ଯୌନ ଶୋଷଣ ଘଟଣା ଉପରେ ବଡ଼ ଖୁଲାସା କଲେ ତନୁଶ୍ରୀ ଦତ୍ତାଙ୍କ କାର୍‌ ଉପରେ ଆକ୍ରମଣ କରିଥିବା ସାମ୍ବାଦିକ

ମୁମ୍ବାଇ: ଫିଲ୍ମ ‘ଆଶିକ୍‌ ବନାୟ ଆପ୍‌ନେ’ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହି ଫିଲ୍ମ ପରେ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିବା ବେଳେ କିଛି ବର୍ଷ ପରେ ସେ ବଲିଉଡ୍‌ରୁ ଗାୟବ ହୋଇ ଯାଇଥିଲେ । କିନ୍ତୁ ଏବେ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ୨୦୦୮ରେ ଘଟିଥିବା ଘଟଣାର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଥିଲା ।  ଯେଉଁଥିରେ ତନୁଶ୍ରୀଙ୍କ ଗାଡ଼ିକୁ କିଛି ଜଣେ ସାମ୍ବାଦିକ ଭାଙ୍ଗୁଥିବା ବେଳେ ତାଙ୍କ ଗାଡ଼ି ଚକାରୁ ପବନ ବାହାର କରୁଥିବା ଦେଖା ଯାଇଥିଲା ।

ଗତକାଲି ଏଭଳି କାମ କରିଥିବା ସାମ୍ବାଦିକଙ୍କ ପରିଚୟ ମିଳିବା ପରେ ଅନେକ ସାମ୍ବାଦିକ ତାଙ୍କୁ ଘେରି ଏପରି କରିବା ପଛର କାରଣ ପଚାରିଥିଲେ । ସାମ୍ବାଦିକଙ୍କ ନାମ ପଓ୍ଵନ ଭରଦ୍ୱାଜ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ଏପରି କରିବା ପଛର କାରଣ ପଚରାଯାଇଥିଲା ।

ଏହାର ଉତ୍ତର ରଖି, “ତନୁଶ୍ରୀଙ୍କ ଟିମ୍‌ ଆମ ଟିମ୍‌ ସହ ଅଯଥା ବିବାଦ କରିଥିବାରୁ ମୁଁ ଏପରି କରିଥିଲି ବୋଲି ଉତ୍ତର ରଖିଥିଲେ ପଓ୍ଵନ । ଆମେ ଷ୍ଟୁଡ଼ିଓରେ ଗୀତର ସୁଟିଂକୁ  କଭର କରିବା ପାଇଁ ଯାଇଥିଲୁ । କିନ୍ତୁ ଭିତରେ କ’ଣ ଘଟିଥିଲା ତାହା ଆମକୁ ଜଣା ନଥିଲା । ଏହି ସମୟରେ ତନୁଶ୍ରୀ ଏବଂ ତାଙ୍କ ବାପା ଷ୍ଟୁଡ଼ିଓରୁ ବାହାରିଥିଲେ । ଆମକୁ ଦେଖି ବିନା କାରଣରେ ତନୁଶ୍ରୀଙ୍କ ସୁରକ୍ଷାକର୍ମୀ ମୋର ଜଣେ ସାମ୍ବାଦିକ ବନ୍ଧୁଙ୍କୁ ମାଡ଼ ମାରିବା ସହ ତନୁଶ୍ରୀଙ୍କ ବାପା ମୋ କ୍ୟାମେରାକୁ ଭାଙ୍ଗି ଦେଇଥିଲେ । ମୁଁ ପ୍ରାୟତଃ ବେହୋସ ହୋଇ ଯାଇଥିଲି । କିନ୍ତୁ ସେଠାରେ ଥିବା କିଛି ଲୋକ ମୋ ଉପରେ ପାଣି ପକାଇ ମୋତେ ହୋସକୁ ଆଣିଥିଲେ । ପରେ ସେମାନଙ୍କ କାର୍‌ ଷ୍ଟୁଡ଼ିଓର ଗେଟ୍‌ ବାହାରେ ଠିଆ ହୋଇଥିବା ଜାଣି ମୁଁ ରାଗରେ ତାଙ୍କ କାର୍‌କୁ ଭାଙ୍ଗିବା ସହ ଚକାରୁ ପବନ ବାହାର କରିଥିଲି” ବୋଲି ପବନ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର