ତନୁଶ୍ରୀ-ନାନା ବିବାଦକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ସାମ୍ବାଦିକା ଜେନିସ : କହିଲେ; ତନୁଶ୍ରୀଙ୍କ ଆରୋପ ସଂପୂର୍ଣ୍ଣ ସତ୍ୟ, ମୁଁ ନିଜେ ନାନାଙ୍କୁ ଏପରି କରୁଥିବାର ଦେଖିଛି

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ରେ ନାନା-ତନୁଶ୍ରୀଙ୍କ ବିବାଦକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ଅଭିନେତା ନାନା ପାଟେକରଙ୍କୁ ନେଇ ତନୁଶ୍ରୀ କରିଥିବା ଖୁଲାସା ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ସୁଟିଂ ସେଟ୍‌ରେ ଘଟିଥିବା ଘଟଣାର ୧୦ବର୍ଷ ପରେ ତନୁଶ୍ରୀ ଏ ନେଇ ମୁହଁ ଖୋଲିଥିବା ବେଳେ ଅନେକଙ୍କ ନାଁ ଏଥିରେ ସେ ସାମିଲ କରିଛନ୍ତି । ଏହି ମାମଲାର ଖୁଲାସା ହେବା ପରେ ବଲିଉଡ୍‌ର ବିଭିନ୍ନ ଅଭିନେତ୍ରୀ ମଧ୍ୟ ତନୁଶ୍ରୀଙ୍କୁ ସମର୍ଥନ ଜଣାଇଥିବା ଦେଖା ଯାଇଛି । ଅନ୍ୟ ପକ୍ଷରେ ଘଟଣା ସତ୍ୟତାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଜଣେ ସାମ୍ବାଦିକା ଜେନିସ ଏ ନେଇ ନିଜର ଚାଞ୍ଚଲ୍ୟକର ବୟାନ ରଖିଛନ୍ତି । ତନୁଶ୍ରୀ ନାନାଙ୍କ ଉପରେ ଲଗାଇଥିବା ଆରୋପକୁ ସତ ବୋଲି କହିବା ସହ ନାନାଙ୍କୁ ତନୁଶ୍ରୀଙ୍କ ସହ ଏପରି କରୁଥିବାର ମୁଁ ଦେଖିଛି ବୋଲି ଜେନିସ୍‌ କହିଛନ୍ତି । ଏକାଧିକ ଟ୍ଵିଟ୍‌ କରି ସେ ଏହି ମାମଲାକୁ ନେଇ ଅନେକ ଖୁଲାସା କରିଥିଲେ ।

ତାଙ୍କ କହିବା ଅନୁଯାୟୀ,”ଯେଉଁ ସମୟରେ ତନୁଶ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ ସେ ସମୟରେ ମୁଁ ମଧ୍ୟ ସୁଟିଂ ସେଟ୍‌ରେ ଉପସ୍ଥିତ ଥିଲି । ନାନା ଆସି ତାଙ୍କ ସହ ଅସଦାଚରଣ କରିବା ସହ ବିଭିନ୍ନ ବାହାନା କରି ତାଙ୍କୁ ଛୁଇଁବାକୁ ଲାଗିଥିଲେ । ଯେତେବେଳେ ତାଙ୍କ ପରିବାର ଲୋକ ତାଙ୍କୁ ନେବା ପାଇଁ ଆସିଥିଲେ ସେତେବେଳେ ନାନା ଗୁଣ୍ଡା ଲଗାଇ ସେମାନଙ୍କୁ ମାଡ଼ ମାରିଥିଲେ । ଯେତେବେଳେ ମୁଁ ସୁଟିଂ ସେଟ୍‌ରେ ପହଞ୍ଚିଲି ମୋତେ ସୁଟିଂ ବନ୍ଦ ଥିବା କୁହାଯାଇଥିଲା । ତନୁଶ୍ରୀଙ୍କୁ ନାନାଙ୍କ ସହ ସୁଟ୍‌ କରିବାରେ ଅସୁବିଧା ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ମୁଁ ଜାଣିବାକୁ ପାଇଥିଲି । କିନ୍ତୁ ହଠାତ୍‌ ପୁଣି ସୁଟିଂ ଆରମ୍ଭ ହୋଇଥିଲା । କିଛି ସମୟ ସୁଟିଂ କରିବା ପରେ ତନୁଶ୍ରୀ ନିଜ ଭ୍ୟାନିଟି ଭ୍ୟାନ୍‌କୁ ଚାଲିଯିବା ସହ ସୁଟିଂ ସେଟ୍‌କୁ ଆସିବାକୁ ମନା କରି ଦେଇଥିଲେ । ଯାହା ପରେ ସେଠାକୁ କିଛି ଗୁଣ୍ଡା ଆସି ତନୁଶ୍ରୀଙ୍କୁ ଧମକାଇଥିଲେ । ଏ ସମୟରେ ମୋତେ ସେଠାକୁ ଯିବା ପାଇଁ ଅନୁମତି ନ ମିଳିବାରୁ ମୁଁ ତନୁଶ୍ରୀଙ୍କ ସହ କଥା ହୋଇ ପାରି ନଥିଲି । କିନ୍ତୁ ପରେ ସେହି ଦିନ ରାତିରେ ମୋତେ ତନୁଶ୍ରୀ ନିଜ ଘରକୁ ଡ଼ାକି ସବୁ କାହାଣୀ କାନ୍ଦି କାନ୍ଦି ଜଣାଇଥିଲେ ।

DNA India

ସୁଟିଂ ପୂର୍ବରୁ ଯାହା କୁହାଯାଇଥିଲା, ସୁଟିଂ ସମୟରେ ସେ ସବୁ ବଦଳି ଯାଇଥିଲା ବୋଲି ତନୁଶ୍ରୀ ମୋତେ କହିଥିଲେ । ପୂର୍ବରୁ ଗୀତରେ ନାନାଙ୍କ କୌଣସି ଚରିତ୍ର ନ ଥିବା ବେଳେ ନାନା ପ୍ରଯୋଜକଙ୍କୁ କହି ନିଜକୁ ଗୀତରେ ସାମିଲ କରାଇଥିଲେ । ପରେ ସେ ତନୁଶ୍ରୀକୁ ସମସ୍ତଙ୍କ ନଜର ଆଢ଼ୁଆଳରେ ଛୁଇଁବା ପାଇଁ କୋରିଓଗ୍ରାଫରଙ୍କୁ କହି ଡ଼୍ୟାନ୍ସ ଷ୍ଟେପ୍‌ ବଦଳାଇଥିଲେ । ଏ ବିଷୟରେ ତନୁଶ୍ରୀ ଜାଣିବା ପରେ ସେ ସୁଟିଂ ସେଟ୍‌ରୁ ଚାଲି ଆସିଥିଲେ ଟ୍ଵିଟ୍‌ କରିଛନ୍ତି ଜେନିସ । ତେବେ ୧୦ବର୍ଷ ପୂର୍ବରୁ ଏ କଥା ଜାଣି ଜେନିସ କ’ଣ ପାଇଁ ଏ କଥାକୁ ଲୁଚାଇ ରଖିଥିଲେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ସମ୍ବନ୍ଧିତ ଖବର