ମା’ଙ୍କ ପୁରସ୍କାର ତାଙ୍କର ପ୍ରିୟ ଶାଢ଼ି ପିନ୍ଧି ଗ୍ରହଣ କଲେ ଶ୍ରୀଦେବୀ ତନୟା ଜାହ୍ନବୀ

ନୂଆଦିଲ୍ଲୀ : ଶ୍ରୀଦେବୀଙ୍କ ବିୟୋଗ ପରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ସେ ମରି ବି ଅମର ବୋଲି ବାରମ୍ବାର ପ୍ରମାଣ କରି ଚାଲିଛନ୍ତି । ସଂସାର ଛାଡ଼ି ଚାଲି ଯାଇଥିଲେ ମଧ୍ୟ ତାଙ୍କ ଅଭିନୟକୁ ଦେଖି ଲୋକେ ତାଙ୍କୁ ମନେ ପକାଉଛନ୍ତି । ମେ ୩ ତାରିଖରେ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିବା ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡ଼ ୨୦୧୮ ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କ କାମକୁ ପୁଣି ଥରେ ସମ୍ମାନିତ କରାଯାଇଛି । ଫିଲ୍ମ ‘ମମ୍‌’ରେ ଥିବା ଚରିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି । ଏହି ସମ୍ମାନକୁ ଗ୍ରହଣ କରିଛନ୍ତି ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ।

ଏହି ପୁରସ୍କାର ଗ୍ରହଣ କରିବା ସମୟରେ ଜାହ୍ନବୀ ଶ୍ରୀଦେବୀଙ୍କୁ ସବୁଠାରୁ ଅଧିକ ପସନ୍ଦ ଥିବା ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଜାହ୍ନବୀଙ୍କ ସମେତ ତାଙ୍କ ବାପା ବୋନି କପୁର ଏବଂ ଭଉଣୀ ଖୁସି କପୁର ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଶ୍ରୀଦେବୀଙ୍କ ଶାଢ଼ି ପିନ୍ଧି ନିଜ ମା’ଙ୍କୁ ମନେ ପକାଇବା ସହ ସମ୍ମାନ ଗ୍ରହଣ ସମୟରେ ତାଙ୍କର ଆଖି ଛଳ ଛଳ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।

ଏହା ସହ ସମ୍ମାନ ଗ୍ରହଣ ପରେ ବୋନି କପୁର ଭାରତ ସରକାର, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ଧନ୍ୟବାଦ୍‌ ଜଣାଇଥିଲେ । ଅନ୍ୟ ପକ୍ଷରେ ବଲିଉଡ଼ ଡ଼ିଜାଇନର ମନିଷ ମଲହୋତ୍ରା ଜାହ୍ନବୀଙ୍କର ସେ ସମୟର ଏକ ଫଟୋ ନେଇ ନିଜ ଇନ୍‌ଷ୍ଟା ପେଜ୍‌ରେ ସେୟାର କରିଥିଲେ ।

ଫଟୋ ସେୟାର କରିବା ସହ ସେ ଶ୍ରୀଦେବୀଙ୍କ ପାଇଁ ନିଜ ସମ୍ମାନ ଜଣାଇଥିଲେ । ଫିଲ୍ମ ଧଡ଼କରୁ ନିଜର ବଲିଉଡ଼ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ଜାହ୍ନବୀ ନିଜ ମା’ଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ସମ୍ବନ୍ଧିତ ଖବର