ଚର୍ଚ୍ଚାରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ଶାହିଦଙ୍କ ସାନଭାଇ ଇଶାନ!

ଶ୍ରୀଦେବୀ ଓ ବୋନି କପୁର୍‌ଙ୍କ ଝିଅ ଜାହ୍ନବୀ କପୁର୍‌ଙ୍କ ବଲିଉଡ୍‌ ପ୍ରବେଶକୁ ନେଇ ଅତୀତରେ ଆମେ ଅନେକ ଚର୍ଚ୍ଚା କରିଛୁ। ତାଙ୍କୁ ନିଜ ଫିଲ୍ମରେ ନେବାଲାଗି ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ଚେଷ୍ଟା ଚଳାଇଥିଲେ ଏବଂ ସେ ପ୍ରସଙ୍ଗକୁ ନେଇ ଅନେକ ଗୁଜବ ବି ଶୁଣିବାକୁ ମିଳୁଥିଲା। ତେବେ ଏବେ ସ୍ପଷ୍ଟ ହୋଇ ଯାଇଛି ଯେ ଜାହ୍ନବୀ ବଡ଼ ପରଦାକୁ ଆସୁଛନ୍ତି ଏବଂ ତାଙ୍କର ପ୍ରଥମ ଫିଲ୍ମର ଶୀର୍ଷକ ହେଉଛି ‘ଧଡ଼କ୍‌’। ଗତ ସପ୍ତାହରେ ଏହାର ପୋଷ୍ଟର୍‌ ରିଲିଜ୍‌ ହୋଇଛି। କରନ ଯୋହରଙ୍କ ଧର୍ମା ପ୍ରଡକ୍ସନ୍‌ସ୍‌ ବ୍ୟାନର୍‌ର ଏଇ ଫିଲ୍ମରେ ଜାହ୍ନବୀଙ୍କ ହିରୋ ଅଛନ୍ତି ତାଙ୍କ ଭଳି ଆଉ ଜଣେ ନବାଗତ ଇଶାନ୍‌ ଖଟ୍ଟର୍‌। ଇଶାନ୍‌ ହେଉଛନ୍ତି ଅଭିନେତା ଶାହିଦ୍‌ କପୁର୍‌ଙ୍କ ସାନଭାଇ। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଶଶାଙ୍କ ଖୈତାନ୍‌। ଫିଲ୍ମଟି ୨୦୧୮, ଜୁଲାଇ ୬ ତାରିଖରେ ରିଲିଜ୍‌ ହେବ ବୋଲି ମଧ୍ୟ ଘୋଷଣା କରା ଯାଇଛି। ‘ଧଡ଼କ୍‌’ର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବ।

ଗୋଟିଏ ଉଲ୍ଲେଖନୀୟ କଥା ହେଉଛି ସେ ‘ଧଡ଼କ୍‌’ ହେଉଛି ଚର୍ଚ୍ଚିତ ଓ ସୁପର୍‌ହିଟ୍‌ ମରାଠୀ ଫିଲ୍ମ ‘ସଇରାତ୍‌’ର ଅଫିସିଆଲ୍‌ ରି-ମେକ୍‌। ୨୦୧୬ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌-ମ୍ୟୁଜିକାଲ୍‌ ‘ସଇରାତ୍‌’ରେ ଥିଲା ଗୋଟେ କିଶୋର ପ୍ରେମ କାହାଣୀ। ଜଣେ ନିମ୍ନଜାତିର ଗରିବ ପରିବାର ପୁଅ ଓ ଉଚ୍ଚଜାତିର ଜମିଦାରଙ୍କ ଝିଅର ପ୍ରେମ କାହାଣୀ। ଖୁବ୍‌ ଅଳ୍ପ ବଜେଟ୍‌ରେ ଓ ସ୍କୁଲ୍‌ରେ ପଢୁଥିବା ନବାଗତ କଳାକାରଙ୍କୁ ନେଇ ତିଆରି ହୋଇଥିବା ଏ ଫିଲ୍ମଟି ବ୍ୟବସାୟରେ ଅନେକ ନୂଆ ରେକର୍ଡ ସ୍ଥାପନ କରିଥିଲା। ପ୍ରଥମ ମରାଠୀ ଫିଲ୍ମ ଭାବେ ଏହା ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏହାକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ରି-ମେକ୍‌ କରିବାର ଅଧିକାରକୁ ପ୍ରଯୋଜକମାନେ ଅନେକ ପୂର୍ବରୁ କିଣି ସାରିଛନ୍ତି। ଏହାର ବଙ୍ଗଳା ରି-ମେକ୍‌ ରିଲିଜ୍‌ ହୋଇ ସାରିଛି। ପୁଣି କନ୍ନଡ଼, ତେଲୁଗୁ, ତାମିଲ୍‌, ମାଲାୟଲାମ୍‌ ଓ ପଞ୍ଜାବୀ ସଂସ୍କରଣର କାମ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର