‘ପଦ୍ମାବତୀ’ ରିଲିଜ ହେଲେ ଦୀପିକାଙ୍କ ନାକ କଟାଯିବ

ସିନେମା ନିର୍ମାତାଙ୍କ ମୁଣ୍ଡ ପିଛା ୫କୋଟିର ପୁରସ୍କାର ରାଶି ଘୋଷଣା କଲା କର୍ଣ୍ଣି ସେନା

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’ରେ ଥିବା ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି ଦାବି କରି ଏହାର ରିଲିଜକୁ ନେଇ ବିବାଦ ଦେଖା ଦେଇଛି। ସିନେମା ସୁଟିଂ ହେବା ଦିନଠାରୁ ବିବାଦ ଘେରରେ ରହିଛି। ଚଳିତବର୍ଷ ଜୟପୁରରେ ‘ପଦ୍ମାବତୀ’ ସିନେମାର ସୁଟିଂ ଚାଲିଥିବା ବେଳେ କର୍ଣ୍ଣି ସେନା ସିନେମା ନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣ କରିବା ସହିତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଧମକ ଦେଇଥିଲେ।

ରାଜସ୍ଥାନର କିଛି ସଂଗଠନ ଓ କର୍ଣ୍ଣି ସେନା ‘ପଦ୍ମାବତୀ’ ରିଲିଜ୍‌ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ନାକ କାଟି ଦିଆଯିବ ବୋଲି ଗୁରୁବାର କହିଛନ୍ତିି।

କର୍ଣ୍ଣି ସେନାର ମାହିପାଲ ମକରାନାଙ୍କ କହିବାନୁସାରେ, ‘ରାଜପୁତ କେବେ ବି ମହିଳାଙ୍କ ଉପରେ ହାତ ଉଠାନ୍ତି ନାହିଁ। ଯଦି ଆବଶ୍ୟକ ପଡେ ତେବେ ଆମେ ଦୀପିକା ପାଦୁକୋନ୍‌ଙ୍କ ସେହି ଅବସ୍ଥା କରିବୁ ଯାହା ଲକ୍ଷ୍ମଣ ସୁପଣେଖାର କରିଥିଲେ।’

କର୍ଣ୍ଣି ସେନାର ସଂରକ୍ଷକ ଲୋକେନ୍ଦ୍ର ସିଂହ କାଲାବିଙ୍କୁ ଏହି ପ୍ରସଙ୍ଗରେ ପଚରାଗଲାରୁ ସେ ବି ମାହିପାଲ ମକରାନାଙ୍କ ବୟାନ୍‌କୁ ସମର୍ଥନ କରିଛନ୍ତି ବୋଲି କହିଥିଲେ। ଏପରି କରିବା ପରେ ବି କର୍ଣ୍ଣି ସେନାର କିଛି କାରଣ ଥାଇ ପାରେ ବୋଲି ଲୋକେନ୍ଦ୍ର ସିଂହ କହିଛନ୍ତି।

ଅନ୍ୟପକ୍ଷରେ ‘ପଦ୍ମାବତୀ’ ରିଲିଜ୍‌କୁ ନେଇ ଡିସେମ୍ବର ୧ରେ ଭାରତ ବନ୍ଦ ଡ଼ାକରା ଦେଇଛି କର୍ଣ୍ଣି ସେନା । କିଛି ବି ହୋଇ ଯାଉ ଆମେ ଏହି ଚଳଚିତ୍ରକୁ ରିଲିଜ୍‌ ହେବାକୁ ଦେବୁ ନାହିଁ । ଏହି ଚଳଚିତ୍ରରେ ରାଣୀ ପଦ୍ମିନୀଙ୍କୁ ଅପମାନିତ କରାଯାଇଛି । ଏହାକୁ ଆମେ ରିଲିଜ୍‌ ହେବାକୁ ଦେବୁ ନାହିଁ, ଆମକୁ ଅଟକାଇପାରିବ ତ ଅଟକାଅ ବୋଲି ରାଜପୁତ କର୍ଣ୍ଣି ସେନାର ସଦସ୍ୟ ଲୋକେନ୍ଦ୍ର ସିଂ କଲ୍‌ଭି କହିଛନ୍ତି ।

ସର୍ଭ ବ୍ରାହ୍ମଣ ମହାସଭା ସିନେମା ବିରୋଧରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି)କୁ ରକ୍ତରେ ଦସ୍ତଖତ କରି ଏକ ଆବେଦନ ପତ୍ର ପଠାଇଛନ୍ତି। ମରଟର ରାଜପୁତ ସମ୍ପ୍ରାଦୟ ସିନେମା ନିର୍ମାତାଙ୍କ ମୁଣ୍ଡପିଛା ୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ତେବେ ସଞ୍ଜୟ ଲୀଲା ଭଂସାଲି କହିଛନ୍ତି, ରାଣୀ ପଦ୍ମିନୀ ଏବଂ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀଙ୍କ ମଧ୍ୟରେ ଯେଉଁ ରୋମାନ୍‌ସ ଦୃଶ୍ୟ ସବୁ ଦେଖାଯାଇଛି ତାହା ଏକ ଡ଼୍ରିମ୍‌ ସିନ୍‌ । ଏହା ମୁଁ ପୂର୍ବରୁ କହି ସାରିଛି ଏବଂ ଏବେ ବି କହୁଛି କି ଏହି ଫିଲ୍ମରେ ଏଭଳି କିଛି ଦୃଶ୍ୟ ନାହିଁ ଯାହାକି କାହାର ମନୋଭାବକୁ ଆଘାତ ଦେବ । ଏଥିରେ ରାଣୀ ପଦ୍ମିନୀଙ୍କ ସାହସକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଁ ରାଣୀ ପଦ୍ମାବତୀଙ୍କ ବିଷୟରେ ଜାଣିବା ପରେ ଫିଲ୍ମ କରିବାକୁ ଭାବିଥିଲି । ଏହି ଫିଲ୍ମଟି ଆମେ ଦାୟିତ୍ୱ ସହକାରେ ତିଆରି କରିବା ସହିତ ରାଜପୁତ ଗୋଷ୍ଠୀଙ୍କ ମନେଭାବ ଏବଂ ସମ୍ମାନକୁ ଆଖି ଆଗରେ ରଖି କରିଛୁ। ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଥିବା ବେଳେ ସହିଦ୍‌ କପୁର ତାଙ୍କ ସ୍ୱାମୀ ରାଓ୍ଵଲ ରତନ ସିଂ ଏବଂ ରଣବୀର ସିଂ ସୁଲ୍‌ତାନ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀ ଭୁମିକାରେ ଦେଖା ଦେବେ ।

ସମ୍ବନ୍ଧିତ ଖବର