କେଜିଏଫ୍‌ର ହିରୋ ୟଶଙ୍କୁ ଦେଖା କରିବାରେ ବିଫଳ ହେବାରୁ ଜୀବନ ହାରିଲେ ପ୍ରଶଂସକ

ବେଙ୍ଗାଲୁରୁ : ଫିଲ୍ମ କେଜିଏଫ୍‌ ରିଲିଜ୍‌ ହେବା ପରେ ଅଭିନେତା ୟଶଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଛି । ସାରା ଦେଶରେ ଫିଲ୍ମଟି ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ୟଶଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଜାନୁଆରୀ ୮ରେ ୟଶଙ୍କ ଜନ୍ମଦିନ ଥିବା ବେଳେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଦେଖା କରିବା ପାଇଁ ସମସ୍ତ ଚେଷ୍ଟା କରିଥିଲେ । କିନ୍ତୁ ଏତେ ଚେଷ୍ଟା କରିବା ପରେ ୟଶଙ୍କୁ ଦେଖା ନ କରି ପାରିବାରୁ ତାଙ୍କର ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ୟଶ ଏ ନେଇ ଦୁଃଖପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ,ମୃତକ ଜଣଙ୍କ ୨୬ ବର୍ଷୀୟ ରବି ବୋଲି ଚିହ୍ନଟ କରାଯାଇଛି । ସେ ଏକ ପୋଷାକ ତିଆରି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ରବି ଜାନୁଆରୀ ୮ରେ ୟଶଙ୍କୁ ଦେଖିବା ପାଇଁ ତାଙ୍କ ଘର ପାଖରେ ଆସି ଠିଆ ହୋଇ ରହିଥିଲେ । ଏହା ସହ ବିଳମ୍ବ ହେବାରୁ ସେ ୟଶଙ୍କ ଘର ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିବାରୁ ସିକ୍ୟୁରିଟି ଗାର୍ଡ଼ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ୟଶଙ୍କୁ ଦେଖା ନ କରି ପାରିବାରୁ ନିରାଶ ହୋଇ ରବି ନିଜ ଉପରେ ପେଟ୍ରୋଲ ଢ଼ାଳିବା ସହ ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ପାଖରେ ଥିବା ଲୋକ ରବିଙ୍କ ଉପରେ କମ୍ବଳ ପକାଇ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡ଼ାକ୍ତରଖାନା ପହଞ୍ଚିବା ବେଳକୁ ରବିଙ୍କ ମୃତ୍ୟୁ ହୋଇ ସାରିଥିଲା ।

MSN.com

ପୂର୍ବରୁ ସେ ୟଶଙ୍କ ସବୁ ଜନ୍ମଦିନରେ ତାଙ୍କ ଘର ଆଗକୁ ଆସି ସେଲ୍‌ଫି ନେଇଥାନ୍ତି । କିନ୍ତୁ ଏବେ ୟଶଙ୍କ ସଂପର୍କୀୟଙ୍କ ନିଧନ ହୋଇ ଯାଇଥିବାରୁ ସେ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରି ନଥିଲେ । ଏହା ସହ କୌଣସି ପ୍ରଶଂସକଙ୍କୁ ମଧ୍ୟ ଦେଖା କରି ନଥିଲେ । ରବିଙ୍କ ମୃତ୍ୟୁ ଖବର ପାଇ ୟଶ ଡ଼ାକ୍ତରଖାନାରେ ପହଞ୍ଚିବା ସହ ତାଙ୍କ ପରିବାର ଲୋକଙ୍କୁ ଭେଟି ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର