ମାଆ ଶ୍ରୀଦେବୀଙ୍କୁ ନେଇ ପ୍ରଥମ ଥର ଏପରି କଥା କହିଲେ ଝିଅ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ତିନିମାସରୁ ଅଧିକ ଦିନ ବିତି ଯାଇଛି। ତେବେ ଆକସ୍ମିକ ଭାବେ ହୋଇଥିବା ଶ୍ରୀଦେବୀଙ୍କ ମୃତ୍ୟୁ ଖବର ପୂରା ପରିବାରର ସହିତ ବଲିଉଡ୍‌କୁ ଦୋହଲାଇ ଦେଇଥିଲା। ନିକଟରେ ଶ୍ରୀଦେବୀଙ୍କୁ ତାଙ୍କ ସିନେମା ‘ମମ୍‌’ ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ମଇ ୩ ତାରିଖ ଦିନ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଉଥିବା ସମୟରେ ବୋନି କପୁର ତାଙ୍କର ଦୁଇ ଝିଅ ଜହ୍ନବୀ ଓ ଖୁସିକୁ ନେଇ ଦିଲ୍ଲୀ ପହଞ୍ଚି ଥିଲେ।

ଏହି ସମୟରେ ବୋନି କପୁର ଗଣମାଧ୍ୟମ ସହିତ କଥା ହେଉଥିବା ବେଳେ ଜହ୍ନବୀ  ବି ଗଣମାଧ୍ୟମ ସାମ୍ନାକୁ ଆସି କଥା ହୋଇ କହିଥିଲେ, ତାଙ୍କ ମାଆକୁ ମିଳିଥିବା ସମ୍ମାନ ପାଇଁ ଧନ୍ୟବାଦ।

ସାମ୍ନାକୁ ଆସିଥିବା ଏହି ଭିଡିଓ କିଛିଦିନ ପୂରଣା। କିନ୍ତୁ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବୋନି କପୁର କହୁଛନ୍ତି, ଏତେ ବଡ଼ ପୁରସ୍କାର ନେବା ପାଇଁ ଆଜି ଶ୍ରୀଦେବୀ ଆମ ଗହଣରେ ରହିଲେ ନାହିଁ। ଏହି ସମୟରେ ଜହ୍ନବୀ ତୁରନ୍ତ ଆସି ଗଣାମାଧ୍ୟମରେ କହୁଛନ୍ତି, ମୋ ମାଆ ଏହି ଭୂମିକା ପାଇଁ କରିଥିବା ପରିଶ୍ରମ ଓ ସମର୍ପଣକୁ ଅନୁଭବ କରି ଥିବାରୁ ମୁଁ ଓ ଖୁସି ଜୁରି ସଦସ୍ୟଙ୍କୁ ଧନ୍ୟବାଦ ଦେଉଛୁ। ଏହା ଆମ ପାଇଁ ବେଶ୍‌ ସ୍ୱତନ୍ତ୍ର, ଏହାକୁ ପାଇ ଆମେ ବହୁତ ଖୁସି। ଶେଷରେ ଜହ୍ନବୀ ଭାରତ ସରକାରଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।

ଶେଷରେ ଯେତେବେଳେ ଜହ୍ନବୀଙ୍କୁ ପଚରା ଯାଇଥିଲା କି ଆପଣ ମାଆଙ୍କୁ ମିସ୍‌ କରୁଛନ୍ତି। ଏହି ପ୍ରଶ୍ନର ସେ କୌଣସି ଉତ୍ତର ଦେବାକୁ ଚାହାନ୍ତି ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ ଜହ୍ନବୀ।

 

ସମ୍ବନ୍ଧିତ ଖବର