ବଲିଉଡର ଏହି କଳାକାରମାନେ ସୁଟିଂ ସେଟ୍‌ରେ ସାଥୀ କଳାକାରଙ୍କୁ ମନ ଦେଇ ବସିଥିଲେ, ଜାଣନ୍ତୁ ସେଭଳି ଅନେକ ଯୋଡ଼ି ବିଷୟରେ

ସେମିତି ଦେଖିବାକୁ ଗଲେ ବଲିଉଡ୍‌ରେ ପରଦା ଉପରେ ଆମେ ଅନେକ ପ୍ରେମ କାହାଣୀ ଦେଖିବା ସହ ପସନ୍ଦ ମଧ୍ୟ କରିଛେ । ସେ ସବୁ ମଧ୍ୟରେ ଏମିତି ଅନେକ ପ୍ରେମ କାହାଣୀ ରହିଛି ଯାହା ବାସ୍ତବ ରୂପ ନେଇଛି । କିଛି କଳାକାର ପରଦା ଉପରେ ପ୍ରେମୀଯୁଗଳର ଅଭିନୟ କରୁ କରୁ ସତରେ ପ୍ରେମୀଯୁଗଳ ପାଲଟି ଯାଇଛନ୍ତି । ଆଜି ଆମେ ସେଭଳି କିଛି ବଲିଉଡ୍‌ କଳାକାରମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନଙ୍କ ପ୍ରେମ କାହାଣୀ ବାସ୍ତବ ରୂପ ନେଇଥିଲା ।

୧.ସୁନୀଲ ଦତ୍ତ ଏବଂ ନର୍ଗିସ୍‌ : ନର୍ଗିସ ଆର୍‌କେ ପ୍ରଡ଼କ୍ସନର ଗୋଟିଏ ପରେ ଗୋଟିଏ ଫିଲ୍ମ କରିବା ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ନାମ ରାଜ କପୁରଙ୍କ ସହ ଯୋଡ଼ା ଯାଇଥିଲା । କିନ୍ତୁ ଫିଲ୍ମ ‘ମଦର ଇଣ୍ଡିଆ’ ଆସିବା ପରେ ପୂରା କାହାଣୀ ବଦଳି ଯାଇଥିଲା । ଏହି ଫିଲ୍ମର ସୁଟିଂ ସେଟ୍‌ରେ ଏକ ଘଟଣା ଘଟିଥିଲା । ଯାହା ପରେ ନର୍ଗିସ୍‌ଙ୍କ ଜୀବନ ବଦଳିଥିଲା । ସୁଟିଂ ସମୟରେ ନିଆଁ ଲାଗିଯିବାରୁ ନର୍ଗିସ୍‌ ନିଆଁ ଭିତରେ ଫସି ଯାଇଥିଲେ । ଯାହା ପରେ ସୁନୀଲ ଦତ୍ତ ନର୍ଗିସ୍‌ଙ୍କୁ ନିଆଁ ଭିତରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ସେମାନେ ୧୯୫୮ରେ ବିବାହ କରିଥିଲେ ।

୨.ଗୀତା ବାଲି ଶମ୍ମୀ କପୁର : ଗୀତା ବାଲି ଏବଂ ଶମ୍ମୀ କପୁରଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ବେଶ୍‌ ଚର୍ଚ୍ଚିତ। ୧୯୫୫ରେ ଫିଲ୍ମ ‘ରଙ୍ଗୀନ ରାତେଁ’ର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଯାହା ପରେ ଶମ୍ମୀ କପୁର ଗୀତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ବାରମ୍ବାର ମନା କରିବା ପରେ ମଧ୍ୟ ଶେଷରେ ହଁ ଭରିଥିଲେ ଗୀତା । ୧୯୫୫ମସିହା ଅଗଷ୍ଟ ମାସରେ ଦୁହେଁ ବିବାହ କରିଥିଲେ ।

୩. ଅଜୟ ଦେବଗନ୍‌ ଏବଂ କାଜୋଲ : ଯେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ସମସ୍ତେ ଜାଣିଲେ । ସେତେବେଳେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବ ନାହିଁ ବୋଲି ଲୋକେ କହିବା ଆରମ୍ଭ କରିଥିଲେ । ଦୁଇ ଜଣଙ୍କ ସ୍ୱଭାବ ଅଲଗା ହୋଇଥିବା ଯୋଗୁଁ ଲୋକମାନେ ଏପରି କହିବା ଆରମ୍ଭ କରିଥିଲେ । କିନ୍ତୁ ୪ ବର୍ଷର ପ୍ରେମ ସଂପର୍କ ପରେ ଦୁହେଁ ୧୯୯୯ରେ ବିବାହ କରିଥିଲେ । ଯାହା ଏବେ ମଧ୍ୟ ପୂର୍ବ ଭଳି ଅତୁଟ ରହିଛି ।

୪.ଦିଲୀପ କୁମାର ଏବଂ ସାଏରା ବାନୋ : ୧୯୬୧ରେ ଫିଲ୍ମ ‘ଜଙ୍ଗଲୀ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସାୟରା ବାନୋ । ପରେ ତାଙ୍କ ନାଁ ଅନେକ କଳାକାରମାନଙ୍କ ସହ ଯୋଡ଼ା ଯାଇଥିଲା । କିନ୍ତୁ ସେ ନିଜଠାରୁ ଢ଼େର ବଡ଼ ଦୀଲିପ କୁମାରଙ୍କୁ ନିଜ ମନ ଦେଇ ବସିଥିଲେ । ୨୨ବର୍ଷ ବୟସରେ ସାୟରା ବାନୋ ୪୪ବର୍ଷୀୟ ଦିଲୀପ କୁମାରଙ୍କୁ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର