ଆଜି ହେଉଛି ବଲିଉଡର ଜଣାଶୁଣା ଖଳନାୟକ ଜୀବନଙ୍କ ଜନ୍ମ ଦିନ,ଜାଣନ୍ତୁ ଅଧିକ କିଛି ତାଙ୍କ ସଂପର୍କରେ…

ପଚାଶ ବର୍ଷର ସିନେ କ୍ୟାରିଅର୍‌ ଭିତରେ ତିନି ଶହରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଜୀବନଙ୍କ ପ୍ରକୃତ ନାମ ହେଲା ଓମ୍‌କାର ନାଥ ଧର। ଆଜି ହେଉଛି ଏହି ଅଭିନେତାଙ୍କ ଜନ୍ମ ଦିନ। ୧୯୧୫ ମସିହା ଅକ୍ଟୋବର ୨୪ ତାରିଖରେ ଶ୍ରୀନଗରରରେ ଏକ କାଶ୍ମିରୀ ପଣ୍ଡିତ ପରିବାରରେ ତାଙ୍କର ଜନ୍ମ ହୁଏ।ଜୀବନଙ୍କ ଜେଜେ ରାଜ୍ୟପାଳ ଥିଲେ।ଏହି କାରଣରୁ ସେ ଖାନ୍‌ଦାର ଜୀବନ ବିତାଉଥିଲେ। କିନ୍ତୁ ତାଙ୍କୁ ଯେତେବେଳେ ତିନି ବର୍ଷ ବୟସ ହୋଇଥିଲା,ସେତେବେଳେ ତାଙ୍କର ପିତୃ ବିୟୋଗ ଘଟିଥିଲା। ଜୀବନଙ୍କର ଲାଳନ ପାଳନ ମାଆ କରିଥିଲେ। ତାଙ୍କର ଗୋଟିଏ ଭଉଣୀ ଓ ୨୩ ଭାଇ ଥିଲେ।ଏହି କାରଣରୁ ପିଲାଦିନେ ସେ ଦୁଃଖୀ ରହୁଥିଲେ।

ଜୀବନଙ୍କର ପିଲାଦିନରୁ ଇଛାଥିଲା ଅଭିନେତା ହେବେ। ସେ ଶ୍ରୀନଗରରେ ପାଠପଢ଼ା ସରିବାପରେ ୨୯ଟଙ୍କା ଧରି ନିଜର ସ୍ୱପ୍ନକୁ ସାକାର ରୂପ ଦେବାକୁ ମାୟାନଗରୀ ମୁମ୍ବାଇରେ ଆସି ପହଁଞ୍ଚିଥିଲେ। ଏଠାରେ ତାଙ୍କୁ ମୋହନ ସିହ୍ନା ଷ୍ଟୁଡ଼ିଓରେ କାମ ମିଳିଥିଲା। ଭାଗ୍ୟ ତାଙ୍କର ସାଥ୍‌ ଦେଲା। ଦିନେ ମୋହନ ସିହ୍ନା ତାଙ୍କୁ ଆସି ପଚାରିଲେ,‘‘ୟଙ୍ଗ୍‌ ମ୍ୟାନ୍‌’ଆକ୍ଟିଂ କରିବ?’’ଜୀବନ ହଁ ଭରିବା ପରେ ତାଙ୍କୁ ‘ହୀର-ରାଁଝା’ର ଏକ ଡ଼ାଏଲଗ୍‌ ଶୁଣାଇଥିଲେ। ମୋହନ ସିହ୍ନା ଜୀବନଙ୍କୁ ‘ଫ୍ୟାଶନେବଲ୍‌ ଇଣ୍ଡିଆ’ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଥମ ସୁଯୋଗ ଦେଇଥିଲେ। ଏହାପରେ ନିର୍ମାତା ବିଜୟ ଭଟ୍ଟ ମଧ୍ୟ ତାଙ୍କୁ ନିଜ ସିନେମାରେ କାମ କରିବାର ସୁଯୋଗ ଦେଲେ। ଧୀରେ ଧୀରେ ଜୀବନ ଜଣେ ନାମୀ ଚରିତ୍ର ଅଭିନେତା ହେଲେ।

