ଟପ୍‌ ନାୟକଙ୍କ ସାଥ୍‌ ଏ ବର୍ଷ ମିଳି ନାହିଁ ଏହି ଓଲିଉଡ ନାୟିକାଙ୍କୁ

ଭୁବନେଶ୍ୱର: ବଙ୍ଗୀୟ ନାୟିକା ଝିଲିକ୍‌ ଓଲିଉଡରେ ପ୍ରାୟ ୪ ବର୍ଷ ଧରି ସକ୍ରିୟ ଅଛନ୍ତି।ସେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରି ଖୁବ୍‌ ସଫଳତା ହାସଲ କରିଛନ୍ତି । ଏଭଳି ସଫଳତା ଖୁବ୍‌ କମ୍‌ ନାୟିକାଙ୍କ ଭାଗ୍ୟରେ ଜୁଟିଥାଏ। ହେଲେ ଏ ବର୍ଷ ଝିଲିକ୍‌ କିନ୍ତୁ ଟପ୍‌ ନାୟକଙ୍କ ସାଥ୍‌ ପାଇ ନାହାନ୍ତି। କହିବାର ତାତ୍ପର୍ଯ୍ୟ ହେଲା ୨୦୧୭ରେ ଝିଲିକ୍‌ଙ୍କୁ ଆଗଧାଡିର ନାୟକ ଅନୁଭବ,ବାବୁସାନ୍‌ ବା ଅରିନ୍ଦମ୍‌ଙ୍କ ବିପକ୍ଷରେ କୌଣସି ସିନେମାରେ ଦେଖିବାକୁ ପାଇ ନାହାନ୍ତି ସିନେପ୍ରେମୀ।

ଏଠାରେ ସୂଚନାଯୋଗ୍ୟ ଯେ ନିରଞ୍ଜନ ରଣା ପ୍ରଯୋଜିତ ତଥା ଏସ କେ ମୁରଲୀଧରନ୍‌ ନିର୍ଦେଶିତ ‘ଟାର୍ଗେଟ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ ଝିଲିକ୍‌।ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ। ତାପରେ ସେ ବାବୁସାନଙ୍କ ସହ ‘ଆଖିରେ ଆଖିରେ’ରେ ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହେବାପରେ ବାବୁସାନ୍‌-ଝିଲିକଙ୍କୁ ଲୋକପ୍ରିୟ ଯୋଡ଼ିର ମାନ୍ୟତା ମିଳିଥିଲା।ଏହି ଯୋଡ଼ିକୁ ଦର୍ଶକ ପୁଣି ‘ଲେଖୁ ଲେଖୁ ଲେଖି ଦେଲି’ , ‘ସୁପର ମିଛୁଆ’ ଏବଂ ‘ଜବରଦସ୍ତ ପ୍ରେମିକ’ ଆଦି ସିନେମାରେ ବି ପସନ୍ଦ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ଝିଲିକ ଅନୁଭବଙ୍କ ସହିତ ‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’, ଅରିନ୍ଦମଙ୍କ ବିପକ୍ଷରେ ‘ଲଭ୍‌ ୟୁ ହମେଶା’ରେ ଅଭିନୟ କରିଛନ୍ତି।

 

ଚଳିତ ବର୍ଷ ସମ୍ବିତଙ୍କ ସହ ବି ଝିଲିକ୍‌ଙ୍କୁ ‘ତୁମକୁ ଦେଖିଲାପରେ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଠିକ୍‌ ସେହିପରି ନାୟକ ଜ୍ୟୋତିଙ୍କ ବିପକ୍ଷରେ ବି ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ’ତୁ ମୋ ହିରୋ’ରେ ନଜର ଆସିଛନ୍ତି ଝିଲିକ୍‌ ।ତେବେ ଏହି ଅନ୍ୟ ଯୋଡ଼ିକୁ ବାବୁସାନ୍‌-ଝିଲିକ ଯୋଡ଼ି ଭଳି ସଫଳତା ମିଳି ନାହିଁ।ତାଙ୍କର ନାୟକ ସମ୍ବିତଙ୍କ ସହ ଏକ ଫିଲ୍ମ ‘ଆଇ ଲଭ୍‌ ୟୁ-୨’ରିଲିଜ୍‌ ଅପେକ୍ଷାରେ ଅଛି। ଏବେ ଦେଖିବା କଥା ପୁଣି କେବେ ଟପ୍‌ ଥ୍ରି ନାୟକଙ୍କ ସହ କାମ କରିବାର ସୁଯୋଗ ମିଳୁଛି ଝିଲିକଙ୍କୁ !

ସମ୍ବନ୍ଧିତ ଖବର