ଫିଲ୍ମ ‘ପଙ୍ଗା’ ରିଲିଜ ପରେ ବିବାହ କରିପାରନ୍ତି କ୍ୱିନ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ । ଜଣେ କବାଡି ଖେଳାଳିଙ୍କ ସଂଘର୍ଷମୟ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ ସାଧାରଣତନ୍ତ୍ର ଦିବସ ଅବସରରେ ଏହା ରିଲିଜ ହେବାକୁ ଯାଉଛି | ତେବେ କଙ୍ଗନାଙ୍କ ବିବାହକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି | ନିକଟରେ କଙ୍ଗନାଙ୍କ ବିବାହକୁ ନେଇ ‘ପଙ୍ଗା’ର ନିର୍ଦ୍ଦେଶକ ଅଶ୍ୱିନୀ ଅୟର କହିଥିଲେ ସେ ଖୋଦ ନିଜ ପାଇଁ ପୁଅ ଖୋଜିବେ ।


ଏବେ କଙ୍ଗନା ନିଜ ବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ନିକଟରେ କଙ୍ଗନା କହିଛନ୍ତି ତାଙ୍କର ମଧ୍ୟ ଏକ ରୋମାଣ୍ଟିକ ସାଇଡ ରହିଛି । ସେ କହିଛନ୍ତି ଜଣେ କଳାକାର ଭାବେ ମୁଁ ଏହାକୁ ଅନୁଭବ କରିପାରୁଛି ଯେ ନିଜ ଭିତରେ ଏକ ଇଚ୍ଛା ରଖି ଆଗକୁ ବଢିବା ଦରକାର । ଏପରି ଏକ ଇଚ୍ଛା ଯାହା ଆପଣଙ୍କ ଜୀବନକୁ ସକ୍ରିୟ କରିଦେବ । କଙ୍ଗନା କହିଛନ୍ତି ପ୍ରେମ ଓ ଭଲପାଇବା ବିଷୟରେ ମୋର ଖୁବ ଖରାପ ଅନୁଭୂତି ରହିଛି କିନ୍ତୁ ଏହାକୁ ଭୁଲି ମୁଁ ଆଗକୁ ବଢିଛି ।

ଏହା ସହିତ କଙ୍ଗନା କହିଛନ୍ତି ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ । କଙ୍ଗନା କହିଛନ୍ତି ମୁଁ ସବୁବେଳେ କହିଛି ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ ଯେ ଆପଣଙ୍କ ସ୍ତରକୁ ମ୍ୟାଚ କରିବ । କିନ୍ତୁ ନିତେଶ ତିୱାରୀଙ୍କୁ ଦେଖିବା ପରେ ମୋର ଦୃଷ୍ଟି କୋଣ ବଦଳିଯାଇଛି କାରଣ ସେ ନିଜର ବିବାହକୁ ନେଇ ଖୁବ ଖୁସି ଅଛନ୍ତି । ଏହା ସହିତ କଙ୍ଗନା କହିଛନ୍ତି ସେ ଖୁବ ଶୀଘ୍ର ବିବାହ କରିପାରନ୍ତି । ତେଣୁ ଆଶା କରାଯାଉଛି ଯେ ‘ପଙ୍ଗା’ ରିଲିଜ ହେବା ପରେ ସେ ବିବାହ କରିପାରନ୍ତି ।

ସମ୍ବନ୍ଧିତ ଖବର