ମୁମ୍ବାଇ: ବଲିଉଡ଼୍ର ଜଣେ ଲୋକପ୍ରିୟ ଗାୟିକା ହେଲେ ଅଲ୍କା ୟାଗନିକ୍ । ସେ ଗତ ୩୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସକ୍ରିୟ ଅଛନ୍ତି । ଅଲ୍କା ୟାଗନିକ୍ ଓ ନୀରଜ କପୁରଙ୍କ ପ୍ରେମକାହାଣୀ ବି ଏକଦମ୍ ଫିଲ୍ମି। ନୀରଜ ହେଉଛନ୍ତି ଅଲ୍କାଙ୍କ ମାଆଙ୍କର ଜଣେ ସାଙ୍ଗଙ୍କର ପୁତୁରା। ଥରେ ଅଲ୍କା ତାଙ୍କ ମାଆଙ୍କ ସହିତ ନୂଆଦିଲ୍ଲୀ ଯାଇଥିବାବେଳେ ନୀରଜ ସେମାନଙ୍କୁ ରିସିଭ୍ କରିବା ଲାଗି ଷ୍ଟେସନ୍କୁ ଆସିଥିଲେ।ଏହା ହେଉଛି ୧୯୮୬ ମସିହାର କଥା। ପ୍ରଥମ ଦେଖାରେ ଅଲ୍କାଙ୍କୁ ନୀରଜ ଭଲ ଲାଗିଲେ ଓ ନୀରଜ ବି ଅଲ୍କାଙ୍କୁ ପସନ୍ଦ କରିଲେ। ତା’ପରେ ନୀରଜ ଯେତେବେଳେ ବି ମୁମ୍ବାଇ ଆସିଲେ,ସେତେବେଳେ ଅଲ୍କାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ପ୍ରେମର ରୂପ ନେଇଥିଲା। ସମୟକ୍ରମେ ସେ ଦୁହେଁ ଅନୁଭବ କରିଲେ ଯେ,କେହି କାହାଠାରୁ ଅଲଗା ରହିବା ଅସମ୍ଭବ।
୧୯୮୮ ମସିହାରେ ଏନ୍ .ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଫଲ୍ମ ‘ତେଜାବ୍’ର ଏକ ଦୋ ତିନ୍…..ଗୀତ ଅଲ୍କା ୟାଗନିକ୍ଙ୍କୁ ଷ୍ଟାର୍ ସିଙ୍ଗରର ମାନ୍ୟତା ଦେଲା। ସେହି ବର୍ଷ ନୀରଜ ଓ ଅଲ୍କା ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଲେ। ଏ ସଂପର୍କରେ ସେ ଦୁହେଁ ନିଜ ନିଜ ପରିବାର ସଦସ୍ୟଙ୍କ ସହିତ କଥା ହେଲେ। କେହି ଏହି ବିବାହକୁ ବିରୋଧ କଲେ ନାହିଁ,କିନ୍ତୁ ଅଲ୍କାଙ୍କ କ୍ୟାରିଅର୍କୁ ନେଇ ଚିନ୍ତିତ ଥିଲେ।କାରଣ ଦୁହିଁଙ୍କର କର୍ମକ୍ଷେତ୍ର ଭିନ୍ନ ଭିନ୍ନ ଜାଗାରେ।ତେବେ ସେ ଯାହା ହେଉ ପିତାମାତାଙ୍କୁ ବୁଝାଇ ସେ ଦୁହେଁ ୧୯୮୯ରେ ବିବାହ କରିଥିଲେ।୧୯୮୯ରେ ହିଁ ଅଲ୍କା ଓ ନୀରଜ ସାୟସା ନାମ୍ନୀ କନ୍ୟାର ମାତାପିତା ହେଲେ।
ଏହାପରଠୁ ଅଲ୍କା ନିଜର ସିଙ୍ଗିଙ୍ଗ୍ କ୍ୟାରିଅର୍ ପାଇଁ ମୁମ୍ବାଇରେ ରହିଲେ ଓ ନୀରଜ ସିଲଂଗ୍ରେ ନିଜର ବ୍ୟବସାୟ ସମ୍ଭାଳିଲେ।ନୀରଜ କେବେ ବି ଅଲ୍କାଙ୍କ କ୍ୟାରିଅରରେ ହସ୍ତକ୍ଷେପ କରିନାହାନ୍ତି।ସେ ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କ ରହି ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତକାରରେ ଅଲ୍କା ୟାଗନିକ୍ କହିଥିଲେ ଯେ,ନୀରଜ ମୁମ୍ବାଇରେ ପ୍ରତିଷ୍ଠିତ ହେବାକୁ ଚାହୁଁଥିଲେ।ଏଣୁ ସେ ଏଠି ବ୍ୟବସାୟ ଆରମ୍ଭ କରିଥିଲେ,ହେଲେ ତାହା ଭଲ ଚାଲିଲାନି। ଫଳତଃ ତାଙ୍କର ବହୁତ କ୍ଷତି ହେଲା।ତେଣୁ ଅଲ୍କା ନିଜେ ହିଁ ସ୍ୱାମୀ ନୀରଜଙ୍କୁ ସିଲଂଗ୍ରେ ରହି ବ୍ୟବସାୟ ସମ୍ଭାଳିବାକୁ ପରାମର୍ଶ ଦେଇଥିଲେ। ତାହାକୁ ମାନିଥିଲେ ବି ପତି ନୀରଜ।