ଭୁବନେଶ୍ୱର: ଗତ କାଲି ରାତିରେ ସୁଦୀପ୍ତ ସାହୁ ନାମକ ଜଣେ ଯୁବକ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍ବୁକ୍ରେ ପୋଷ୍ଟ କରିବା ପରେ ଚଳଚ୍ଚିତ୍ର ପ୍ରେମୀଙ୍କ ମହଲରେ ଆଲୋଡ଼ନ ଖେଳି ଯାଇଥିଲା। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ସମ୍ବାଦ.ଇନ୍ ପକ୍ଷରୁ ଯେତେବେଳେ ସକାଳେ ଓଲିଉଡ୍ର କମେଡି କିଙ୍ଗ୍ ଜୟୀଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ ସେତେବେଳେ ପ୍ରଥମେ ତାଙ୍କର ଚିରାଚରିତ କଣ୍ଠସ୍ୱର ଶୁଣି ଆମେ ଆନନ୍ଦିତ ହୋଇଥିଲୁ। ଏହା ପରେ ଆମ ପ୍ରତିନିଧି ତାଙ୍କୁ ଆଗାମୀ ଚଳଚ୍ଚିତ୍ର ସଂପର୍କରେ ପ୍ରଶ୍ନ କରି ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ଜୟୀ କହିଥିଲେ ଯେ ନିକଟରେ ତାଙ୍କ ଅଭିନୀତ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ ରିଲିଜ୍ ହୋଇଛି। ଏହି ନିକଟରେ ସେ ‘ଯୋଗୀ’ ଏବଂ ‘ମାଆ ଧାମରାଇ’ର ସୁଟିଂ ସେ ଶେଷ କରିଛନ୍ତି।
ଶେଷରେ ସେ ସ୍ମିତହାସ୍ୟ ଦେଇ ଅନୁମାନ କରିପାରିଲେ କାହିଁକି ତାଙ୍କୁ ହଠାତ ଯୋଗାଯୋଗ କରାଯାଇଛି। ସେ କହିଲେ ଯେ ଗତକାଲି ରାତିରୁ ତାଙ୍କ ପାଖକୁ ବହୁ ସଂଖ୍ୟକ ଫୋନ୍ କଲ୍ ଆସୁଛି। ଏହାକୁ ନେଇ ସେ ବିଶେଷ ଚିନ୍ତିତ ନଥିଲେ ହେଁ ଶୁଭେଚ୍ଛୁ ଓ ସିନେପ୍ରେମୀଙ୍କ ମନରେ ଏଭଳି ମିଥ୍ୟା ଖବର ଆଘାତ ଦେଇଛି। ସେ ‘ସ୍ତ୍ରୀ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ଯାଯାବର’, ‘ଫୁଲ ଚନ୍ଦନ’, ‘ସହରୀ ବାଘ’, ‘ଜଗା ବଳିଆ’, ‘ଡୋରା’, ‘ପକା କମ୍ବଳ ପୋତ ଛତା’ ଇତ୍ୟାଦି। ୧୫୦ରୁ ଊର୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ କେବଳ ହାସ୍ୟଭିନେତା ନୁହଁନ୍ତି କେତେକ ଚରିତ୍ର ଏବଂ ଖଳଚରିତ୍ରରେ ମଧ୍ୟ ନଜର ଆସିଛନ୍ତି।
ବର୍ତ୍ତମାନ ସେ ତାଙ୍କର କଟକର ତୁଳସୀପୁର ବାସବଭନରେ ରହୁଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ନିଜ ଆଡୁ କହିବା ସହ ତାଙ୍କ ପ୍ରଶଂସକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ‘ସମ୍ବାଦ.ଇନ୍’ ଟିମ୍ ପକ୍ଷରୁ ତାଙ୍କ ଦୀର୍ଘ ଜୀବନ କାମନା କରୁଛୁ।