photo-youtube

୧୯୩୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରୋମାଣ୍ଟିକ୍‌ ଇଣ୍ଡିଆ’ରୁ ସେ ପ୍ରସିଦ୍ଧି ଲାଭ କରିଥିଲେ।୧୯୪୨ରେ ‘ଷ୍ଟେସନ୍‌ ମାଷ୍ଟର୍‌’ଓ ୧୯୪୬ ମସିହାରେ ‘ଅଫ୍‌ସାନା’ ଫିଲ୍ମରେ କାମ କରି ଲୋକପ୍ରିୟ ହେଲେ।ତାଙ୍କ ଅଭିନୀତ ଅନ୍ୟାନ୍ୟ ଉଲ୍ଲେଖନୀୟ ସିନେମା ଗୁଡ଼ିକ ହେଲା-ଶରିଫ୍‌ ବଦମାସ୍‌,ଜନି ମେରା ନାମ୍‌,ରୋଟି,ନୌ ଦୋ ଗ୍ୟାର୍‌ହ,ଦିଲ୍‌ନେ ଫିର୍‌ ୟାଦ୍‌ କିୟା,ଜୁଆରୀ,ଅମର ଆକ୍‌ବର୍‌ ଅନ୍ଥୋନୀ,ନାଗୀନ୍‌ ,ନୟା ଦୌର୍‌,କାରତୁସ୍‌,ଗ୍ୟାମ୍ବଲର,ଧରମ-ବୀର୍‌ ,ଆବରୁ,ସୁହାଗ୍‌,ଟକ୍କର୍‌,ନସୀବ୍‌,ଲାଓ୍ଵାରିସ୍‌, ୟାରାନା,ନିଶାନ୍‌,ସନମ ତେରି କସମ୍‌ଏବଂ କାଲା ଧନ୍ଦା ଗୋରେ ଲୋଗ୍‌ ଇତ୍ୟାଦି। ଲୋକପ୍ରିୟ ଚରିତ୍ର ଅଭିନେତା ଜୀବନ ତାଙ୍କ ଜୀବଦ୍ଦଶାରେ ବଲିଉଡର ଅଧିକାଂଶ ବିଶିଷ୍ଟ ନିର୍ଦ୍ଦେଶକଙ୍କ ସିନେମାରେ କାମ କରିବାର ସୁଯୋଗ ପାଇଥିଲେ। ଏହି ନିର୍ଦ୍ଦେଶକଙ୍କ ଭିତରେ ଅଛନ୍ତି ମନମୋହନ ଦେଶାଇ, ପ୍ରକାଶ ମେହେରା, ସଞ୍ଜୟ ଖାନଙ୍କ ଭଳି ନାମ ଦାମୀ ବ୍ୟକ୍ତି।

ତେବେ ତାଙ୍କ ମୁଖର ଅଙ୍ଗଭଙ୍ଗୀ ଓ ସଂଳାପ କରିବା ଶୈଳୀ ହିଁ ଜୀବନଙ୍କୁ ଜଣେ ଖତର୍‌ନାକ୍‌ ଖଳନାୟକର ମାନ୍ୟତା ଦେଇଥିଲା। ତାଙ୍କ ସଂଳାପରେ ରବର୍ଟ ..ଶବ୍ଦର ଯାଦୁ ଥିଲା।

photo-filmsforliberation.com

ଭାରତୀୟ ସିନେମାର ପଚାଶ,ଷାଠିଏ,ସତୁରି ଏବଂ ଅଶୀ ଦଶକରେ ଅନେକ ଫିଲ୍ମରେ ଖଳନାୟକ ହୋଇଗଲେ।େ ସ ଖୁବ୍‌ ଆରାମଦାୟକ ଜୀବନ ବତାଉଥିଲେ। ନିଜ ପିଲାମାନଙ୍କୁ ଖୁବ୍‌ ସ୍ନେହ କରୁଥିବା ଜୀବନ ସେ ପିଲାମାନଙ୍କୁ ନିୟମିତ ଭାବେ ହୋଟେଲ୍‌ରେ ନେଇ ଖୁଆଉଥିଲେ ଏବଂ ସିନେମା ଦେଖାଇବା ପାଇଁ ମଧ୍ୟ ନେଉଥିଲେ। ଜୀବନଙ୍କ ପୁଅ କିରଣ କୁମାର ପିତାଙ୍କୁ ଅନୁସରଣ କରି ଜଣେ ଅଭିନେତା ହୋଇଥିଲେ।‘ଜୀବନ୍‌’ଙ୍କୁ ବାଦ୍‌ ଦେଇ ଭାରତୀୟ ଚଳଚ୍ଚିତ୍ର ଇତିହାସ ଲେଖାଯାଇପାରିବ ନାହିଁ। ଏହି ଲୋକପ୍ରିୟ ଚରିତ୍ର ଅଭିନେତାଙ୍କ ଦେହାନ୍ତ ହୋଇଥିଲା ୧୯୮୭ ମସିହା ଜୁନ୍‌ ୧୦ ତାରିଖରେ।

 

ସମ୍ବନ୍ଧିତ ଖବର