ଝିଅ ସୋନମଙ୍କ ସହ ଅଭିନୟ କରିବାକୁ ଅସହଜ ମନେ କରୁଛନ୍ତି ଅନୀଲ! କାହିଁକି?

ମୁମ୍ବାଇ: ଅନେକ ବର୍ଷ ପରେ ପରଦାରେ ଏକତ୍ର ନଜର ଆସିବେ ନୀଳନୟନା ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଏବଂ ଅନୀଲ କପୁର୍‌। ‘ଫନେ ଖାନ୍‌’ ଜରିଆରେ ଦର୍ଶକଙ୍କୁ ଜବରଦସ୍ତ ମନୋରଞ୍ଜନ କରାଇବେ ଅନୀଲ। ନିକଟରେ ତାଙ୍କର ଅନେକ ସାକ୍ଷାତ୍‌କାର ଦେଖିବାକୁ ମିଳିଛି। ସବୁ ଥର ପରି ଏଥର ସାକ୍ଷାତ୍‌କାରରେ ବି ସେ କିଛି ନିଆରା କଥା କହିଛନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ସୋନମ୍‌ ପକୁର୍‌, ରେହା କପୁର୍‌ ଓ ହର୍ଷବର୍ଦ୍ଧନ କପୁର ତାଙ୍କର ତିନି ପିଲା। ସେ ନିଜ ପିଲାମାନଙ୍କୁ ନେଇ ବେଶ୍‌ ଯତ୍ନଶୀଳ। ତାଙ୍କର ଦୁଇ ପିଲା ଅଭିନୟ ଜଗତରେ ଆଗ୍ରହ ରଖିଥିବା ବେଳେ ରେହା କପୁର୍‌ ହେଉଛନ୍ତି ଜଣେ ଷ୍ଟାଇଲିଷ୍ଟ୍‍ ଓ ପ୍ରଯୋଜକ।

ଆଗକୁ ଅନୀଲ ତାଙ୍କ ଝିଅ ସୋନମଙ୍କ ସହ ‘ଏକ ଲଡକିକୋ ଦେଖା ତୋ ଏସା ଲଗା’ ଚଳଚ୍ଚିତ୍ର ଜରିଆରେ ସାଙ୍ଗ ହୋଇ ଅଭିନୟ କରିବେ। ବାପାଝିଅ ଗୋଟାଏ ପରଦାରେ ଦିଶିବେ ବୋଲି ଦର୍ଶକେ ବି ବେଶ୍‌ ଉତ୍ସୁକ। ମାତ୍ର ଏ ନେଇ ବିଶେଷ ଖୁସି ପ୍ରକଟ କରିନାହାନ୍ତି ଅନୀଲ। ସେ କହନ୍ତି କି ‘ନିଜ ରକ୍ତ ସହ ସ୍କ୍ରିନ୍‌ ସେୟାର୍‌ କରିବା ଭାରି କଷ୍ଟ କାମ। ଜଣାପଡ଼େ ନାହିଁ ଯେ ମୁଁ ଜଣେ ବାପାର ଭୂମିକା ନିଭାଇବି ନା କଳାକାରର। ବାସ୍ତବରେ କହିବାକୁ ଗଲେ ନିଜର ଲୋକଙ୍କ ସହ ଅଭିନୟ କରିବା ବେଳେ ଅସହଜ ମନେ ହେବା ସ୍ୱାଭାବିକ।’

ଉଲ୍ଲେଖଯୋଗ୍ୟ, ସେ ଖୁବ୍‌ ଶୀଘ୍ର ପୁତ୍ର ହର୍ଷବର୍ଦ୍ଧନଙ୍କ ସହ ବି ସ୍କ୍ରିନ୍‌ ସେୟାର୍‌ କରିବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ ଆହୁରି ବି ଟିକେ କଠିନ ହୋଇପାରେ ବୋଲି ଅନୀଲ ଜଣାଇଛନ୍ତି।

ସମ୍ବନ୍ଧିତ ଖବର