୍ରି ପାଇଲୁ। ମାମଲାର ଶୁଣାଣି ଆମ ସପକ୍ଷରେ ହୋଇଛି। ବାସ୍ତବ କଥା ହେଉଛି ଯେତେବେଳେ ଜଣକୁ ଆବଶ୍ୟକତାରୁ ବେଶି ସ୍ନେହ ଦିଆଯାଏ ସେ ସେତେବେଳେ ତା’ର ମୂଲ୍ୟ ବୁଝିପାରେନା। ସେ ଝିଅ କ୍ଷେତ୍ରରେ ବି ସେୟା ହୋଇଥିଲା। ଏବେ ସେ ନିଶ୍ଚୟ ବୁଝି ପାରୁଥିବ। ଆମେ ତାଙ୍କୁ ହଇରାଣ କରିନାହୁଁ ବୋଲି ତାହା ପ୍ରମାଣିତ ହୋଇସାରିଛି।

୫.ପ୍ରଶ୍ନ: ଆପଣ ଜଣେ ସଫଳ କଳାକାର ଏଥିରେ ଦ୍ୱିମତ ନାହିଁ। ଆପଣଙ୍କ ପାଇଁ ପ୍ରସ୍ତାବର ଧାଡ଼ି ଲାଗି ଯାଉଥିବ। ତା ସତ୍ତ୍ୱେ ବି ଆପଣ ଅବିବାହିତ। କାହାକୁ ପ୍ରେମ କରି ବିଫଳ ହୋଇଥିବା ହେତୁ ବିବାହ ପ୍ରତି ମନ ଯାଇନାହିଁ ନା ଆଉ କିଛି କାରଣ ଅଛି?
ଉତ୍ତର: କଳାକାରମାନଙ୍କ ବୈବାହିକ ଜୀବନରେ ବିଶ୍ୱାସ ଓ ଭରସାର ଅଭାବ ମୁଁ ଦେଖିଲି। ଯଦିଓ ମୁଁ ପିଲାଦିନରୁ ନିଷ୍ପତ୍ତି ନେଇ ସାରିଥିଲି ଯେ ମୁଁ ବିବାହ କରିବି ନାହିଁ ଅଭିନୟ ଦୁନିଆକୁ ଆସିବା ପରେ ସେ ଭାବନା ଆହୁରି ଦୃଢ଼ ହୋଇଗଲା। ବାକି ରହିଲା ପ୍ରେମ କଥା, ସେଇ ଗୋଟାଏ ଜିନିଷ ମୋ ଜୀବନରେ ଅଭାବ ରହିଗଲା। ଘରଲୋକଙ୍କ ପାଖରୁ ଏତେ ସ୍ନହ,ଭଲପାଇବା ପାଇଛି ଯେ କେଉଁ ଜଣେ ବାହାର ଲୋକର ଭଲପାଇବା ମୋର ଆବଶ୍ୟକ ହୋଇନି।

୬.ପ୍ରଶ୍ନ: ହିନ୍ଦି ଚଳଚ୍ଚିତ୍ର ‘ଅସୀମା’ରେ ଆପଣ ଜଣେ ପ୍ରିନ୍ସିପାଲ୍‌ ଭୂମିକା ନିଭାଇଥିଲେ। ଓଲିଉଡ୍‌ କଳାକାରମାନଙ୍କ ସହ ବି କାମ କରିଛନ୍ତି ଆଉ ବଲିଉଡ୍‌ କଳାକାରଙ୍କ ସହ କାମ କରିବାର ଅଭିଜ୍ଞତା ବି ଅଛି। କ’ଣ ଭିନ୍ନତା ରହିଛି ବଲିଉଡ୍‌ ଓ ଓଲିଉଡ୍‌ ଭିତରେ?
ଉତ୍ତର: ବଲିଉଡ୍‌ କଳାକାରମାନେ ନିଜ କାମକୁ ନେଇ ବେଶ୍‌ ଉତ୍ସର୍ଗୀକୃତ। ଓଡ଼ିଶାରେ ଧୀରେ ଧୀରେ ସେ ଉତ୍ସର୍ଗୀକୃତ ମନୋଭାବ ଦେଖାଯାଉଛି। ସେମାନଙ୍କ ପରି ଆମ ଓଲିଉଡ୍‌ କଳାକାରମାନେ ବି କାମକୁ ସେତିକି ଗାମ୍ଭୀର୍ଯ୍ୟର ସହ ନେଲେ ଆଗାମୀ ପିଢ଼ି ପାଇଁ ଓଲିଉଡ୍‌ ଜଗତ ସେପରି ଝଲସୁଥିବ।

୭.ପ୍ରଶ୍ନ: ଏଇ କିଛି ବର୍ଷ ଭିତରେ କାଷ୍ଟିଂ କାଉଚ୍‌ ବିଷୟରେ ଖୁବ୍‌ ଶୁଣିବାକୁ ମିଳୁଛି। କେହି ଝିଅ ଆପଣଙ୍କ ସମ୍ମୁଖରେ ଏପରି ସମସ୍ୟାର ସମ୍ମୁଖୀନ ହେବାର ଆପଣ ଆପର ଦେଖିଛନ୍ତି କି?
ଉତ୍ତର: ମୁଁ ଯେଉଁ ବୟସରେ ଅଛି ମୋ ସାମ୍ନାରେ କେହି ସାହସ କରିବେନି ସେପରି କରିବାକୁ। ଯଦି ବି ହେଉଥିବା ଆମ ବୟସର କଳାକାରମାନଙ୍କ କାନକୁ ଆସିବାକୁ ସମୟ ଲାଗିବ। ବହୁତ ବଡ଼ ଧରଣର କିଛି ଘଟିଲେ ହିଁ ଆମ କାନକୁ ଆସିବ। ତାଛଡ଼ା ସବୁ କ୍ଷେତ୍ରରେ ଭଲ ମନ୍ଦ ମଣିଷ ଅଛନ୍ତି। ସେ ମଣିଷମାନଙ୍କ ସହ ନିଜକୁ କିପରି ଚଳାଇ ନେବାକୁ ହେବ ତାହା ଜଣେ ଝିଅ ଜାଣିବା ଉଚିତ। ଟଙ୍କା ପାଇଁ ନିଜର ନୈତିକତା ଓ ଆତ୍ମସମ୍ମାନ ନଷ୍ଟ କରିବା ଉଚିତ ନୁହେଁ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ୍‌)

ସମ୍ବନ୍ଧିତ ଖବର