କରୋନା ଭାଇରସକୁ ନେଇ ବିଏମସି ଭୁଲ ସୂଚନା ଦେଇଥିବାରୁ ଟୁଇଟ୍ କରି ବର୍ଷିଲେ ଜନ, କ୍ଷମା ମାଗିବା ସହ ଭୁଲ ସୁଧାରିଲା ବିଏମସି

ମୁମ୍ବାଇ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକେ ସତର୍କ ହୋଇଛନ୍ତି। ସମସ୍ତ ଦେଶର ସରକାର ସାଧାରଣ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଥିବା ବେଳେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩୦୦ ହୋଇଛି । ସେଥିମଧ୍ୟରୁ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହି ରୋଗ ବିଷୟରେ ଅନେକ ଗୁଜବ ଏବଂ ଭୁଲ ତଥ୍ୟ ଦିଆଯାଉଥିବା ମଧ୍ୟ ସାମ୍ନାକୁ ଆସିଛି। ଯାହା ଦ୍ବାରା ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ତେବେ ମୁମ୍ବାଇରେ ବିଏମଏସି ଦ୍ୱାରା ଭୁଲ ସୂଚନା ଦିଆଯାଉଥିବାରୁ ଟୁଇଟ୍ କରି ଏହାର ବିରୋଧ କରିଛନ୍ତି ବଲିଉଡ ଅଭିନେତା ଜନ୍ ଅବ୍ରାହମ୍ । ବିଏମସିକୁ ତା’ର ଭୁଲ ଦେଖାଇବା ପରେ ଟୁଇଟ୍ କରି ଜନଙ୍କୁ ବିଏମସି ପକ୍ଷରୁ କ୍ଷମା ମଗାଯାଇଛି।

ସୂଚନା ମୁତାବକ, ଖବରକାଗଜରେ ଏକ ଲେଖା ବାହାରିଥିଲା, ଯେଉଁଥିରେ ଲେଖାଥିଲା କି ପାଳିତ ପଶୁମାନଙ୍କଠାରୁ କରୋନା ବ୍ୟାପୁଥିବାରୁ ବିଏମସି ହୋର୍ଡିଂ ଲଗାଇ ପାଳିତ ପଶୁମାନଙ୍କ ମାଲିକଙ୍କୁ ସତର୍କ କରାଉଛନ୍ତି। ଖବରକାଗଜର ଏହି ଲେଖା ପଢ଼ିବା ପରେ ଏହାକୁ ଟୁଇଟ୍ କରି ଜନ ଲେଖିଥିଲେ, ପଶୁମାନେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୁଅନ୍ତି ନାହିଁ କି ସଂକ୍ରମଣ କରାନ୍ତି ନାହିଁ। ଦୟାକରି ଭୁଲ ସୂଚନା ଦିଅନ୍ତୁ ନାହିଁ।

ଜନଙ୍କ ଏଭଳି ଟୁଇଟକୁ  ରି-ଟୁଇଟ୍ କରି କ୍ଷମା ମାଗିଥି‌ଲା ବିଏମସି। ସାର୍, ଭୁଲ ତଥ୍ୟ ପାଇଁ ଆମେ ଦୁଃଖିତ, ଯାହା ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଆମେ ମଧ୍ୟ ଗୃହପାଳିତ ପଶୁମାନଙ୍କୁ ଭଲପାଉ ଏବଂ ତେଣୁ ଏହା ଆମ ନଜରକୁ ଆସିବା ମାତ୍ରେ ଏହି ସମସ୍ତ ହୋର୍ଡିଂ ତୁରନ୍ତ ହଟାଇ ଦିଆଯାଇଛି। ବାର୍ତ୍ତା ବିସ୍ତାର କରିବାରେ ଏବଂ ମୁମ୍ବାଇକୁ ସୁରକ୍ଷିତ ରଖିବାରେ ଆମକୁ ସାହାଯ୍ୟ କରିବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଧନ୍ୟବାଦ!

ସମ୍ବନ୍ଧିତ ଖବର